କୋଇଲି ବୈକୁଣ୍ଠ କାହିଁକି ପ୍ରସିଦ୍ଧ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଥାଏ । ନୂଆ ରୂପରେ ଠାକୁରଙ୍କୁ ଦର୍ଶନ କରିବାର ଅଭିପ୍‍ସା କାହିଁ କେତେ ଦୂରରୁ ପୁରୀ ଯାଏ ପର୍ଯ୍ୟଟକଙ୍କୁ ଟାଣିଆଣିଥାଏ । କିନ୍ତୁ ଠାକୁରଙ୍କ ପୁରୁଣା ସ୍ୱରୂପକୁ ଯେ ଭକ୍ତ ଭୁଲିଯାଏ, ସେକଥା ନୁହେଁ । ବରଂ ମନରେ ଝୁରି ହେଉଥାଏ, ତା ପରବର୍ତୀ ନବକଳେବର ପର୍ଯ୍ୟନ୍ତ । ଆଉ ନିଜ ମନକୁ ସାନ୍ତ୍ୱନା ଦେବା ପାଇଁ ସେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯିବା ବେଳେ କୋଇଲି ବୈକୁଣ୍ଠ ଆଡେ ଘେରେ ବୁଲିଆସେ । ମହାପ୍ରଭୁଙ୍କ ସମାଧି ସ୍ଥଳକୁ ଢେର୍‍ ସମୟ ଯାଏ ଚାହିଁ ରହିଥାଏ । ପ୍ରଣିପାତ କରି ଫେରିଆସେ । 

ଶ୍ରୀମନ୍ଦିର ବାହାର ବେଢ଼ାର ଉତ୍ତର ପଶ୍ଚିମ କୋଣରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମାଧି ପୀଠ ହେଉଛି ଏହି କୋଇଲି ବୈକୁଣ୍ଠ । ନବକଳେବର ସମୟରେ ପୁରାତନ ବିଗ୍ରହମାନଙ୍କୁ ଏଠାରେ ଗାତ ଖୋଳି ବିର୍ସଜନ କରାଯାଇଥାଏ । ସାଧାରଣରେ କୁହାଯାଏ, ଭଗବାନ ଶ୍ରୀକୃଷ୍ଣ ରାଧାଙ୍କୁ ଏହି ସ୍ଥାନରେ କୋଇଲି ରୂପରେ ଏକଦା ଦର୍ଶନ ଦେଇଥିଲେ । ଆଉ ସେହି କାରଣରୁ ଏହାର ନାମ କୋଇଲି ବୈକୁଣ୍ଠ ଭାବେ ବିଦିତ ।

କୋଇଲି ବୈକୁଣ୍ଠରେ ଶ୍ରୀ ବୈକୁଣ୍ଠନାଥ ମହାଦେବଙ୍କ ମନ୍ଦିର ବି ରହିଛି । ମଶାଣୀ ଚଣ୍ଡୀଙ୍କର ମଧ୍ୟ ଏଠାରେ ସ୍ଥାପନା କରାଯାଇଛି । ଶ୍ରୀମନ୍ଦିର ବ୍ୟବସ୍ଥାରେ ନବକଳେବର ସମୟରେ ସଂଗୃହୀତ ଦାରୁ ଉତ୍ତର ଦ୍ୱାର ଦେଇ ପ୍ରବେଶ କରନ୍ତି । ଏଠାରେ ଦାରୁଙ୍କୁ ନେଇ ଶ୍ରୀ ବିଗ୍ରହ ନିର୍ମାଣ କରାଯାଏ ଓ ପୂଜାବିଧି ପାଇଁ ଯଜ୍ଞ ମଣ୍ଡପ ମଧ୍ୟ କରାଯାଇଥାଏ । ଏହି ପ୍ରକ୍ରିୟା ଭିତରେ ଶ୍ରୀମନ୍ଦିର ଦକ୍ଷିଣ ଘରୁ ପ୍ରଭୁ ଶ୍ରୀ ନୃସିଂହ କୋଇଲି ବୈକୁଣ୍ଠ ବିଜେ କରିଥାନ୍ତି । ଶ୍ରୀ ବିଗ୍ରହ ନିର୍ମାଣ ପରେ କୋଇଲି ବୈକୁଣ୍ଠରେ ବଳକା ଦାରୁ ମଧ୍ୟ ପରବର୍ତୀ ନବକଳେବର ପର୍ଯ୍ୟନ୍ତ ରଖାଯାଇଥାଏ । 

କୋଇଲି ବୈକୁଣ୍ଠରେ ଫୁଲ ବଗିଚା, ଫୁଲ ଗୁନ୍ଥା ଘର ବି ରହିଛି । ଦୈନଦିନ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜାଇବା ଲାଗି ଆବଶ୍ୟକ ଫୁଲ ଓ ଅଳଙ୍କାର ଏଠାରେ ତିଆରି ହୋଇଥାଏ ।

Share Post

Leave a Reply

Your email address will not be published. Required fields are marked *

5 × five =