ଘୋଷଯାତ୍ରାରେ ଦାରୁଦିଅଁ

ପୁରୀ,୧୪/୭ (ବ୍ୟୁରୋ): ଆଜି ଘୋଷଯାତ୍ରାରେ ଉଭା ହୋଇଛନ୍ତି ଦାରୁ ଦିଅଁ । ଭକ୍ତ ସହିତ ଭଗବାନଙ୍କର ମିଳନ ଘଟିଛିି ବଡଦାଣ୍ଡରେ । ଆଜି ରଥଯାତ୍ରାରେ ଯାଇ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଶରଧାବାଲିରେ ପହଞ୍ଚିଛନ୍ତି । କିନ୍ତୁ ନଟଖଟିଆ ଶ୍ରୀଜଗନ୍ନାଥ ଅଟକିଯାଇଛନ୍ତି ବଳଗଣ୍ଡି ଛକରେ । ଏଥିସହିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ପ୍ରବଳ ଗୁଳୁଗୁଳି କାରଣରୁ ଅଂଶୁଘାତରେ ଶତାଧିକ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଅପରିଚିତ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । 

ପତିତଜନଙ୍କୁ ଉଦ୍ଧାର ପାଇଁ ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ବିଶ୍ୱନିୟନ୍ତା ଚତୁର୍ଧାମୂରତି । କେତେବେଳେ ବର୍ଷା ହୋଇଥିଲା ତ ଆଉ କେତେବେଳେ ପାଣି ଖରା ବିଛାଡି ହୋଇପଡିଥିଲା ବଡ଼ଦାଣ୍ଡରେ । ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଥିଲା । ଅପରାହ୍ନରେ ପୁଣି ଭଲ ଦି ଅସରା ବର୍ଷା ବି ହୋଇଥିଲା । ଏସବୁ ସତ୍ତ୍ୱେ ମହାପ୍ରଭୁଙ୍କୁ ଟିକିଏ ଆଖି ପୂରାଇ ଦେଖିବା ଲାଗି ପ୍ରାୟ ୭ଲକ୍ଷରୁ ଅଧିକ ଶ୍ରୀଜଗନ୍ନାଥ ପ୍ରେମୀ ପୁରୀରେ ରୁଣ୍ଡ ହୋଇଥିଲେ ।

ଗତକାଲି ଠାରୁ ମହାପ୍ରଭୁଙ୍କ ନୀତିରେ ଶୃଙ୍ଖଳା ପରିଲକ୍ଷିତ ହୋଇଥିଲା । ଏଣୁ ଆଜି ବି ନୀତି ଆରମ୍ଭରୁ ଶୃଙ୍ଖଳିତ ରହିଥିଲା । ଆଜି ସକାଳ ୫ଟା ୫୦ରେ ମଙ୍ଗଳ ଆଳତି,  ୫ଟା ୫୫ରେ ମଇଲମ, ୬ଟା ୦୫ରେ ରୋଷ ହୋମ, ୬ଟା ୩୫ରେ ଅବକାଶ ,୬ଟା ୫୫ରେ ସୂର୍ଯ୍ୟପୂଜା, ୭ଟା ୧୦ରେ ଦ୍ୱାରପାଳ ପୂଜା, ୭ଟା ୧୫ରେ ବେଶ ଶେଷ ହୋଇଥିଲା ।  ୮ଟା ୧୫ରେ ଗୋପାଳ ବଲ୍ଲଭ ନୀତି ବଢିଥିଲା ଓ ତା ପରେ ପରେ ୮ଟା ୩୦ରେ ହିଁ ରଥପ୍ରତିଷ୍ଠା କରାଯାଇଥିଲା ।  ଯଦିଓ ୯ଟା ୩୦ରେ ପହଣ୍ଡି କରାଯିବା ନେଇ ପ୍ରଶାସନ ସମୟ ଧାର୍ଯ୍ୟ କରିଥିଲା, ଏହାର ପ୍ରାୟ ୪୫ମିନିଟ୍‍ ପୂର୍ବରୁ ଶ୍ରୀ ସୁଦର୍ଶନ ବିଜେ କରିଥିଲେ ରଥକୁ । ଭକ୍ତଙ୍କ ସହିତ ମିଳନ ଲାଗି ମହାପ୍ରଭୁ ମଧ୍ୟ ଉତ୍କଣ୍ଠା ପ୍ରକାଶ କରିଥିଲେ । ଗୋଟିଏ ସମୟରେ ସିଂହଦ୍ୱାରରେ ବଡ଼ଠାକୁର, ଗୁମୁଟରେ ଦେବୀ ସୁଭଦ୍ରା ଓ ବାଇଶିପାହାଚରେ ଶ୍ରୀ ଜଗନ୍ନାଥ ଥିବା ଦେଖାଯାଇଥିଲା । ୧୧ଟା ୪୫ ସୁଦ୍ଧା ପହଣ୍ଡି କାର୍ଯ୍ୟ ଶେଷ ହୋଇଥିଲା ।  

ରଥଉପରେ ତିନି ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଥିଲେ । ପରେ ତୁରନ୍ତ ଚାରମାଳ ଫିଟାଯାଇ ଘୋଡା ଯୋଚା ଯାଇଥିଲେ । ଅପରାହ୍ନ ୪ଟାର ଢେର୍‍ ପୂର୍ବରୁ ଅର୍ଥାତ୍‍ ୨ଟା ୩୫ରେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଗଡିଥିଲା । ସେହିପରି ୩ଟା ୨୦ରେ ଦେବଦଳନ ଓ ଅପରାହ୍ନ ୪ଟାରେ ନନ୍ଦିଘୋଷ ରଥ ଟଣାଯାଇଥିଲା । 

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନିତ ଶରଣ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ଓ ବିଧାୟକମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ ଶୁଭ ଉନ୍ମୋଚନ କରିଥିଲେ ଓ ଅବଢା ତୋରାଣି ବଣ୍ଟନ ଆରମ୍ଭ କରିଥିଲେ । 

Share Post

Leave a Reply

Your email address will not be published. Required fields are marked *

4 × 3 =