ଓଡ଼ିଶାରେ କାଳୀ: କେଉଁଠି କେମିତି

ଭୁବନେଶ୍ୱର: କେବଳ ଶ୍ରୀମନ୍ଦିରରେ ବିମଳା ନୁହେଁ, କି ହରଚଣ୍ଡୀ, ରାମଚଣ୍ଡୀ । ଓଡ଼ିଶାର କୋଣ ଅନୁକୋଣରେ ଅନେକ ଶାକ୍ତ ପୀଠ ରହିଛି, ଯେଉଁଠାରେ କାଳୀଙ୍କ ଉପାସନା କରାଯାଇଥାଏ । ଯେମିତିକି ପୁରୀରେ ଚର୍ତୁଭୁଜା ଶ୍ୟାମାକାଳୀଙ୍କ ମନ୍ଦିର ରହିଛି । ଏହା ବହୁ ପୂରାତନ ମନ୍ଦିର ଭାବେ ଜଣାଶୁଣା । ପାଖାପାଖି ୪ଫୁଟ ଉଚ୍ଚତା ବିଶିଷ୍ଟ ଦେବୀଙ୍କ ଉଭୟ ପାର୍ଶ୍ୱରେ ବିମଳା ଓ ସର୍ବମଙ୍ଗଳା ବିରାଜିତା । ଶ୍ୟାମାକାଳୀଙ୍କ ଗଜପତି ମହାରାଜାଙ୍କ ଆରାଧ୍ୟା ଭାବେ ଜଣାଶୁଣା । ଗଜପତିଙ୍କ ଅଭିଷେକ ପରେ ସିଂହାସନ ଆରୋହଣ କରିବା ପୂର୍ବରୁ ମାଆ ଶ୍ୟାମାକାଳୀଙ୍କୁ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି ।

ସେହିଭଳି ଶ୍ରୀମନ୍ଦିର ଦକ୍ଷିଣ-ପୂର୍ବ କୋଣରେ ମାଆ ଦକ୍ଷିଣକାଳୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଦେବୀଙ୍କ ମୁଖ କିନ୍ତୁ ପୂର୍ବ ଦିଗକୁ ରହିଛି । ଦେବୀ ଏଠାରେ ଚର୍ତୁଭୁଜା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଶାଳାର ମୁରବି ଭାବେ ଜଣାଶୁଣା ।

ପୁରୀ ଜିଲ୍ଲାର ବୀରଗୋବିନ୍ଦପୁର, ସମଯାଜପୁର ଓ ବୀର ପ୍ରତାପପୁରରେ ମଧ୍ୟ କାଳୀ ପୂଜା ପାଆନ୍ତି । ବିଶ୍ୱାସ ରହିଛି, ବୀରଗୋବିନ୍ଦପୁରରେ ମାଆ ଦକ୍ଷିଣକାଳୀ ବହୁତ ଉଗ୍ର ଓ ପ୍ରତ୍ୟକ୍ଷ । ଏକଦା ଜଣେ ବଙ୍ଗାଳୀ ବ୍ରାହ୍ମଣ କୋଲକାତାରୁ ଆସି ଏଠାରେ ଦେବୀଙ୍କୁ ସ୍ଥାପନ କରିଥିଲେ । ଅନୁରୂପ ଭାବେ ଅନ୍ୟ ଦୁଇ ଶାସନରେ ମଧ୍ୟ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି ।

ଭଦ୍ରକ ସହର ଠାରୁ ଆଠ କିଲୋମିଟର ଦୂର ଅଗରପଡାରେ ମାଆ ଭଦ୍ରକାଳୀ ପୂଜା ପାଆନ୍ତି । ଭଦ୍ରକାଳୀଙ୍କ ନାମାନୁସାରେ ଭଦ୍ରକ ସହର ନାମିତ ହୋଇଥିବା କୁହାଯାଏ । କିମ୍ୱଦନ୍ତୀ ଅନୁସାରେ, ଦେବୀ ମୟୂରଭଞ୍ଜ ଜିଲ୍ଲା ମେଘାସନ ପାହାଡ ଗୁମ୍ଫାରେ ପୂଜା ପାଉଥିଲେ । ସେଠାରେ ଜଣେ ଋଷି ତାପସ ତାଙ୍କର ପୂଜାର୍ଚ୍ଚନା କରୁଥିଲେ । ପରେ ତାଙ୍କର ଜଣେ ଶିଷ୍ୟ ଭଦ୍ରନାଥ ଦେବୀଙ୍କୁ ଭଦ୍ରକ ପର୍ଯ୍ୟନ୍ତ ଆଣିଛନ୍ତି ।

ଭଦ୍ରକ ଭଳି ନୟାଗଡ ଜିଲ୍ଲାରେ ମାଆ ଦକ୍ଷିଣକାଳୀ ହେଉଛନ୍ତି, ଆରାଧ୍ୟ ଦେବୀ ଭାବେ ପୂଜିତା । କୁହାଯାଏ, ଦେବୀଙ୍କୁ ରାଜା ପରିବାର ସହ ଜଡିତ ଜଣେ ତାନ୍ତ୍ରିକ ଏଠାରେ ପ୍ରତିଷ୍ଠା କରାଇଛନ୍ତି । ସଂପୃକ୍ତ ବ୍ୟକ୍ତି ଥରେ ଖଣ୍ଡପଡାରୁ ଗୋଟିଏ ଆମ୍ୱ ବଗିଚା ଦେଇ ଆସୁ ଆସୁ ଦେବୀଙ୍କ ବାଟ ଓଗାଳିଥିଲେ । ତାନ୍ତ୍ରିକ ତାଙ୍କୁ ବନ୍ଦୀ କରି ନୟାଗଡ ଯାଏ ଆଣିଥିଲେ ।

ଚିଲିକା ମଧ୍ୟରେ ଥିବା ଦେବୀ କାଳିଯାଇଙ୍କୁ ନେଇ ଅନେକ ଲୋକକଥା ରହିଛି । ହେଲେ ଗୋଟିଏ ମତ ରହିଛି ଯେ କାଳିଯାଇ ମଧ୍ୟ ମାଆ କାଳୀ । ଡ. ରାଧାଚରଣ ପଣ୍ଡାଙ୍କ ପାରିକୁଦ ଇତିହାସ ପୁସ୍ତକରେ ଦର୍ଶାଯାଇଛି ଯେ ମାଆ କାଳିଯାଇଙ୍କ ମନ୍ଦିର ୧୭୧୭ ମସିହାରେ ନିର୍ମିତ । ବଙ୍କଡ (ବର୍ତମାନ ବାଣପୁର) ରାଜା ଶ୍ରୀ ଜଗନ୍ନାଥ ମାନସିଂହ ଦେବୀଙ୍କ ମନ୍ଦିର ନିର୍ମାଣ କରିଥିଲେ । ପଣ୍ଡିତ ଗୋଦାବରିଶ ମିଶ୍ର ତାଙ୍କ କବିତାରେ ଉଲ୍ଲେଖ କରିଛନ୍ତି, ଯାଇ ନାମକ ଏକ ଝିଅ, ପାରିକୁଦ ଦ୍ୱୀପରେ ବିବାହ କରିବାକୁ ଯାଉଥିଲେ । ଅକସ୍ମାତ ଝଡରେ ଡଙ୍ଗା ବୁଡିଯାଇଥିଲା । ଯାଇ ପ୍ରାଣ ହରାଇଥିଲେ ଓ ସେ କାଳିଯାଇ ନାମରେ ପୂଜିତା । ଏହା କବିଙ୍କ କଳ୍ପନା ହୋଇପାରେ, ମାତ୍ର ଅନେକଙ୍କ ମତରେ କାଳି ସେଠାର ଆରାଧ୍ୟ ଦେବତା । ଏସବୁ ବ୍ୟତୀତ ମାହାଙ୍ଗା ସିପୁରାରେ ମାଆ କାଳୀଙ୍କ ମନ୍ଦିର ରହିଛି । ରାଜଧାନୀ ଭୁବନେଶ୍ୱର ସତ୍ୟନଗର, ବରମୁଣ୍ଡାରେ ବି । କେନ୍ଦ୍ରାପଡାରେ ମଧ୍ୟ ମାଆ କାଳୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଦେବୀ ସେଠାରେ ଏବେ ବି ପୂଜା ପାଉଛନ୍ତି ।

Share Post

Leave a Reply

Your email address will not be published. Required fields are marked *

sixteen + 19 =