ଜାଣନ୍ତୁ, କେମିତି ଦର୍ଶନ କରିବେ ମହାପ୍ରଭୁ ଲିଙ୍ଗରାଜଙ୍କୁ

ଭୁବନେଶ୍ବର: ପବିତ୍ର ଜାଗରରେ ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି। କିନ୍ତୁ ତ୍ରିଭୁବନେଶ୍ବର ମହାପ୍ରଭୁ ଲିଙ୍ଗରାଜଙ୍କୁ ଏମିତି ସେମିତି ଦର୍ଶନ କଲେ ପୁଣ୍ୟ ମିଳିବ ନାହିଁ। ଏକଥା ଆମେ କହୁନାହୁଁ। ବିଶିଷ୍ଟ ପଣ୍ଡିତମାନେ ପ୍ରଭୁ କୃତିବାସ ଲିଙ୍ଗରାଜ ମହାପ୍ରଭୁଙ୍କ ସଂପର୍କରେ ଏମିତି ତଥ୍ୟ ରଖିଛନ୍ତି। ପଣ୍ଡିତ ମାନଗୋବିନ୍ଦ ମହାସୁପକାର ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପୂର୍ବରୁ ବିନ୍ଦୁହ୍ରଦରେ ପ୍ରଥମେ ସ୍ନାନ କରିବା ବିଧେୟ। ପରେ ଶ୍ରୀ ପୁରୁଷୋତ୍ତମ ତଥା ଅନନ୍ତ ବାସୁଦେବଙ୍କୁ ଦର୍ଶନ କରିବାକୁ ହେବ। କାରଣ ଅନନ୍ତ ବାସୁଦେବଙ୍କ ମନ୍ଦିର ପ୍ରତିଷ୍ଠା କାଳରୁ ଠାକୁରଙ୍କ ସହିତ ଏମିତି ହିଁ ସନ୍ଧି ରହିଛି। ତା ପରେ ଦର୍ଶନ କରିବାକୁ ହେବ ଦେବୀ ପାଦହରା ବା ଭବାନୀ ଶଙ୍କରଙ୍କୁ। ସେଠାରୁ ତୀର୍ଥେଶ୍ବରଙ୍କୁ ଦର୍ଶନ କରି ସିଂହଦ୍ବାରରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନମସ୍କାର କରି ପ୍ରବେଶ କରିବାକୁ ହେବ।

ମନ୍ଦିର ଭିତରେ ଭକ୍ତ ପ୍ରଥମେ ଗଣେଶଙ୍କୁ ପ୍ରଣାମ କରିବାର ବିଧି ରହିଛି। ଏହା ପରେ ପରେ ଭୁବନେଶ୍ବରୀ, କାର୍ତିକେୟ, ବୃଷଭ, ଗଣଚଣ୍ଡ ଅର୍ଥାତ୍ ଚଣ୍ଡେଶ୍ବର ମହାଦେବ ଏବେ ବେଦମାତା ସାବିତ୍ରୀଙ୍କୁ ଦର୍ଶନ କରିବେ। ଏହା ପରେ ଯାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ଲାଗି ପଣ୍ତିତମାନେ ସୂଚାଇଛନ୍ତି। ଏକଥା ବି କହିଛନ୍ତି ଯେ ଅଷ୍ଟମୂର୍ତି କ୍ରମରେ ସନାତନରୂପୀ ସ୍ବୟମ୍ଭୁ ଲିଙ୍ଗରାଜ ମହାପ୍ରଭୁଙ୍କର ଦର୍ଶନ କଲେ ହଜାର ସଂଖ୍ୟକ ଅଶ୍ବମେଧ ଯଜ୍ଞର ଫଳଲାଭ କରିହେବ।

ଉଲ୍ଲେଖଯୋଗ୍ୟ, ପବିତ୍ର ଶିବରାତ୍ରିରେ ସନ୍ଧ୍ୟା ଧୂପ ଶେଷ ହେବା ମାତ୍ରେ ଏକ ମହାଦୀପ ମହାପ୍ରଭୁଙ୍କ ଆଳତି ପରେ ମନ୍ଦିର ଉପର ଭାଗକୁ ନିଆଯାଇଥାଏ। ଏହି ମହାଦୀପ ପ୍ରତ୍ୟେକ ଚତୁର୍ଦଶୀଦିନ ମନ୍ଦିର ଉପରିଭାଗରେ ରଖାଯାଇଥାଏ। ରାତିର ଶେଷ ପ୍ରହରରେ ମହାପ୍ରଭୁଙ୍କର ହରିହର ଭେଟ ଓ ଆଳତି କରାଯିବାର ବିଧି ରହିଛି। ଅର୍ଥାତ୍ ଶିବ ଏବଂ ବିଷ୍ଣୁଙ୍କର ମିଳନ ହୋଇ ଶିବରାତ୍ରି ଉତ୍ସବର ପରିସମାପ୍ତି ହୋଇଥାଏ।

Share Post

Leave a Reply

Your email address will not be published. Required fields are marked *

nineteen − 13 =