ମହାପ୍ରଭୁଙ୍କ ବାମଭାଗରେ କିଏ ବସନ୍ତି?

ଭୁବନେଶ୍ୱର: ରତ୍ନସିଂହାସନ ଉପରେ ଥିବା ସପ୍ତଧା ବିଗ୍ରହଙ୍କ ମଧ୍ୟରେ ଶ୍ରୀଦେବୀ (ଲକ୍ଷ୍ମୀ) ବି ଅଛନ୍ତି । ଶ୍ରୀଜଗନ୍ନାଥଙ୍କ ବାମ ଭାଗରେ ଦେବୀ ବିରାଜିତ । ସୁବର୍ଣ୍ଣ ନିର୍ମିତ ପ୍ରତିମା ହେଉଛନ୍ତି ବିଷ୍ଣୁ ବା ନାରାୟଣଙ୍କ ପତ୍ନୀ ଶ୍ରୀଦେବୀ । 

ଗବେଷକ ଡ. ଭାସ୍କର ମିଶ୍ର କହନ୍ତି ଯେ ଶ୍ରୀଦେବୀଙ୍କ ମହାତ୍ମ୍ୟ ସଂପର୍କରେ ମାର୍କଣ୍ଡେୟ ପୁରାଣ, ସ୍କନ୍ଦ ପୁରାଣ, ବ୍ରହ୍ମ ବୈବର୍ତ୍ତ୍ୟ ପୁରାଣ,ବିଷ୍ଣୁ ପୁରାଣ ଆଦିରେ ଅନେକ ବର୍ଣ୍ଣନା କରାଯାଇଛି ।  ଉଡ୍ଡିୟାନ ତନ୍ତ୍ର ଅନୁସାରେ ସପ୍ତ ପୀଠ ମଧ୍ୟରେ ଶ୍ରୀପୀଠ ଅନ୍ୟତମ । ବୈଖାନସ ତନ୍ତ୍ରରେ ଶ୍ରୀ ଙ୍କୁ ବିଷ୍ଣୁଙ୍କର ପତ୍ନୀ ଭାବେ ଅଭିହିତ କରାଯାଇଛି । ଏହି ପୀଠରେ ସୁଭଦ୍ରା ହେଉଛନ୍ତି ଆତ୍ମଶକ୍ତି ଏବଂ ଶ୍ରୀଦେବୀ ହେଉଛନ୍ତି ଇଚ୍ଛାଶକ୍ତି । ଭୂଦେବୀ ମାୟାର ପ୍ରତୀକ ଓ ଶ୍ରୀଦେବୀ ଅବିଦ୍ୟାର ପ୍ରତୀକ ।  ଦେବୀଙ୍କ ଉର୍ଧ୍ୱ ଦୁଇ ହସ୍ତରେ ପଦ୍ମ ଓ ନିମ୍ନ ଦୁଇ ହସ୍ତରେ ବରାଭୟ । 

ପ୍ରତ୍ୟହ ଶ୍ରୀଦେବୀଙ୍କୁ ଶ୍ରୀଜଗନ୍ନାଥଙ୍କ ବାଡରେ ପୂଜା କରାଯାଏ । ବିଭିନ୍ନ ପର୍ବପର୍ବାଣୀରେ ତାଙ୍କର ପ୍ରତ୍ୟକ୍ଷ ଭାଗିଦାରିତା ଅଛି । କୁହାଯାଏ, ପୁରୀ ହେଉଛି ଲକ୍ଷ୍ମୀଙ୍କ କ୍ଷେତ୍ର । ଶ୍ରୀଙ୍କ ନାମ ଅନୁସାରେ ଏହାକୁ ଶ୍ରୀକ୍ଷେତ୍ର ବୋଲି କୁହାଯାଏ । ଏଠାରେ ସ୍ୱୟଂ ଲକ୍ଷ୍ମୀ ବିରାଜମାନ କରନ୍ତି । ଖାସ୍‍ ସେଇଥିପାଇଁ ଏହି କ୍ଷେତ୍ରରେ ମହାତ୍ମ୍ୟ ଭାରତବର୍ଷର ଅନ୍ୟ ସବୁ କ୍ଷେତ୍ର ଠାରୁ ଅଲଗା । 

ଏଠାରେ ଲକ୍ଷ୍ମୀଙ୍କର ଗୁରୁତ୍ୱ ଟିକିଏ ଅଲଗା । ରୋଷଘର ଠାରୁ ଆରମ୍ଭ କରି ପ୍ରଭୁଙ୍କ ଯାତ୍ରା ପର୍ଯ୍ୟନ୍ତ ସବୁଠାରେ ଲକ୍ଷ୍ମୀଙ୍କର ବିଶେଷ ଭୂମିକା ଅଛି । ଯେହେତୁ ପତ୍ନୀ ବାମାଙ୍ଗୀ, ଏଣୁ ମାଆ ରତ୍ନ ସିଂହାସନରେ ବାମ କଡରେ ଅବସ୍ଥାନ କରନ୍ତି ବୋଲି କୁହାଯାଏ । ଚନ୍ଦନଯାତ୍ରା ହେଉ କି ଦୋଳଯାତ୍ରା, ହେରାପଞ୍ଚମୀ, ଲକ୍ଷ୍ମୀ ନାରାୟଣ କଳି, ଝୁଲଣ ଯାତ୍ରା, ରାଧାଷ୍ଟମୀ, କୁମାରପୂର୍ଣ୍ଣମୀ, ଦୟଣା ଚୋରି, ଋଷି ପଞ୍ଚମୀରେ ଦେବୀ ଭାଗ ନେଇଥାନ୍ତି । ଶ୍ରୀମନ୍ଦିିର ପୁଷ୍ପାଳକ ମହାଜନମାନେ ସମସ୍ତ ପର୍ବପର୍ବାଣୀରେ ଦେବୀଙ୍କୁ ହାତରେ ନେଇ ବିଜେ କରିଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

ten − 10 =