ଦୈନନ୍ଦିନ କେମିତି ହୁଏ ମହାପ୍ରଭୁଙ୍କ ସେବା ପୂଜା

ଭୁବନେଶ୍ବର: ପରଂବ୍ରହ୍ମ ପରାମାତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନିବାସସ୍ଥଳୀ ହେଉଛି ନୀଳାଚଳ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସେବା ପାଇଁ ବଂଶାନୁକ୍ରମିକ ଭାବେ ୧୧୯ ପ୍ରକାରର ସେବକ କାର୍ଯ୍ୟରତ ଅଛନ୍ତି। ସାଧାରଣ ମଣିଷର ଜୀବନ ଚର୍ଯ୍ୟା ଭଳି ମହାପ୍ରଭୁ ମଧ୍ୟ ଦୈନନ୍ଦିନ ସେସବୁ କାର୍ଯ୍ୟ କରିଥାନ୍ତି।

ମହାପ୍ରଭୁ ଯେଭଳି ଅବ୍ୟକ୍ତ, ତାଙ୍କ ସେବା ପୂଜା ମଧ୍ୟ ସେଭଳି ଆକର୍ଷଣୀୟ। ଶ୍ରୀମନ୍ଦିରରେ ପାଳିତ ହେଉଥିବା ରୀତିନୀତି ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରମାନଙ୍କରେ ପାଳନ କରାଯିବା ଦୁର୍ବୋଧ୍ୟ। ହେଲେ ମହାପ୍ରଭୁଙ୍କର ଦୈନନ୍ଦିନ ହେଉଥିବା ୨୪ଟି ନୀତି ସେମାନଙ୍କୁ ପାଳନ କରିବାକୁ ହେବ। ଶ୍ରୀମନ୍ଦିର ପରମ୍ପରା ସଂପର୍କରେ ଶ୍ରୀଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏଭଳି ଅନୁଶାସନ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ଏ ସଂକ୍ରାନ୍ତ ପୁସ୍ତିକା ମଧ୍ୟ ପ୍ରକାଶ ପାଇଛି।

ଦ୍ବାରଫିଟା ନୀତି ହେଉଛି ସର୍ବପ୍ରଥମ। ସୂ୍ର୍ଯ୍ୟୋଦୟ ପୂର୍ବରୁ ଏହି କାର୍ଯ୍ୟ ସମାହିତ ହେବା ଦରକାର। ବ୍ରାହ୍ମ ମୁହୂର୍ତରେ ମଙ୍ଗଳ ଆଳତି କରାଯିବା ଉଚିତ୍, ଯେଉଁଥିରେ କର୍ପୁରବତି, ବଳିତା ଓ ପିଠଉ ଆଳତି ସନ୍ନିବେଶିତ।ଏହା ପରେ ଶ୍ରୀବିଗ୍ରହମାନଙ୍କର ମଇଲମ ଅର୍ଥାତ୍ ବସ୍ତ୍ର, ଅଳଙ୍କାର, ମାଳଚୂଳ, ବେଶ ଆଦି ଓଲାଗି ହେବ। ଦିନକୁ ମହାପ୍ରଭୁଙ୍କର ୬ଥର ମଇଲମ କରାଯିବାର ବିଧି ରହିଛି। ଏହା ପରେ ସ୍ନାନ ବା ଅବକାଶ ଉଦ୍ଦେଶ୍ୟରେ ଶ୍ରୀଜିଉମାନଙ୍କୁ ଗାମୁଛା ଭଳି ସୂତା ବସ୍ତ୍ର ପରିଧାନ କରାଯିବ, ଯାହାକୁ ତଡପ ଲାଗି ବୋଲି କୁହାଯାଇଥାଏ।

ସିଂହାସନରେ ମହାପ୍ରଭୁଙ୍କର ଦନ୍ତ ମାର୍ଜନ କରାଯାଏ ଓ ସ୍ନାନ ବିଧି ଅନୁଷ୍ଠିତ ହୁଏ, ଯାହାକୁ ଅବକାଶ ବୋଲି କୁହାଯାଏ। ପରେ ମଇଲମ କରାଯାଏ ଏବଂ ବସ୍ତ୍ର ଓ ପୁଷ୍ପ ମାଧ୍ୟମରେ ଠାକୁରେ ବେଶ ହୁଅନ୍ତି। ଏବେ ଭକ୍ତମାନେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରନ୍ତି, ଯାହାକୁ ସାହାଣ ମେଲା କୁହାଯାଏ। ସେପଟେ ରୋଷଶାଳାରେ ମହାପ୍ରଭୁଙ୍କ ପାକ କାର୍ଯ୍ୟ ଲାଗି ରୋଷ ହୋମ କରାଯାଏ।

ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ଆରମ୍ଭ ପୂର୍ବରୁ ସୂର୍ଯ୍ୟ ପୂଜା ନୀତି ନିଶ୍ଚିତ ହେବ। ଠାକୁରଙ୍କ ପ୍ରଥମ ଭୋଗକୁ ଗୋପାଳ ବଲ୍ଲଭ କୁହାଯାଏ, ଯେଉଁଥିରେ ମହାପ୍ରଭୁ ଖଇ, କୋରା, ସର, ଖୁଆମୁଣ୍ଡା, ଦହି, ଖୁଦି ନଡିଆ ଆଦି ପାଇଥାନ୍ତି। ଶ୍ରୀବିଗ୍ରମାନଙ୍କର ପ୍ରଥମ ଅନ୍ନଭୋଗ ହେଉଛି ସକାଳ ଧୂପ। ଏଥିରେ ପିଠା, ଅନ୍ନ ଓ ଖେଚୁଡି ଇତ୍ୟାଦି ଭୋଗଲାଗି କରାଯାଇଥାଏ। ଧୂପ ପରେ ପୂର୍ବ ବେଶ ଓଲାଗି ହୁଅନ୍ତି ଓ ନୂଆ ବେଶରେ ମହାପ୍ରଭୁ ଦର୍ଶନ ଦିଅନ୍ତି।

ସର୍ବସାଧାରଣଙ୍କ ଲାଗି ଭୋଗ ମଣ୍ଡପରେ ଭୋଗ ଲାଗି କରାଯାଇଥାଏ। ଯାହାକୁ ଦୈନନ୍ଦିନ ଆନନ୍ଦବଜାରରେ ଶ୍ରଦ୍ଧାଳୁ ପାଇଥାନ୍ତି। ଏଥିରେ ଶ୍ରୀମନ୍ଦିର ପାଣ୍ଠି ବ୍ୟବହାର ହୋଇନଥାଏ। ପରେ ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ହୁଏ ଓ ଦିବା ପହୁଡ ଅନୁଷ୍ଠିତ ହୁଏ। କିଛି ସମୟ ଅନ୍ତରରେ ଦ୍ବାରଫିଟା ନୀତି ହୁଏ। ସନ୍ଧ୍ୟା ଆଳତୀ ପୂର୍ବରୁ ଠାକୁରଙ୍କର ପୁଣି ମଇଲମ ଓ ନୂତନ ବେଶ ଲାଗି କରାଯାଇଥାଏ। ସନ୍ଧ୍ୟା ଧୂପକୁ କେହି କେହି ରାତ୍ରିକାଳୀନ ଧୂପ ବୋଲି କହିଥାନ୍ତି। ଏହି ଧୂପ ପରେ ଗର୍ଭଗୃହ ସଫା ହୋଇଥାଏ ଏବଂ ପ୍ରଭୁଙ୍କ ବେଶ ଓଲାଗି ସହିତ ନୂତନ ବେଶ ହୋଇଥାନ୍ତି।

ରାତ୍ର ସମୟରେ ଶ୍ରୀ ବିଗ୍ରହମାନଙ୍କୁ ଚନ୍ଦନ ଲାଗି କରାଯାଇଥାଏ। ପରେ ଗୀତଗୋବିନ୍ଦ ଖଣ୍ଡୁଆ ଲାଗି ହୋଇଥାନ୍ତି। କରପଲ୍ଲଭ, ପଦକ, ନାକଚଣା, ଚନ୍ଦ୍ରିକା, କୁଣ୍ଡଳ, ଶ୍ରୀପୟର ମାଳ ଇତ୍ୟାଦିରେ ମହାପ୍ରଭୁଙ୍କ ବେଶ କରାଯାଇଥାଏ। ବଡ଼ ସିଂହାର ବେଶ ସରିବା ପରେ ଠାକୁରେ ଦହି ପଖାଳ, କଦଳୀ ବଡ଼ା, ଅନ୍ୟାନ୍ୟ ପିଠା ଆଦି ଭୋଗ ଲାଗି ହୁଅନ୍ତି। ଏଥିସହିତ ରାତ୍ର ପହୁଡ଼ ନୀତି ଆରମ୍ଭ ହୁଏ।

ଏହାଛଡ଼ା ମହାପ୍ରଭୁଙ୍କର କିଛି ବିଶେଷ ନୀତି ପାଳନ କରାଯିବା ବିଧେୟ।

Share Post

Leave a Reply

Your email address will not be published. Required fields are marked *

twenty − fourteen =