ପାରାଦୀପରେ ରହିଛି ଏକ ଅଲୌକିକ ମନ୍ଦିର

ଭୁବନେଶ୍ୱର: ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଠାକୁରଙ୍କୁ ନେଇ ଓଡ଼ିଶା ମହିମାନ୍ୱିତ । କେଇଁଠି ଶିବଙ୍କୁ ଗୁରୁତ୍ୱ ଦିଆଯାଇଛି, ଆଉ କେଉଁଠି ବିଷ୍ଣୁ । ଆଉ କେଉଁଠାରେ ଆରାଧ୍ୟ ଠାକୁର ଠାକୁରାଣୀ । ହେଲେ, ଏମିତି କିଛି ମନ୍ଦିର ଓଡ଼ିଶାରେ ରହିଛି, ଯେଉଁଠାରେ କି ଅଲୌକିକତା ଦେଖିବାକୁ ମିଳେ । ଏଇ ଯେମିତି ପାରାଦୀପଗଡ ନିକଟରେ ଥିବା ଗଜପୃଷ୍ଠ ମନ୍ଦିର । ଏହି ମନ୍ଦିରର ଗଠନ ଶୈଳୀ ଯେମିତି ସ୍ୱତନ୍ତ୍ର, ଠାକୁରଙ୍କ ପୂଜା, ନୀତି ଆଦି ମଧ୍ୟ ସେମିତି ।
ଗଜପୃଷ୍ଠ ଉପରେ ମନ୍ଦିରଟି ନିର୍ମିତ ହୋଇଥିବାରୁ ଏହାକୁ କେହି କେହି ଗଜପୃଷ୍ଠ ମନ୍ଦିର ବୋଲି କହିଥାନ୍ତି । ଏଠାରେ ପ୍ରଭୁ ଲୋକନାଥ ପୂଜା ପାଆନ୍ତି । ପାରାଦୀପଗଡ଼ ନିକଟରେ ଯାଇଥିବା ପାଞ୍ଚ ନମ୍ୱର ଜାତୀୟ ରାଜପଥ ଠାରୁ ଉତ୍ତର ଦିଗ ପଟେ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଏହି ଗଜପୃଷ୍ଠ ଶ୍ରୀ ଲୋକନାଥ ମନ୍ଦିର ।
ପାରାଦୀପଗଡ଼ର ସ୍ଥାପନାର ବହୁ ପୂର୍ବରୁ ସେଠାରେ ଲୋକନାଥ ପୂଜାପାଇ ଅାସୁଥିଲେ । ଯେତେବେଳେ ଗୋବିନ୍ଦ ବିଦ୍ୟାଧର ଭୋଇବଂଶ ପ୍ରତିଷ୍ଠା କରି ଓଡିଶାର ଗଜପତି ହେଲେ ସେ ଏହି ମନ୍ଦିର ନିର୍ମାଣ କରି ବର୍ତ୍ତମାନର ଲୋକନାଥଙ୍କୁ ପ୍ରତିଷ୍ଠା କରିଥିଲେବୋଲି ବିଶ୍ୱାସ କରାଯାଏ । ତେବେ କୌତୂହଳର କଥା ହେଲା, ଏଠାରେ ଶ୍ରୀ ଲୋକନାଥ ଶିବ ଭାବେ ନୁହେଁ, ବରଂ ବିଷ୍ଣୁ ରୂପରେ ପୂଜା ପାଉଛନ୍ତି । ଗଜପୃଷ୍ଠରେ ନିର୍ମିତ ଏହି ମନ୍ଦିରକୁ ଗଜପୀଠ ବୋଲି ବି କେହି କେହି କହିଥାନ୍ତି । ଏକଦା ଗୋବିନ୍ଦ ବିଦ୍ୟାଧର ହାତୀର ଚାରିଗୋଡ ମଧ୍ୟରେ ରହି ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ । ତାହାର ସ୍ମୃତି ସ୍ୱରୂପ ମନ୍ଦିରର ନିର୍ମାଣ ଏଭଳି କରାଯାଇଥିବା କିଛି ପଣ୍ଡିତ ମତ ରଖିଥାନ୍ତି ।
ପ୍ରଥମ ବା ମୁଖ୍ୟ ମନ୍ଦିରର ଫାଟକ ହାତୀର ଦୁଇଗୋଡ ମଧ୍ୟରେ ଲାଗିଅଛି । ଏହାର ଉଚ୍ଚତା ପାଖାପାଖି ୩୦ ଫୁଟ । ଅବଶ୍ୟ ପରବର୍ତ୍ତୀ ସମୟରେ କନିକା ରାଜକୁମାରୀ ଜନାର୍ଦ୍ଦନ ଷଣ୍ଢଙ୍କ ରାଣୀଙ୍କ ଦ୍ୱାରା ବର୍ତ୍ତମାନର ଅନ୍ୟଦୁଇ ମନ୍ଦିର ନିର୍ମାଣ କରାଯାଇଛି । ତେବେ ମୁଖ୍ୟ ମନ୍ଦିରକୁ ବାଦ୍‍ ଦେଲେ ଅନ୍ୟ ଦୁଇ ମନ୍ଦିର ମଧ୍ୟରୁ ଗୋଟିଏ ସପ୍ତପୀଢ଼ ମନ୍ଦିର ଓ ଅନ୍ୟଟି ପୀଢ଼ ମନ୍ଦିର ସଦୃଶ ରାଜସ୍ଥାନ ଶୈଳୀରେ ନିର୍ମିତ । ଅାଠ ଫୁଟ ମୋଟା ନିଦା ବଉଳମାଳିଅା ପଥରରେ ଏହାର ନିର୍ମାଣ ହୋଇଛି । ସ୍ଥାନୀୟ ଅଞ୍ଚଳର ଲୋକମାନେ ଶ୍ରୀଲୋକନାଥଙ୍କୁ ପ୍ରତ୍ୟକ୍ଷ ବୋଲି ମାନନ୍ତି । କାକରା ପ୍ରଭୁଙ୍କର ପି୍ରୟ ଭୋଗ ଅଟେ । ଶ୍ରୀଲୋକନାଥ ନନ୍ଦବଂଶୀୟ ବ୍ରାହ୍‍୍ମଣ ମାନଙ୍କ ଦ୍ୱାରା ପୂଜା ପାଆନ୍ତି ।

Share Post
  • 45
  •  
  •  
  •  
  •  
  •  
  •  
  •  
    45
    Shares

Leave a Reply

Your email address will not be published. Required fields are marked *

1 + 14 =