ଏମିତି ଜଣେ ଠାକୁର, ଯାହାର ମନ୍ଦିର କେବଳ ମହାଷ୍ଟମୀ, ଦଶହରାରେ ଖୋଲେ

ଭୁବନେଶ୍ୱର: ପାଟଣାଗଡ ବା ବଲାଙ୍ଗୀରର ପାଟଣେଶ୍ୱରୀ ଯେଭଳି ଆରାଧ୍ୟା ଦେବୀ, ସେମିତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାଜଉଅାସ ପରିସରରେ ମାଅା ମାଣିକେଶ୍ୱରୀ ପୂଜା ପାଆନ୍ତି । ଏଠାରେ ଦେବୀ ପୂଜାର ମହତ୍ତ୍ୱ ନିଆରା । ଏକଦା ଏଠାରେ ନରବଳି ଦିଆଯାଉଥିବା ପ୍ରବାଦ ଅଛି । 

କିମ୍ୱଦନ୍ତୀ କହେ,ନାଗବଂଶୀ ରାଜା ଫତେ ନାରାୟଣ ଦେଓ ବିପତ୍ତିରୁ ରକ୍ଷାପାଇବା ପାଇଁ ଭବନୀପାଟଣା ଠାରେ ଅାଦିବାସୀ ପୂଜିତା ଦେବୀ ମାଅା ମାଣିକେଶ୍ୱରୀଙ୍କ ଶରଣାପନ୍ନ ହୋଇଥିଲେ । ଅାଉ ମାଣିକେଶ୍ୱରୀଙ୍କୁ ନିଜର ଇଷ୍ଟ ଦେବୀ ରୂପେ ପୂଜା କରୁଥିଲେ । ମନ୍ଦିରରେ ମହାକାଳ ଭୈରବ ବୁଢ଼ା ରାଜା ନାମରେ ପୂଜା ପାଇଥାନ୍ତି । ତାଙ୍କ ମନ୍ଦିରର ଦ୍ୱାର ବର୍ଷସାରା ବନ୍ଦ ଥିବା ବେଳେ କେବଳ ମହାଷ୍ଟମୀ, ଦଶହରା ଦିନ ମଧ୍ୟ ରାତ୍ରରେ ଖୋଲାଯାଇ ଗଣ୍ଡ ପୂଜା ହୋଇଥାଏ । କଳାହାଣ୍ଡି ଜିଲ୍ଲାର ଥୂଅାମୂଳ ମାଣିକେଶ୍ୱରୀଙ୍କ ଅାଦ୍ୟପୀଠ ବୋଲି କୁହାଯାଏ ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ୟତୀତ ଥୂଅାମୂଳ, ଥୂଅାମୂଳ-ରାମପୁର,ଯୁଗସାଇ ପାଟଣା ଓ କାଶୀପୁର ଠାରେ ମାଣିକେଶ୍ୱରୀଙ୍କ ମନ୍ଦିର ଥିବାବେଳେ ମୁଖିଗୁଡ଼ା ନିକଟରେ ଥିବା ତାଳଗୁଡଠାରେ ଡୋକରୀ ମନ୍ଦିର ରହିଛି ।

ମାଅା ମାଣିକେଶ୍ୱରୀଙ୍କ ଅାଶ୍ୱିନ ମାସରେ ଅନୁଷ୍ଠିତ ହୋଇଥିବା ଛତର୍‍ ଯାତ୍ରା ସର୍ବଶ୍ରେଷ୍ଠ ଓ ପ୍ରସିଦ୍ଧ ଯାତ୍ରା । ମହାଷ୍ଟମୀର ମଧ୍ୟରାତ୍ରରେ ମାଅା ମାଣିକେଶ୍ୱରୀଙ୍କ ପୀଠରେ ଛାଗଳ, ମହାପଶୁ(ପୋଢ଼),ବନ୍ୟ ପଶୁ (ବାରହା) ଅାଦି ବଳି ଦିଅାଯାଏ । ପୂର୍ବରୁ ମାଅାଙ୍କ ସମ୍ମୁଖରେ ମେରିଅା ବା ନରବଳି ଦିଅାଯାଉଥିଲା । ବିଜୟା ଦଶମୀ ତିଥିରେ ଭବାନୀପାଟଣା ସହରର ନକଟିଗୁଡାର ଲାଖମରା ପଡ଼ିଅାକୁ ମାଅା ମାରିକେଶ୍ୱରୀଙ୍କ ଛତର୍‍କୁ ନିଅାଯାଇଥାଏ । ସେଠାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ସହ ଲାଖବିନ୍ଧା ଯାଇଥାଏ । ପୂଜାମଣ୍ଡପ ନିକଟରେ ଥିବା ଅାମ୍ୱଗଛ ଉପରେ ଛୋଟଛୋଟ ହାଣ୍ଡିରେ ନିର୍ମିତ ଲାଖ ବନ୍ଧା ଯାଇଥାଏ । ଲାଖମରା ସରିବା ପରେ ମାଅାଙ୍କ ଛତର୍‍ କୁ ମନ୍ଦିରକୁ ଅଣାଯାଇଥାଏ । ଏହାକୁ ବାହୁଡା ଛତର୍‍ ଯାତ୍ରା କୁହାଯାଏ । 

ଲୋକ ବିଶ୍ୱାସ ରହିଛି, ମାଅା ମାଣିକେଶ୍ୱରୀ ବର୍ଷକେ ଥରେ ଛତର୍‍ ଭାବେ ବାହାରକୁ ଅାସି ଭକ୍ତମାନଙ୍କ ଦଃୁଖ ଶୁଣିଥାଅାନ୍ତି । 

Share Post

Leave a Reply

Your email address will not be published. Required fields are marked *

four × five =