ମହାଷ୍ଟମୀ ଦିନ ମହାକାଳୀ ବେଶରେ ଦର୍ଶନ ଦିଅନ୍ତି ମାଆ କଟକ ଚଣ୍ଡୀ

ଭୁବନେଶ୍ୱର: ଦେବୀ ପୂଜା ଓ କଟକ ସହର କାହିଁ କେଉଁ କାଳରୁ ସ୍ୱତନ୍ତ୍ର  ପରିଚିତି ଲାଭ କରିଛି । କାରଣ ସେଠାରେ ମାଆ କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀ ବିରାଜିତା । ବର୍ଷତମାମ ଦେବୀଙ୍କ ନିକଟରେ ଶ୍ରଦ୍ଧାଳୁ ଭିଡ ଲଗାଇଥାନ୍ତି । ମାତ୍ର ଦୁର୍ଗାପୂଜା ସମୟର ଚିତ୍ର ରାଜ୍ୟର ଅନ୍ୟ ସବୁ ସହର ଅପେକ୍ଷା ନିଆରା । 

କଟକ ଜିଲ୍ଲାର ଶେଖ୍‍ ବଜାର ଅଞ୍ଚଳରେ ରହିଛି ଚର୍ତୁଭୂଜା ମାତା ତଥା କଟକ ସହରର ଅଧିଷ୍ଠାତ୍ରୀ ଦେବୀ ମାଅା କଟକ ଚଣ୍ଡୀଙ୍କ ମନ୍ଦିର । କିମ୍ୱଦନ୍ତୀ କହେ, ମରହଟ୍ଟା ଶାସନ ପୂର୍ବରୁ କଟକ ଚଣ୍ଡୀଙ୍କ ବିଗ୍ରହ ବାରବାଟୀ ଦୁର୍ଗ ପରିସରରେ ପୂଜା ପାଉଥିଲା । କଳାପାହାଡ ଅାକ୍ରମଣ କାଳରେ ଦେବୀ ସେ ସ୍ଥାନରୁ ଅପସାରିତ ହୋଇ ଦୁର୍ଗର ଦକ୍ଷିଣ ପାର୍ଶ୍ୱରେ କିଛି ଦୂରରେ ରହିଥିଲେ । ପରବର୍ତୀ ସମୟରେ ତାଙ୍କୁ ଏବର ପୀଠକୁ ଅଣାଯାଇଛି ।

ଅନ୍ୟ ଏକ ମତ ରହିଛି, ପ୍ରାୟ ଦୁଇ ଶହରୁ ଅଧିକ ବର୍ଷ ତଳେ ଏଠାରେ ଏକ ଜଙ୍ଗଲିଅା ବୁଦା ଥିଲା । ଗାC ଚରାଇବାକୁ ଯାଇଥିବା ହଂସନାଥ ପଣ୍ଡା ଦିନେ ତା ଭିତରେ ଥିବା ଏକ କୁଦ ଉପରେ ବସିଥିବା ବେଳେ ତାଙ୍କ ଶରୀରରେ ଅପୂର୍ବ ଶିହରଣ ଖେଳିଗଲା । ରାତିରେ ମାଅାଙ୍କୁ ସେ ସ୍ୱପ୍ନ ଦେଖିଲେ । କନିକା ରାଜାଙ୍କୁ ଏକଥା ଜଣାନ୍ତେ ରାଜାଙ୍କ ନିର୍ଦ୍ଦେଶରେ ମାଟିକୁଦଟିକୁ ଖୋଳାଗଲା । କୁହାଯାଏ, କୁଦଟିରୁ ୪୦ ଶଗଡ ସିନ୍ଦୁର ବାହାରିବା ପରେ ମାଅାଙ୍କ ପ୍ରତିମା ବାହାରିଥିଲା । ଏକ ବଉଳ ଗଛ ମୂଳେ ମାଅାଙ୍କ ପ୍ରତିମାକୁ ରଖି ତାଙ୍କର ପୂଜା ଆରମ୍ଭ ହୋଇଥିଲା ।

ମାଅାଙ୍କର ପ୍ରତିଦିନ ପଞ୍ଚ ଉପଚାରରେ ପୂଜା ହୁଏ । ଭୋର ୫ ଟାରେ ପହଡ଼ ଫିଟିବାଠାରୁ ରାତି ୧୦ଟା ପରେ ପହଡ଼ ପଡିବା ଯାଏ ମାଅାଙ୍କର ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ପତ୍ୟେକ ମଙ୍ଗଳ ଓ ଶନିବାର ଦିନ ମାଅାଙ୍କ ପାଖରେ ମାଛ ଭୋଗହୁଏ । ରାଧାଷ୍ଟମୀ ଦିନ ମାଅାଙ୍କର ସ୍ୱତନ୍ତ୍ର ଶୟନ ନୀତି ହେବା ସହିତ ୧୫ ଦିନ ଯାଏ ଶୟନ ପକ୍ଷରେ ମାଅା ନିଦ୍ରା ଯାଆନ୍ତି । 

ମୂଳାଷ୍ଟମୀ ଦିନ ସହସ୍ର କୁମ୍ଭାଭିଷେକ ଓ ଘଟ ସ୍ଥାପନା କରି ମାଅାଙ୍କୁ ଜାଗ୍ରତ କରାଯିବା ସହିତ ଅାରମ୍ଭ ହୁଏ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା । ପ୍ରତ୍ୟେକ ଦିନ ମାଅାଙ୍କୁ ସ୍ୱତନ୍ତ୍ର ବେଶ କରାଯାଏ । ଦଶମୀ ଯାଏ ଏହି ସ୍ୱତନ୍ତ୍ର ପୂଜା ଚାଲେ । ଅଷ୍ଟମୀ ଦିନ ମାଅାଙ୍କର ମହାସ୍ନାନ ସହିତ ମହାକାଳୀ ବେଶ କରାଯାଏ । ସେହିଦିନ ମାଅାଙ୍କର ଦେହରେ ବସ୍ତ୍ର ନଥାଏ, କେବଳ ଅାଭୂଷଣରେ ସଜ୍ଜିତ ହୁଅନ୍ତି । ରାତ୍ରିବିହିତ ପୂଜାରେ ସନ୍ଧିପୂଜା ସହିତ ସେଦିନ ମାଅାଙ୍କ ନିକଟରେ ମାଛ ବଳି ଦିଅାଯାଇଥାଏ । 

Share Post

Leave a Reply

Your email address will not be published. Required fields are marked *

twenty − ten =