କେଉଁ ରାଶିର ବ୍ୟକ୍ତି ଦେଖିପାରିବେ ଚନ୍ଦ୍ରଗ୍ରହଣ

ମଙ୍ଗଳବାର ଅପରାହ୍ନରୁ ଅନ୍ନ ଭୋଜନ ନିଷେଧ
୧୭ ତାରିଖ ଭୋର ସାଢେ ୪ଟାରେ ସର୍ବମୋକ୍ଷ
ଓଡ଼ିଶାରେ ଦୃଶ୍ୟମାନ ହେବ, ଦେବନୀତି ହେବନାହିଁ
ରାତି ୩ଟାରେ ସର୍ବାଧିକ ୬୫ ପ୍ରତିଶତ ଦେଖାଯିବ
ଭାରତ ସମେତ ଅନ୍ୟ କିଛି ଦେଶରେ ମଧ୍ୟ ଦୃଶ୍ୟହେବ

ଭୁବନେଶ୍ୱର: ଆସନ୍ତା ୧୬ ତାରିଖ ଦିନ କେତୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ସମଗ୍ର ଓଡ଼ିଶାରେ ଏହା ଦୃଶ୍ୟ ହେବ । ଏଣୁ ରାଜ୍ୟବାସୀ ଏହାକୁ ପାଳନ କରିବାକୁ ବାଧ୍ୟ ।
ବିଶିଷ୍ଟ ଜ୍ୟୋତିର୍ବିଦ୍‍ କାହ୍ନୁ ଚରଣ ମିଶ୍ରଙ୍କ ଗଣନା ଅନୁଯାୟୀ, ୧୬ ତାରିଖ ରାତି ୧୨ଟା ୧୩ ମିନିଟ୍‍ ୪୯ ସେକେଣ୍ଡରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବେ । ରାତି ୧ଟା ୩୧ ମିନିଟ୍‍ ୪୧ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ୧୭ ତାରିଖ ଭୋର ୪ଟା ୨୯ମିନିଟ୍‍ ୪୦ ସେକେଣ୍ଡରେ ଗ୍ରହଣ ଶେଷ ବା ସର୍ବମୋକ୍ଷ ହେବ । ସର୍ବମୋଟ ଗ୍ରହଣ ସମୟ ୨ ଘଣ୍ଟା ୫୭ ମିନିଟ୍‍ ୫୭ ସେକେଣ୍ଡ ହେବ ବୋଲି କୁହାଯାଇଛି ।
ଏହି ଚନ୍ଦ୍ରଗ୍ରହଣ ପାଇଁ ମଙ୍ଗଳବାର ୪ଟା ୩୧ ମିନିଟ୍‍ ଠାରୁ ପାକତ୍ୟାଗ ହେବ । ରାତି ସାଢେ ୪ଟା ପର୍ଯ୍ୟନ୍ତ ଅନ୍ନ ଭୋଜନ ନିଷେଧ । ବିଶେଷକରି କର୍କଟ, ସିଂହ, କନ୍ୟା, ତୁଳା, ବିଛା ଓ କୁମ୍ଭ ରାଶି ପାଇଁ ଏହି ଗ୍ରହଣ ଦର୍ଶନ ଶୁଭ ବୋଲି ଗଣନାକାର ମାନେ କହିଛନ୍ତି । ୧୭ ତାରିଖ ଭୋର ୪ଟା ୩୧ ପରେ ଦେବାଦେବୀଙ୍କ ମହାସ୍ନାନ ସହିତ ଦେବନୀତି କରାଯିବ ।
ଅନ୍ୟପକ୍ଷରେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‍ ପକ୍ଷରୁ ଉପ ନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ୧୭ ତାରିଖ ଦିନ ଭୋରରୁ ଏହି ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ । ଏହାକୁ ଖାଲି ଆଖିରେ ଦେଖିହେବ । ସବୁଠାରୁ ଅଧିକ ଚନ୍ଦ୍ରଗ୍ରହଣ ଯାହାକି ୬୫ ପ୍ରତିଶତ ରାତି ୩ଟା ସମୟରେ ଦେଖାଯିବ ।
ଏହି ଆଂଶିକ ଚନ୍ଦ୍ରଗ୍ରହଣ ଭାରତ ସହିତ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକାରେ ମଧ୍ୟ ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ ଏକ ସରଳରେଖାରେ ରହିଥାନ୍ତି । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ । ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣମୀ ତିଥିରେ ହିଁ ପଡିଥାଏ ।

Share Post

Leave a Reply

Your email address will not be published. Required fields are marked *

2 × one =