ଆଦ୍ୟ ଯାତ୍ରାରେ ଅଗ୍ରପୂଜ୍ୟଙ୍କର ଭୂମିକା ଏମିତି

ଭୁବନେଶ୍ୱର: କାହିଁ କେଉଁ କାଳରୁୁ ମହାରାଷ୍ଟ୍ରରେ ଗଣେଶ ବା ଗଜାନନଙ୍କର ପୂଜା ହୋଇ ଆସୁଛି । ସ୍ୱାଭାବିକ ଭାବେ ସ୍ଥାନୀୟ ଲୋକେ ଗଣେଶଙ୍କର ହିଁ ପୂଜା ଆରାଧନା କରିଥାନ୍ତି । ଶ୍ରୀ ଜଗନ୍ନାଥଙ୍କ ସହିତ ଗଣେଶଙ୍କର ସଂପର୍କ ନେଇ ତତ୍ତ୍ୱ ଯେତିକି ଗହନ, ଜନଶ୍ରୁତି ବି ସେମିତି ଅତ୍ୟନ୍ତ ପ୍ରଭାବୀ ।
ସପ୍ତଦଶ ଶତାଦ୍ଦୀର କଥା । ସେବେ ମହାରାଷ୍ଟ୍ରରୁ ଜଣେ ଭକ୍ତ ଗଣପତି ଭଟ୍ଟ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି । ସବୁ ଧର୍ମ ଶାସ୍ତ୍ର ପଢି ଶ୍ରୀ ଭଟ୍ଟଙ୍କର ଅନୁଭବ ହୋଇଥାଏ ଯେ ସ୍ୱୟଂ ବ୍ରହ୍ମ ପୁରୀରେ ସ୍ଥୁଳ ସ୍ୱରୂପ ଧାରଣ କରିଛନ୍ତି । ଗଣପତି ପୁରୀ ଆସି ମହାପ୍ରଭୁଙ୍କ ପାଖେ ପହଞ୍ଚିବା ଦିନ ଜ୍ୟେଷ୍ଠ ପୂର୍ଣ୍ଣମୀ ହୋଇଥାଏ । ସେଦିନ ଶ୍ରୀଜିଉଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଥିଲା । ରତ୍ନ ବେଦୀ ଛାଡି ମହାପ୍ରଭୁ ପ୍ରତ୍ୟକ୍ଷ ସ୍ନାନ ପାଇଁ ବେଦୀ ଉପରେ ଅଧିଷ୍ଠିତ ହୋଇଥାନ୍ତି । ଗଣପତି ଚତୁର୍ଧା ମୂର୍ତିଙ୍କୁ ଦର୍ଶନ କଲେ । ହେଲେ ତାଙ୍କର ଆରାଧ୍ୟ ଠାକୁର ଗଣେଶଙ୍କୁ ସେ କେଉଁଠି ଦେଖିପାରିଲେ ନାହିଁ । କାରଣ ମହାପ୍ରଭୁଙ୍କର ଏ ସ୍ୱରୂପ ତାଙ୍କ ଚିନ୍ତନର ବାହାରେ ଥିଲା । ସେ ବ୍ରହ୍ମ ରୂପରେ ଶ୍ରୀ ଗଣେଶଙ୍କ ରୂପର ହିଁ କଳ୍ପନା କରିଥିଲେ । ଏଥର ଅଭିମାନରେ ଗଣେଶ ଭଟ୍ଟ ଫେରିଗଲେ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତଙ୍କର । ଯେଉଁ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ନିଜେ ଓହ୍ଲାଇ ଆସନ୍ତି, ସେ ବା ଗଣପତିଙ୍କୁ ଶୂନ୍ୟ ଆଶା ଓ ହୃଦୟରେ ଫେରିଯିବାକୁ ଦେଇଥାନ୍ତେ କେମିତି । ପ୍ରଭୁ ମୁଦିରସ୍ତଙ୍କୁ ସ୍ୱପ୍ନାଦେଶ କଲେ । ଚେତାଇ ଦେଲେ ମୋର ଭକ୍ତ ଫେରିଯାଉଛି । ତାଙ୍କୁ ଅଟକାଇବାକୁ ପଡିବ । ତୁରନ୍ତ ଗଣପତିଙ୍କୁ ଖୋଜି ଅଟକାଇଲେ ସେବକ । ଫେରାଇ ଆଣିଲେ ମହାପ୍ରଭୁଙ୍କ ନିକଟକୁ । ଏଥର କିନ୍ତୁ ଗଣପତି ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କୁ ଦର୍ଶନ କରନ୍ତେ, ପ୍ରଭୁ ତାଙ୍କ ନିକଟରେ ଗଣେଶ ରୂପରେ ପ୍ରତୀୟମାନ ହେଲେ । ଗଣେଶ ରୂପରେ ଗଣପତି ଭଟ୍ଟ ମହାପ୍ରଭୁଙ୍କୁ ସ୍ତୁତି କଲେ । ଗଣପତି ଏହା ପ୍ରକାଶ କରିବା ପରେ ରାଷ୍ଟ୍ର ହୋଇଥିଲା ମହାପ୍ରଭୁଙ୍କର ଦିବ୍ୟ ଲୀଳା । ସେବେଠାରୁ ଏହାର ସ୍ମାରକୀ ରୂରେ ମହାପ୍ରଭୁ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ଓ ଛେରା ପହଁରା ନୀତି ପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ହେଲେ ସୁଭଦ୍ରା କିନ୍ତୁ ଗଜାନନ ବେଶ ହୋଇନଥାନ୍ତି । ତାଙ୍କୁ ଅନ୍ୟ ଆଭୂଷଣରେ ଭୂଷିତ କରାଯାଇଥାଏ । କେହି କେହି ପଣ୍ଡିତ କହନ୍ତି, ତିନି ଠାକୁରେ ସ୍ନାନ ମଣ୍ଡପରେ ଯଥାକ୍ରମେ ହରିଦ୍ରା ଗଣପତି, ଖଦିର ଗଣପତି ଓ ମାତଙ୍ଗୀ ରୂପରେ ବିରାଜମାନ କରିଥାନ୍ତି ।
ସପ୍ତଦଶ ଶତାଦ୍ଦୀର ଏହି ଜନଶ୍ରୁତି ସଂପର୍କରେ ପୁରାଣାଦି ଗ୍ରନ୍ଥ କିନ୍ତୁ ନିରବ ରହିଛି । ଏକଥା ବି କୁହାଯାଏ, ରଥଯାତ୍ରାର ଆଦ୍ୟ ପର୍ବ ହେଉଛି ସ୍ନାନ ଯାତ୍ରା । ଆଉ ଅଗ୍ରପୂଜ୍ୟ ହେଉଛନ୍ତି ଗଣେଶ । ଆଦ୍ୟ ପର୍ବରେ ଅଗ୍ରପୂଜ୍ୟଙ୍କ ରୂପ ଧାରଣ କରି ସ୍ୱୟଂ ମହାପ୍ରଭୁ ଗଣେଶଙ୍କ ଉପସ୍ଥିତି ବର୍ଣ୍ଣନା କରିଛନ୍ତି । ସମାଜକୁ ବାର୍ତା ଦେଇଛନ୍ତି ଯେ ବିଘ୍ନ ବିନାଶର ଠାକୁର ଶ୍ରୀ ଗଣେଶ ହିଁ ତାଙ୍କରି ସ୍ୱରୂପ । ସେ ହିଁ ଗଣେଶ, ସେ ହିଁ ଶ୍ରୀଜଗନ୍ନାଥ । ସେ ସର୍ବବ୍ୟାପି ।

Share Post

Leave a Reply

Your email address will not be published. Required fields are marked *

11 − four =