ମହାଶିବରାତ୍ରି ପୂଜା କାହିଁକି?

ଭୁବନେଶ୍ୱର: ମହାଶିବରାତ୍ରି ଅବସରରେ ଆଜି ସମଗ୍ର ଦେଶ ଓ ବିଦେଶର ବିଭିନ୍ନ ଭାଗରେ ଆଜି ସଦାଶିବଙ୍କ ପୂଜା କରାଯାଉଛି । ଏହି ଦିନଟିକୁ ସମଗ୍ର ଭାରତରେ ଅତ୍ୟନ୍ତ ପବିତ୍ର ଦିନ ବୋଲି ବିଚାର କରାଯାଇଥାଏ । ଦିନସାରା ଭକ୍ତମାନେ ନିର୍ଜଳ ରହିଥାନ୍ତି ଓ ରାତି ଉଜାଗର ରହି ଦୀପଦାନ ଜରିଆରେ ପ୍ରଭୁଙ୍କ ସ୍ମରଣ କରିଥାନ୍ତି । ମହାଦୀପ ଉଠିବାପରେ ଏଥିରେ ପରିସମାପ୍ତି ହୋଇଥାଏ ।
ଆମ ବ୍ୟବସ୍ଥାରେ ମହାଶିବରାତ୍ରିକୁ ନେଇ ବିଭିନ୍ନ କିମ୍ୱଦନ୍ତୀ ଭିନ୍ନ ଭିନ୍ନ କଥା କୁହନ୍ତି । କିଛି ସନ୍ଥଙ୍କ ମତରେ ଆଜି ହିଁ ଶିବ ସମୁଦ୍ର ମନ୍ଥନରୁ ଯେଉଁ ହଳାହଳ ବିଷ ନିର୍ଗତ ହୋଇଥିଲା, ଜଗତର ରକ୍ଷା କରିବା ପାଇଁ ବିଷପାନ କରିଥିଲେ । ଏକଥା ହିଁ କୁହାଯାଏ, ଆଜି ହିଁ ଶିବଲିଙ୍ଗ ପ୍ରକଟିତ ହୋଇଥିଲେ ଓ ଏହାକୁ ଆଧାର ଉଭୟ ବିଷ୍ଣୁ ଓ ବ୍ରହ୍ମାଙ୍କର ପରୀକ୍ଷା ନେଇଥିଲେ ସ୍ୱୟଂ ମହାଦେବ । ଶିବଙ୍କର ଏହି ପ୍ରତୀକ ପୂଜା ଫାଲଗୁନ କୃଷ୍ଣ ଚତୁର୍ଦଶୀ ତିଥିରେ ହିଁ ଆରମ୍ଭ ହୋଇଥିଲା । ଏକଥା ବି କୁହାଯାଏ, ପ୍ରଭୁ ଆଜି ତାଣ୍ଡବ ନୃତ୍ୟ ପ୍ରଦର୍ଶନ କରିଥିଲେ । ବିଶ୍ୱାସ ଅଛି, ଆଜିର ଦିନରେ ପ୍ରଥମ ଗୁରୁ ଆଦି ଯୋଗୀ ଶିବଙ୍କୁ ଆରାଧନା କରି ଜ୍ଞାନ ପ୍ରାପ୍ତି କରିଥିଲେ । ଏକ ପୌରାଣିକ ମତରେ ମହା ଶିବରାତ୍ରି ଦିନ ମା ଶକ୍ତିଙ୍କ ସହିତ ପ୍ରଭୁଙ୍କର ବିବାହ ହୋଇଥିଲା । ସ୍କନ୍ଦ ପୁରାଣ, ଲିଙ୍ଗ ପୁରାଣ ଓ ଶିବ ପୁରାଣରେ ଶିବ ରାତ୍ରି ସଂପର୍କରେ ସ୍ପଷ୍ଟ ଭାବେ ଲେଖାଯାଇଛି ।
ତେବେ ମହାଶିବରାତି୍ରିର ନିର୍ଯ୍ୟାସ ହେଲା, ଅଜ୍ଞାନ ଓ ଅନ୍ଧାରରୁ ମୁକ୍ତି ପାଇଁ ଏହି ଦିନକୁ ପାଳନ କରାଯାଏ । ଖାସ୍‍ ସେଇଥିପାଇଁ ଭକ୍ତମାନେ ଜାଗରଣ କରି ମନ, ଚେତନା ଓ ବୁଦ୍ଧିରେ ବଡ ଧରଣର ପରିବର୍ତନ ଆଣିଥାନ୍ତି ।
କେବଳ ସେତିକି ନୁହେଁ, ଆଜିର ଦିନର ତତ୍ତ୍ୱ ଏକଥା ବି ସୂଚାଇଥାଏ ଯେ ଏ ସୃଷ୍ଟିର ସର୍ଜନା ଏଭଳି ହୋଇଛି, ଯେଉଁଠି ଅନ୍ତିମ ନିର୍ଣ୍ଣାୟକ ବିନ୍ଦୁରେ କେହି କେବେ ବି ପହଞ୍ଚିପାରିବେ ନାହିଁ । ଅର୍ଥାତ୍‍ ଜଗତର ପ୍ରତିଟି ପ୍ରାଣୀ ବଡ ବା ଛୋଟ ବୋଲି କୁହାଯାଇପାରିବ ନାହିଁ । ସମୟର ଆବଶ୍ୟକତାରେ ଜଗତର ପ୍ରତିଟି ସୃଷ୍ଟି କିିଛି ନା କିଛି ଜ୍ଞାନର ଅଧିକାରୀ ଏବଂ ସ୍ଥଳବିଶେଷରେ ଉପଯୋଗୀ ମଧ୍ୟ । ଆଶୁତୋଷ ଆଜିର ଦିନରେ ଭକ୍ତଙ୍କୁ ପ୍ରତ୍ୟକ୍ଷ ଆଶୀର୍ବାଦ ଦେଇଥାନ୍ତି ।
ଆମ ବ୍ୟବସ୍ଥାରେ ପ୍ରତି ଚନ୍ଦ୍ରମାସରେ ଶିବଙ୍କୁ ପୂଜା କରାଯାଇଥାଏ । ଦ୍ୱାଦଶ ମାସରେ କରାଯାଉଥିବା ଶିବଙ୍କ ଏହି ପୂଜାଙ୍କୁ ମହାଶିବ ରାତ୍ରି ବୋଲି କୁହାଯାଇଥାଏ । ଅନ୍ୟ ସବୁ ଦେବାଦେବୀଙ୍କ ପୂଜା ଅପେକ୍ଷା ଏହାର ସ୍ୱତନ୍ତ୍ରତା ରହିଛି । ଦିନଟି ଯାକ ଉପବାସ ରହିବା ପରେ ଜାଗର ଜାଳି ଭକ୍ତମାନେ ପ୍ରଭୁଙ୍କ ଆରାଧନା କରିଥାନ୍ତି । ଓ ନମଃ ଶିବାୟ ପଞ୍ଚାକ୍ଷର ମନ୍ତ୍ରରେ ପ୍ରକମ୍ପିତ ହୋଇଥାଏ ଶୈବ ପୀଠ ।
ଓଡ଼଼ିଶାର ପୁରୀ ଲୋକନାଥ ପୀଠ, ଭୁବନେଶ୍ୱର ଲିଙ୍ଗରାଜ ପୀଠ, ଢେଙ୍କାନାଳର କପିଳାସ ସ୍ଥିତ ପ୍ରଭୁ ଚନ୍ଦ୍ରଶେଖର, ଶରଣକୁଳରେ ଥିବା ଲଡୁବାବା, କଟକ ଧବଳେଶ୍ୱର, ଭଦ୍ରକ ଆଖଣ୍ଡଳମଣି, ବାଲେଶ୍ୱର ନୀଳଗିରି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ଠାରୁ ଆରମ୍ଭ କରି ପ୍ରତି ଜିଲ୍ଲାର ପ୍ରମୁଖ ଶୈବ ପୀଠ ଆଜି ଲୋକାରଣ୍ୟ ହୋଇ ଉଠିଛି ।
କେବଳ ଓଡ଼ିଶା ନୁହେଁ, ତାମିଲନାଡୁର ତିରୁବନ୍ତମଲାଇରେ ଥିବା ଆନ୍ନା ମଲାଇ ମନ୍ଦିରରେ ଶିବରାତ୍ରି ଧୁମଧାମରେ ପାଳିତ ହୋଇଥାଏ । ଦୀର୍ଘ ୧୪ କିଲୋମିଟର ଧରି ଖାଲି ପାଦରେ ଭକ୍ତମାନେ ପାହାଡ ଉପରକୁ ଯାଇ ପ୍ରଭୁଙ୍କ ଆରାଧନା କରିଥାନ୍ତି । ଦୀପ ଦାନ ଆଦି କରାଯିବାର ପରମ୍ପରା ମଧ୍ୟସେଠାରେ ପ୍ରଚଳିତ । ବାରଣାସୀରେ ଆଜିର ଦିନଟିକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଥାଏ । କଶ୍ମୀର ଆଜି ଭୈରବୋତ୍ସବ ପାଳନ କରାଯାଇଥାଏ । ତାନ୍ତ୍ରିକ ମତରେ ଭକ୍ତମାନେ ଏଠାରେ ପୂଜା କରିଥାନ୍ତି । ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଲକ୍ଷାଧିକ ଭକ୍ତ ରୁଣ୍ଡ ହୋଇଥାନ୍ତି । ଗୁଜରାଟରେ ଦାମୋଦର କୁଣ୍ଡରେ ଆଜି ସ୍ନାନ କରାଯାଏ । ସେଠାରେ ବିଶ୍ୱାସ ଅଛି ପ୍ରଭୁ ସ୍ୱୟଂ ଶିବ ଏହି କୁଣ୍ଡରେ ଏକଦା ସ୍ନାନ କରିଥିଲେ । ପଶ୍ଚିମବଙ୍ଗରେ ଆଜି ତାରକେଶ୍ୱରଙ୍କ ନିକଟରେ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥାଏ । କୁମାରୀ କନ୍ୟା ଶିବଙ୍କ ଭଳି ପତି ପାଇବା ପାଇଁ ଆଜି ସେଠାରେ ମାନସିକ ରଖି ପୂଜା କରିଥାନ୍ତି । ପଞ୍ଜାବରେ ହିନ୍ଦୁମାନେ ଆଜି ଶୋଭାଯାତ୍ରାରେ ଯାଇଥାନ୍ତି ।
ନେପାଳରେ ଆଜିର ଦିନଟିକୁ ଛୁଟି ଘୋଷଣା କରାଯାଇଥାଏ । ପଶୁପତିନାଥଙ୍କ ଦର୍ଶନ ଲାଗି ଆଜି ଲକ୍ଷାଧିକ ଭକ୍ତ ଏକାଠି ହୋଇଥାନ୍ତି । ଏଠାରେ ବିବାହିତା ମହିଳାମାନେ ନିଜ ସ୍ୱାମୀଙ୍କ ପାଇଁ ଓ ଅବିବାହିତ ଝିଅ ଶିବଙ୍କ ଭଳି ସ୍ୱାମୀ ପାଇବା ପାଇଁ ମାନସିକ ରଖି ପୂଜା କରିଥାନ୍ତି ।

Share Post
  • 51
  •  
  •  
  •  
  •  
  •  
  •  
  •  
    51
    Shares

Leave a Reply

Your email address will not be published. Required fields are marked *

20 − 1 =