ଜୀବନର ରାସ୍ତା ଦେଖାଉଥିବା ଚାରି ଶିଳା

ଭୁବନେଶ୍ୱର: ଧନ ସଂପଦ, ଐଶ୍ୱର୍ଯ୍ୟ ସବୁ ଲାଭ ପରେ ଜୀବନର ସାୟାହ୍ନରେ ପ୍ରତିଟି ସଚେତନ ମଣିଷ ପାପ, ତାପରୁ ମୁକ୍ତି ପାଇବା ସହିତ ପୂର୍ଣ୍ଣ ଆୟୁ, ମୋକ୍ଷ ପ୍ରାପ୍ତି ପାଇଁ ଦେବତାଙ୍କ ଶରଣରେ ଯାଇଥାନ୍ତି । କେହି କେହି ତୀର୍ଥ କରନ୍ତି, ଆଉ କେହି ଭଗବାନଙ୍କ ଶରଣକୁ ଯିବା ପାଇଁ ପ୍ରୟାସ କରିଥାନ୍ତି । ହେଲେ ଆମ ବ୍ୟବସ୍ଥାଟି ଏମିତି ଯେ ଜୀବନର ଶେଷ ମୁହୂର୍ତ ନୁହେଁ, ବରଂ ପ୍ରତିଟି ମୁହୂର୍ତକୁ ଠାକୁରଙ୍କ ପାଦପଦ୍ମରେ ଶରଣ ନେବାର ଅଭ୍ୟାସ ରଖିବାର ଆବଶ୍ୟକତା ରହିଛି । ଯଦି ପାରିବାରିକ ସଂସ୍କାର ସେତିକି ଉଚ୍ଚକୋଟୀର ନଥିବ କିମ୍ୱା ସମର୍ପଣର ଅଭ୍ୟାସ, ତେବେ ଶେଷ ସମୟରେ ମନ, ଶରୀର ସେ ରାସ୍ତାର ପଥିକ ହେବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଥାଏ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି, ଶ୍ରୀକ୍ଷେତ୍ରର ମର୍ଯ୍ୟାଦା ଆମକୁ ଏମିତି କିଛି ରାସ୍ତା ଦେଖାଇଥାଏ । ଥରୁଟିଏ ମହାପ୍ରଭୁଙ୍କୁ ଦର୍ଶନ କରି ଚାଲିଆସିଲେ ମଣିଷ ଏହି ମାର୍ଗରେ ନିଜକୁ ହଜାଇ ଦେବ ତା ନୁହେଁ, ଏଥିପାଇଁ ଶ୍ରୀକ୍ଷେତ୍ରରେ ଚାରିଟି ସ୍ୱତନ୍ତ୍ର ଶିଳା ରହିଛି, ଯାହା ଜୀବନକୁ ସରଳ କରିବାରେ ଯଥେଷ୍ଟ ସାହାଯ୍ୟ କରିିଥାଏ । ପଣ୍ଡିତମାନେ ବିଶ୍ୱାସ କରିଥାନ୍ତି, ଏହି ଚାରି ଶିଳାର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏମାନଙ୍କୁ ସ୍ପର୍ଶ କଲେ ମନୁଷ୍ୟ ସାତଜନ୍ମର ପାପ ଓ ତାପରୁ ମୁକ୍ତି ପାଏ ବୋଲି ଜନମତରେ ବିଶ୍ୱାସ ରହିଛି । ଏମାନଙ୍କୁ ଯମଶିଳା,ପିତୃଶିଳା,ମୁକ୍ତିଶିଳା ଏବଂ କୈବଲ୍ୟଶିଳାବୋଲି ସାଧାରଣରେ ସମସ୍ତେ ଜାଣନ୍ତି ।
ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବାଇଶି ପାହାଚର ଦ୍ୱିତୀୟ ସୋପାନରେ ଯମଶିଳା ରହିଛି । ପୁରାଣ ଗ୍ରନ୍ଥ ତଥା ଶାସ୍ତ୍ର କୁହନ୍ତି, ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କ ଦର୍ଶନ କଲେ ଅକାଳମୃତ୍ୟୁରୁ ରକ୍ଷା ମିଳିବା ସହିତ ସମସ୍ତ ପ୍ରକାର ପାପ ତାପରୁ ମୁକ୍ତି ମିଳିଥାଏ । ଏପରିକି ଭକ୍ତ ପୂର୍ଣ୍ଣଅାୟୁ ଜୀବନ ଧାରଣ କରିଥାନ୍ତି ।
ସେହିପରି ସ୍ୱର୍ଗଦ୍ୱାର ରାସ୍ତାର ଉଗ୍ରେଶ୍ୱର ମଣ୍ଡପ ଅର୍ଥାତ ବାଉଳି ମଠ ସମ୍ମୁଖରେ ପିତୃଶିଳା ରହିଛି । ଏହାକୁ ଦର୍ଶନ କଲେ ପିତୃଲୋକେ ମୁକ୍ତି ପାଇଥାନ୍ତି । ଏହି ଶିଳାକୁ ଯିଏ ଦର୍ଶନ କରିବ ତାର ସାତ ପୁରୁଷ ପର୍ଯ୍ୟନ୍ତ ପିତୃପୁରୁଷ ମୁକ୍ତି ପାଇବା ସହିତ ଭକ୍ତ ଦିବ୍ୟଜ୍ଞାନର ଅଧିଶ୍ୱର ହୋଇଥାନ୍ତି । ଅର୍ଥାତ୍‍ ଯେ କୌଣସି ବ୍ୟକ୍ତି ନିଜ ପିତାମାତାଙ୍କୁ ସୁଖୀ ନ ରଖିଲେ ଦେବତ୍ୱ ଲାଭ କରିବା ସମ୍ଭାବନା କେବଳ କ୍ଷୀଣ ନୁହେଁ, ବରଂ ଜୀବନ ନର୍କଗାମୀ ହେବାର ଭୟ ରହିଛି ବୋଲି ଏହି ଶିଳା ଆମକୁ ଶିକ୍ଷା ଦିଏ । ଏହି ଜୀଅନ୍ତା ଠାକୁରଙ୍କ ନିକଟରେ ବଞ୍ଚିବା ବେଳେ ଯେମିତି ସମର୍ପଣ ଭାବ ରଖିବା କଥା, ସେମାନଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ଆଶୀର୍ବାଦ ନେଲେ ଏହା ପରପିଢୀଙ୍କୁ ଏହା ରାସ୍ତାରେ ନେବା ଲାଗି ବାଟ ଦେଖାଇଥାଏ ।
ଶ୍ୱେତଗଙ୍ଗା ପାଖ ଶ୍ୱେତମାଧବଙ୍କ ପଶ୍ଚିମକୁ ଏବଂ ବରାହୀ ଦେବୀଙ୍କ ପୂର୍ବରୁ ମୁକ୍ତିଶିଳା ସ୍ପର୍ଶମାତ୍ରେ ଜୀବସମସ୍ତ ପ୍ରକାର ପାପତପରୁ ମୁକ୍ତି ପାଇବା ସହିତ ସେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଇଥାଏ । ଏହିଶିଳା ଏତେ ପବିତ୍ର ଯେ,କୈାଣସି ଜୀବ ଶାରିରୀକ କଷ୍ଟ ପାଇ ପ୍ରାଣାନ୍ତକ ହୋଇ ତାର ଶରୀରରୁ ଜୀବ ଛାଡୁନଥିଲେ ଏହି ଶିଳାର ରେଣୁ ତାର ଶରୀରରେ ସ୍ପର୍ଶ କରାଇବେ । ମହାପ୍ରଭୁଙ୍କ ସୃଷ୍ଟିର ସର୍ଜନାର ଏହା ଏକ ବିଶେଷତ୍ୱ ବୋଲି କୁହାଯାଏ । ମଣିଷ ତାଙ୍କ ସୃଷ୍ଟିର ପ୍ରତିଟି ଜିନିଷର ଆବଶ୍ୟକତା ଉପଲବ୍ଧି କରିବା ଲାଗି ଏହାକୁ ଏକ ସଙ୍କେତ ବୋଲି ବିଚାର କରାଯାଏ । ଜୀବସତ୍ତା ରଖିବାକୁ ହେଲେ ଗଛ ପତ୍ର, ଶିଳା, ପାହାଡ, ପର୍ବତର ଜିଇଁବା ବି ଦରକାର, ଏକଥା ପୁରାଣ ଶାସ୍ତ୍ରରେ ଅନେକ ବାର ସୂଚାଇ ଦିଆଯାଇଛି ।
ନୀଳ ପୁରାଣ ମତାନୁଯାୟୀ ଏହି କୈବଲ୍ୟ ଶିଳା ଶଙ୍ଖନାଭି ମଣ୍ଡଳର କେନ୍ଦ୍ରସ୍ଥଳରେ ଅବସ୍ଥିତ । ଏହି ଶିଳାକୁ ଦେବ ବ୍ରାହ୍ମଣମାନେ ପୂଜା କରିଥାନ୍ତି । ଏହି ଶିଳାକୁ ସ୍ପର୍ଶ କଲେ ଭକ୍ତକୁ କୈବଲ୍ୟତ୍ୱ ପ୍ରାପ୍ତି ହୋଇଥାଏ । ଏହା ଏକ ପରମ ପବିତ୍ର ଶିଳା । ଏକାନ୍ତ ଭକ୍ତି,ନିଷ୍ଠା ଓ ଏକାଗ୍ରତାର ସହିତ ଏହି ଶିଳାକୁ ସ୍ପର୍ଶ କରି ଭକ୍ତି ପୂର୍ବକ ପ୍ରଣାମ କଲେ ଭକ୍ତର ଅଭିଷ୍ଟ ପୂରଣ ହୋଇଥାଏ । ପରିବାରର ସର୍ବବିଘ୍ନ ମଙ୍ଗଳ ହେବା ସହିତ ଭକ୍ତର ଯଶ ବୃଦ୍ଧି ହୋଇଥାଏ । ଏହା ମଣିଷକୁ ଏକାଗ୍ରତା ଲାଭ କରିବା ମନ୍ତ୍ର ଶିଖାଇଥାଏ ।

Share Post
  • 99
  •  
  •  
  •  
  •  
  •  
  •  
  •  
    99
    Shares

Leave a Reply

Your email address will not be published. Required fields are marked *

3 + twelve =