ଏବେ ବି ରହସ୍ୟରେ ରହିିଛି ଅଠରନଳା

ଭୁବନେଶ୍ୱର: ଶ୍ରୀକ୍ଷେତ୍ରର ପ୍ରବେଶ ପଥ ବା ପୁରୀର ପ୍ରବେଶ ଦ୍ୱାର ଉପରେ ରହିଛି ଅଠରନଳା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ପ୍ରତିଟି ଭକ୍ତ ବା ଶ୍ରଦ୍ଧାଳୁ ଏହିଠାରେ ପହଞ୍ଚିବା ମାତ୍ରେ ନୀଳଚକ୍ର ସ୍ପଷ୍ଟ ଦୃଶ୍ୟମାନ ହୁଏ । ଆଉ ହାତ ଆପେ ଆପେ ଉପରକୁ ଉଠିଯାଏ । ଭକ୍ତ ନିଜକୁ ଭଗବାନଙ୍କ ପାଦପଦ୍ମରେ ସମର୍ପିଣ କରିଦିଏ । ସମର୍ପିତ ଶରୀର ଯେତେବେଳେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଥାଏ, ସେତେବେଳର ମୁହୂର୍ତ ଜୀବନର ସର୍ବଶ୍ରେଷ୍ଠ ଅନୁଭୂତି ଦେଇଥାଏ ।
ଏହି ଅଠରନଳା ପୋଲ କେବେ ନିର୍ମାଣ ହୋଇଛି, ସେ ନେଇ ଐତିହାସିକମାନେ ସ୍ପଷ୍ଟ ମତ ରଖିନାହାନ୍ତି । ତେବେ ଏହାର ଆୟୁ ୭୫୦ବର୍ଷରୁ ଅଧିକ ଏକଥା ନିଃସନ୍ଦେହରେ କୁହାଯାଇପାରେ । କିନ୍ତୁ ମାଦଳାପାଞ୍ଜିର ତଥ୍ୟକୁ ବିଶ୍ୱାସ କରାଗଲେ, ବୀର ନରସିଂହ ଦେବ ହିଁ ଅଠରନଳା ବନ୍ଧ ନିର୍ମାଣ କରିଥିଲେ । ଅର୍ଥାତ୍‍ ଏହା ୧୩ଶହ ମସିହା ପାଖାପାଖିର ଘଟଣା । ତେବେ ଆଉ ବିଭିନ୍ନ ଗବେଷକମାନେ ବର୍ଣ୍ଣନା କରିଛନ୍ତି ଯେ ମତ୍ସ୍ୟ କେଶରୀ ଓ ବରାହ କେଶରୀ ଅଠରନଳା ବସାଇଥିଲେ । ଏହି ତଥ୍ୟକୁ ବିଶ୍ୱାସ କରାଗଲେ ୧୦୫୦ରୁ ୧୦୭୧ ମସିହା ମଧ୍ୟରେ ଅଠରନଳା ନିର୍ମାଣ ହୋଇଥିବା ବିଚିତ୍ର ନୁହେଁ ।
କେବଳ ସମୟକୁ ନେଇ ଯେ ଭିନ୍ନ ମତ ରହିଛି ତା ନୁହେଁ, ଅଠରନଳା ଯେଉଁ ନଦୀ ଉପରେ ନିର୍ମିତ, ତାର ମଧ୍ୟ ଏକାଧିକ ନାମ ରହିଛି । କିଏ ଗଙ୍ଗୁଅା ବୋଲି ବର୍ଣ୍ଣନା କରିଛନ୍ତି ତ ଆଉ କେଉଁଠି ଏହାକୁ ମାଟିଆ ବୋଲି କୁହାଯାଇଛି । ପୁଣି କେଉଁଠି ମଧୁପୁର ବୋଲି ବି ରହିଛି । ତେବେ ଅଠରନଳାରେ କିନ୍ତୁ ୧୮ ନୁହେଁ, ୧୯ଟି ସେତୁ ରହିଛି । ସମ୍ଭବତଃ ଏହା ଏକ ନଦୀ ନଥିଲା । ଅଠରଟି ସେତୁ ସହିତ ସଂଲଗ୍ନ ନାଳରୁ ଅଠର ନଳା ବୋଲି ନାମିତ ହୋଇଥାଇପାରେ ବୋଲି ବିଶ୍ୱାସ କରାଯାଏ ।
ଅତଏବ, ଶ୍ରୀମନ୍ଦିରକୁ ନେଇ ଯେମିତି ରହସ୍ୟ ରହିଛି, ଠିକ୍‍ ସେମିତି ଅଠରନଳା ବି ରହସ୍ୟରେ ରହିଛି । ସବୁଠାରୁ କୌତୂହଳର କଥା ହେଉଛି, ଅଠରନଳା ଯେ କେବଳ ପୁରୀରେ ରହିଛି ତା ନୁହେଁ । ଯାଜପୁର ଜିଲ୍ଲା ଅର୍ଥାତ୍‍ ବିରଜା କ୍ଷେତ୍ରକୁ ମଧ୍ୟ ଅଠରନଳା ପୋଲ ସଂଯୋଗ କରୁଛି । ଏହି ପୋଲର ଆୟୁଷ ପାଖାପାଖି ସେହି ସମୟର, ଯେବେ ପୁରୀରେ ଅଠରନଳା ନିର୍ମାଣ କରାଯାଇଛି । ଉଭୟଙ୍କର ନିର୍ମାଣ ଶୈଳୀରେ ବେଶୀ କିଛି ତଫାତ୍‍ ନାହିଁ । ତେବେ ମାଆ ବିରଜାଙ୍କ ମନ୍ଦିର ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ପୋଲ ରହିଛି । କେଉଁଥି ପାଇଁ ଏଭଳି ପୋଲ ଉଭୟ ସହରରେ ନିର୍ମାଣ କରାଯାଇଥିଲା, ତାହା ଅାଜି ବି ରହସ୍ୟରେ ରହିଛି ।

Share Post
  • 87
  •  
  •  
  •  
  •  
  •  
  •  
  •  
    87
    Shares

Leave a Reply

Your email address will not be published. Required fields are marked *

15 − 11 =