ଚକ୍ରକ୍ଷେତ୍ର କେଉଁଠି? କିଏ ପୂଜା ପାଆନ୍ତି?

ଭୁବନେଶ୍ୱର: ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ବିଶ୍ୱବିଦିତ । ଠାକୁରେ ଏଠାରେ ଦାରୁବ୍ରହ୍ମ ରୂପେ ପୂଜା ପାଆନ୍ତି । ଅଧାଗଢା ଅବସ୍ଥାରେ ମହାପ୍ରଭୁ ବିଦ୍ୟମାନ ଓ ସେମିତି ହିଁ ଦର୍ଶନ ଦେଇଥାନ୍ତି ଭକ୍ତଙ୍କୁ । ଆଉ ଏହି ଦର୍ଶନ ପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରତ୍ୟହ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି ।
ସେମିତି ମନ୍ଦିର ମାଳିନୀ ସହର ଭାବେ ରାଜଧାନୀ ଭୁବନେଶ୍ୱର ଜଣାଶୁଣା । ପ୍ରଭୁ ସ୍ୱୟଂ ଲିଙ୍ଗରାଜ ଏଠାରେ ପୂଜା ପାଆନ୍ତି । ଯୁଆଡେ ଦେଖିଲେ ଶିବ ମନ୍ଦିର ଭିତରରୁ ଓଁ କାର ଧ୍ୱନୀ ଶୁଭିଥାଏ । ହେଲେ ଏହା ଭିତରେ ପ୍ରଭୁ ଶ୍ରୀକୃଷ୍ଣ ପୂଜା ପାଆନ୍ତି । ଲିଙ୍ଗରାଜ ମନ୍ଦିରର ଅନତି ଦୂରରେ ପ୍ରଭୁଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳେ ।
କୌତୂହଳର କଥା ହେଲା, ପୁରୀରେ ପ୍ରଭୁ ଅଧାଗଢା ଅବସ୍ଥାରେ ଅଛନ୍ତି । ହେଲେ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ବଳରାମ, ସୁଭଦ୍ରା ଓ ଶ୍ରୀକୃଷ୍ଣଙ୍କର ପୂର୍ଣ୍ଣାଙ୍ଗ ମୂର୍ତି ପୂଜା ପାଆନ୍ତି । ଏଠାରେ ପ୍ରଭୁ ଦାରୁରେ ନୁହେଁ, ବରଂ କଳା ମୁଗୁନି ପଥରରେ ନିର୍ମିତ ହୋଇଛନ୍ତି । ବଳରାମଙ୍କୁ ଅନନ୍ତ ଓ ଶ୍ରୀକୃଷ୍ଣଙ୍କୁ ବାସୁଦେବ ଭାବେ ପୂଜା କରାଯାଇଥାଏ । ଭୁବନେଶ୍ୱରରେ ବିଷ୍ଣୁଙ୍କର ଏହି ଗୋଟିଏ ମାତ୍ର ମନ୍ଦିର ରହିଛି । କେବଳ ସେତିକି ନୁହେଁ, ପୁରୀକୁ ଯେମିତି ଶଙ୍ଖ କ୍ଷେତ୍ର ବୋଲି କୁହାଯାଇଥାଏ, ଭୁବନେଶ୍ୱର ସେମିତି ଚକ୍ର କ୍ଷେତ୍ର ଭାବେ ଜଣାଶୁଣା ।
ଇତିହାସ ପୃଷ୍ଠା ଓଲଟାଇଲେ ଦେଖାଯାଏ, ୧୨୭୮ ମସିହାରେ ଅନନ୍ତ ବାସୁଦେବ ମନ୍ଦିର ନିର୍ମାଣ କରାଯାଇଛି । ଏବେ ଯେଉଁଠାରେ ପ୍ରଭୁ ପୂଜା ପାଉଛନ୍ତି, ସେଠାରେ ଶ୍ରୀକୃଷ୍ଣ ପୂଜା ପାଉଥିଲେ । ସେ ସମୟରେ ତୃତୀୟ ଅନଙ୍ଗ ଭୀମଦେବଙ୍କର ଝିଅ ରାଣୀ ଚନ୍ଦ୍ରିକା ଦେବୀ ପ୍ରଭୁଙ୍କ ମନ୍ଦିର ନିର୍ମାଣ କରିଥିଲେ । ପଞ୍ଚରଥ ଶୈଳୀରେ ନିର୍ମିତ ଏହି ମନ୍ଦିର ପରବର୍ତୀ ସମୟରେ ୧୭ଶହ ଖ୍ରୀଷ୍ଟାଦ୍ଦରେ ମରହଟ୍ଟାମାନଙ୍କ ଦ୍ୱାରା ପୁନଃନିର୍ମାଣ କରାଯାଇଥିଲା ।
ଏଠାରେ ପ୍ରଭୁଙ୍କୁ ପୁରୀ ଭଳି ମହାପ୍ରସାଦ ଭୋଗ କରାଯାଇଥାଏ । ଅନନ୍ତଙ୍କ ଉପରେ ସପ୍ତଫେଣୀ ନାଗ ବିରାଜମାନ କରୁଛନ୍ତି । ଦେବୀ ସୁଭଦ୍ରାଙ୍କର ଗୋଟିଏ ହାତରେ ସୁନା ପାତ୍ର ଓ ଅନ୍ୟ ହାତରେ ପଦ୍ମ ରହିଛି । ଏବଂ ସ୍ୱୟଂ ବାସୁଦେବ ଶଙ୍ଖ, ଚକ୍ର, ଗଦା, ପଦ୍ମ ସହିତ ବିରାଜମାନ କରିଛନ୍ତି ।

Share Post
  • 32
  •  
  •  
  •  
  •  
  •  
  •  
  •  
    32
    Shares

Leave a Reply

Your email address will not be published. Required fields are marked *

8 + 4 =