କାହିଁକି ବାରମ୍ୱାର ଟାର୍ଗେଟ ହୋଇଛି ଶ୍ରୀମନ୍ଦିର

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରକୁ ନେଇ ବିତର୍କ ଲାଗି ରହିଛି । ବାସ୍ତବରେ ଏହାର ଚାବି କାହା ନିକଟରେ ରହିଛି, ମହାପ୍ରଭୁଙ୍କ ରତ୍ନର ସ୍ଥିତି କଣ ତାକୁ ନେଇ ଲୋକଙ୍କ ମନରେ ଥିବା ପ୍ରଶ୍ନ ଆଜି ବି ଅସମାହିତ । କେବଳ ସେତିକି ନୁହେଁ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ବି ଏହି ବିବାଦ ଭିତରେ ହଜିଯାଇଛି । ନା ଏଏସ୍‍ଆଇ ଚିନ୍ତା କରୁଛି ନା ରାଜ୍ୟ ସରକାର ଏ ପ୍ରସଙ୍ଗକୁ ଆଉ ଧ୍ୟାନ ଦେଲେ ।
ଅନ୍ୟପକ୍ଷରେ ଶ୍ରୀମନ୍ଦିରର ସୁରକ୍ଷା ନେଇ ନିଆଯାଇଥିବା ପଦକ୍ଷେପ ଯେ ଯଥେଷ୍ଟ ନୁହେଁ, ଏକଥା ବି ସ୍ପଷ୍ଟ । ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ବାରମ୍ୱାର ଗୁଇନ୍ଦା ସତର୍କ କରାଉଥିବା ବେଳେ ପୁରୀ ଶ୍ରୀମନ୍ଦିର ଆଦୌ ବିପଦମୁକ୍ତ ନୁହେଁ । ଇତିହାସକୁ ଏପଟସେପଟ କରି ଦେଖିଲେ, ଶ୍ରୀମନ୍ଦିର ପ୍ରତି ଅନେକ ଥର ଏଭଳି ବିପଦ ମାଡି ଆସିଛି ।
ଦ୍ୱାଦଶ ଶତାବ୍ଦୀର ଏହି ପ୍ରାଚୀନ ଶ୍ରୀମନ୍ଦିର ଅନେକ ବାର ଲୁଣ୍ଠନ ହୋଇଥିବା ଇତିହାସ କହୁଛି । ମହାରାଜା ପ୍ରତାପ ରୁଦ୍ରଦେବଙ୍କ ରାଜତ୍ୱ ସମୟରେ ଅର୍ଥାତ ୧୬ଶହ ଖ୍ରୀଷ୍ଟାବ୍ଦ ପୂର୍ବରୁ ଶ୍ରୀମନ୍ଦିରକୁ ମୁସଲମାନ ମାନେ ଅାକ୍ରମଣ କରି ବହୁ କ୍ଷତି ଘଟାଇଥିଲେ । କଳାପାହାଡ ଅାକ୍ରୋଶରୁ ମଧ୍ୟ ଶ୍ରୀମନ୍ଦିର ବାଦ୍‍ ଯାଇନଥିଲା ।
ଏତିକିରେ ବି ଶ୍ରୀମନ୍ଦିର ଉପରେ ଆକ୍ରମଣ ସରିନାହିଁ । ବିଗତ ଶତାବ୍ଦୀରେ ମଧ୍ୟ ଅନେକଥର ଶ୍ରୀମନ୍ଦିର ଭିତରୁ ଚୋରି ହୋଇଥିବା ରେକର୍ଡ ରହିଛି । ୧୯୫୧ ମସିହାରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରୁ ଏକ ସ୍ୱର୍ଣ୍ଣ ଅଳଙ୍କାର କୌଣସି ଧାରୁଅା ଅସ୍ତ୍ର ଦ୍ୱାରା କଟାହୋଇ ଚୋରି ହୋଇଯାଇଥିଲା । ଏହାର ଉଦ୍ଧାର ହୋଇପାରିଲା ନାହିଁ ଓ ସମୟ ସ୍ରୋତରେ ଏହି ପ୍ରସଙ୍ଗ ବି ହଜିଯାଇଛି । ୧୯୫୭ ମସିହାରେ ଶ୍ରୀରାଧାଙ୍କ ୩ଫୁଟର ଏକ ଅଷ୍ଟଧାତୁ ମୂର୍ତ୍ତିି ଶୀ୍ରମନ୍ଦିର ପରିସରରେ ଥିବା ପୂଜାପଣ୍ଡା ନିଯୋଗରୁ ଚୋରି ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଜଣେ ସେବକଙ୍କ ନିକଟରୁ ଉଦ୍ଧାର କରାଯାଇଥିଲା ବୋଲି କୁହାଯାଏ । ସେହିଭଳି ଶ୍ରୀମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀ ମନ୍ଦିରରୁ ୨୦ଭରି ଓଜନର ସୁନାମୁକୁଟ ଚୋରି ହୋଇଯାଇଥିବାର ଅଭିଯୋଗ ରହିଛି । ଚଳିତ ଶତାଦ୍ଦୀରେ ମଧ୍ୟ ଶ୍ରୀମନ୍ଦିର ପ୍ରତି ବିପଦ ଦେଖା ଦେଇଥିଲା । ଆଠଶହ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ଶ୍ରୀମନ୍ଦିର ପରିସରରୁ ଚୋରି ହୋଇଯାଇଥିଲା । ଏହା ପୂର୍ବରୁ ସଂପୃକ୍ତ ଦୁର୍ବୃତ୍ତ ଶ୍ରୀଲିଙ୍ଗରାଜ ମନ୍ଦିରରୁ ମଧ୍ୟ ଚୋରି କରିବା ଲାଗି ସାହସ ଜୁଟାଇଥିଲା । ଶ୍ରୀମନ୍ଦିରରୁ ଶ୍ରୀ ମଦନମୋହନ ଓ ଶ୍ରୀ ନାରାୟଣଙ୍କ ବିଗ୍ରହକୁ ଚୋରି ହୋଇଯାଇଥିଲା । ଅବଶ୍ୟ ପରେ ଶ୍ରୀ ମଦନମୋହନଙ୍କ ମୂର୍ତି ନୀଳାଚଳ ଉପବନ କୂଅରୁ ମିଳିଥିଲେ ହେଁ ତାଙ୍କ ରୂପା ବଂଶୀଟି ହଜିଯାଇଥିଲା ।
କୌତୂହଳର କଥା ହେଲା, ସେ ସମୟରେ ମଧ୍ୟ ଦୁର୍ବୃତ୍ତ ଚାହିଁଥିଲେ ରତ୍ନଭଣ୍ଡାର ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା । କେତେ ସଂପତ୍ତି ଚୋରି ଯିବା ଯେତେ ବଡ଼ କଥା ନୁହେଁ, ଓଡ଼ିଶାର ଅସ୍ମିତାକୁ ଏସବୁ ପ୍ରସଙ୍ଗ ବାରମ୍ୱାର କୁଠାରଘାତ କରୁଛି । ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ସରକାର ଏବେ ସାନି ତର୍ଜମାର କରିବାର ସମୟ ଆସିଯାଇଛି ।

Share Post
  • 80
  •  
  •  
  •  
  •  
  •  
  •  
  •  
    80
    Shares

Leave a Reply

Your email address will not be published. Required fields are marked *

19 − 12 =