ଏଠି ବିଷ୍ଣୁ ଓ ଦୁର୍ଗା ଭାଇ ଭଉଣୀ

ଭୁବନେଶ୍ୱର: ଓଡ଼ିଶାରେ ଏମିତି ଅନେକ ମନ୍ଦିର ଓ ପରମ୍ପରା ରହିଛି, ଯାହା ଆମ ସଂସ୍କୃତି, ଭାସ୍କର୍ଯ୍ୟ, ଐତିହ୍ୟକୁ ବେଶ୍‍ ସମୃଦ୍ଧ କରିଥାଏ । ଏସବୁ ସ୍ଥାନ କେବଳ ଯେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ପାଇଁ ଉଦ୍ଦିଷ୍ଟ ତା ନୁହେଁ, ମନ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଠାରୁ ଆରମ୍ଭ କରି ସମାଜକୁ ଏକାଠି କରିବାରେ ଏହା ପ୍ରମୁଖ ମାଧ୍ୟମ ଅଟେ । ଓଡ଼ିଶାରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମତବାଦ ପ୍ରତିଷ୍ଠା ହୋଇଛି । ସେ ଅନୁସାରେ ଦେବତା, ମନ୍ଦିର ଓ ପରମ୍ପରାର ଅଭ୍ୟୁଦୟ ଘଟିଛି । ହେଲେ ଏହାର ଦୀର୍ଘ ବର୍ଷ ପରେ ଆମେ ଯେତେବେଳେ ଏସବୁର ମହନୀୟତା ଓ ଆବଶ୍ୟକତାକୁ ନିରେଖି ଦେଖୁଛନ୍ତି, କେଉଁଠି ନା କେଉଁଠି ଏହା ସୂଚାଇ ଦେଉଛି ଯେ ସମସ୍ତଙ୍କର ଉଦ୍ଦେଶ୍ୟ ଏକ ଥିଲା ।
ଏହି କ୍ରମରେ କଟକର ନିଆଳି ମାଧବଙ୍କ ମନ୍ଦିରର ବାର୍ତା ଓଡ଼ିଶାକୁ ଭିନ୍ନ ଏକ ସଙ୍କେତ ଦିଏ । ଏହି ମନ୍ଦିର ପ୍ରତିଷ୍ଠା ପଛର ଇତିହାସ ଅତ୍ୟନ୍ତ ଗହନ । ଗୋଟିଏ ସମୟରେ ପ୍ରାଚୀ ଉପତ୍ୟକାରେ ଦ୍ୱାଦଶ ଶାକ୍ତ ମନ୍ଦିର ଓ ଦ୍ୱାଦଶ ବିଷ୍ଣୁ ମନ୍ଦିର ପ୍ରତିଷ୍ଠା କରାଯାଇଛି । ତା ମଧ୍ୟରୁ ମାଧବ ମନ୍ଦିର ଅନ୍ୟତମ । ୧୩ଶ ଶତାଦ୍ଦୀର ମଧ୍ୟଭାଗରେ ପ୍ରତିଷ୍ଠା ହୋଇଥିବା ମାଧବ ହେଉଛନ୍ତି ବିଷ୍ଣୁଙ୍କର ଅନ୍ୟତମ ରୂପ । ପ୍ରଭୁ ଏଠାରେ କମନୀୟ ରୂପ ଧାରଣ କରି ବିରାଜମାନ କରୁଛନ୍ତି । ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ନିହିତ ରହିଛି । ଗର୍ଭଗୃହରେ ପ୍ରଭୁଙ୍କର ଏହି ମୂର୍ତିକୁ ବିରଳ ବୋଲି କୁହାଯାଇଥାଏ ।
ଏହି ମନ୍ଦିରର ବଡ ବିଶେଷତ୍ୱ ହେଉଛି, ଏଠାରେ ମାଆ ଦୁର୍ଗା ପୂଜା ପାଆନ୍ତି । ମନ୍ଦିର ଜଗମୋହନ ଓ ନାଟମଣ୍ଡପରେ ବିଷ୍ଣୁଙ୍କ ଦଶ ଅବତାର, କଳା ଗ୍ରାନାଇଟ୍‍ ପଥରରେ ସୁଦର୍ଶନ ଚକ୍ର ଓ ପ୍ରଭୁଙ୍କ ଅନନ୍ତ ଶୟନ ମୂର୍ତି ରହିଛି । ମାଆ ଦୁର୍ଗା ମଧ୍ୟ ଏଠାରେ ସ୍ୱତନ୍ତ୍ର ଆରାଧ୍ୟା । ତାଙ୍କୁ ମାଧବଙ୍କ ଭଗ୍ନୀ ରୂପରେ ପୂଜା କରାଯାଏ ।
ଏଠାରେ ପ୍ରକାଶଥାଉକି, ଓଡ଼ିଶାରେ ଦୁର୍ଗାମାଧବ ପରମ୍ପରା ଅନନ୍ୟ । ଶ୍ରୀମନ୍ଦିରରେ ଦଶହରା ସମୟରେ ମାଧବ ମାଆ ବିମଳାଙ୍କ ପାଖରେ ପୂଜା ପାଆନ୍ତି । ପୁରୀ ଜିଲ୍ଲାର ବିଭିନ୍ନ ଶାସନ ବାଡରେ ଦୁର୍ଗା ମାଧବ ପରମ୍ପରା ଆଜି ବି ରହିଛି । ଶ୍ରୀକୃଷ୍ଣ ଓ କନକ ଦୁର୍ଗା ପ୍ରାୟ ପ୍ରତି ଗାଁର ମୁଖିଆ । ଏହା ନାରୀ ଶକ୍ତିର ପରାକାଷ୍ଠା ସଂପର୍କରେ ସ୍ପଷ୍ଟ ସଙ୍କେତ ଦେଉଛି ।
ନିଆଳି ମାଧବ ମନ୍ଦିରରେ କଳା ବାଲି ପଥରରେ ଏକ ବିରଳ ଗରୁଡ ବିଗ୍ରହ ରହିଛନ୍ତି । ଏହା ମଧ୍ୟ ଏକ ବିରଳ ମୂର୍ତିବୋଲି ପ୍ରତ୍ନତତ୍ତ୍ୱବିତ୍‍ମାନେ ଦାବି କରିଛନ୍ତି । କୌତୂହଳର କଥା ହେଲା, ଅନ୍ୟ ଦୁଇ ବିଷ୍ଣୁଙ୍କ ମନ୍ଦିର ଅର୍ଥାତ୍‍ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିର ଓ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିର ସହିତ ନିଆଳି ମାଧବ ମନ୍ଦିରର ଅନେକ ସାମଞ୍ଜସ୍ୟ ରହିଛି । ପଞ୍ଚରଥ ଶୈଳୀରେ ନିର୍ମିତ ଏହି ମନ୍ଦିର ଓଡ଼ିଶାର ଗର୍ବ ଓ ଗୌରବର ଏକ ଅଂଶ ।

Share Post
  • 28
  •  
  •  
  •  
  •  
  •  
  •  
  •  
    28
    Shares

Leave a Reply

Your email address will not be published. Required fields are marked *

two × 2 =