ହଇଜା ପାଇଁ ଶ୍ରୀମନ୍ଦିରରେ ଏମିତି ଉତ୍ସବ


ମଣିନାଗ ଦୁର୍ଗା

ପୁରୀ ଜିଲ୍ଲା ବୀରରାମଚନ୍ଦ୍ରପୁରରେ ବି ହୁଏ ବାଡି ନବମୀ ପୂଜା
ଭୁବନେଶ୍ୱର:ହଇଜା ସଂପର୍କରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାର ଆଜି ଦିନରେ କେତେ ପଦକ୍ଷେପ ନେଉଛନ୍ତି । କିନ୍ତୁ ଆମ ବ୍ୟବସ୍ଥା, ପରମ୍ପରାରେ ମଧ୍ୟ ଏ ନେଇ ଯଥେଷ୍ଟ ସତର୍କତା ଅବଲମ୍ୱନ କରିବା ଲାଗି ସୂଚାଇ ଦିଆଯାଇଛି । ନିକଟରେ ପୁରୀ ଜିଲ୍ଲାର ବୀର ରାମଚନ୍ଦ୍ରପୁର ଅର୍ଥାତ୍‍ ଶ୍ରୀଜଗନ୍ନାଥଙ୍କ ଆଦ୍ୟଶାସନରେ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବାଡି (ହଇଜା) ନବମୀ ବା ବିଜୟା ନବମୀ ବୋଲି କୁହାଯାଏ । ଲୋକ କଥା ଅନୁଯାୟୀ, ସେ ଗାଁରେ ଏକଦା ହଇଜା ପ୍ରଭାବରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଥିଲେ । ଶେଷରେ ଗାଁର ଆରାଧ୍ୟ ଠାକୁର ମଣିନାଗ ଦୁର୍ଗାଙ୍କ ଶରଣରେ ଲୋକେ ଆସିଲେ ଓ ଏକ ସ୍ୱତନ୍ତ୍ର ଉତ୍ସବ କରିବା ଲାଗି ନିଷ୍ପତ୍ତି କ୍ରମେ ସ୍ଥିତିରେ ନିୟନ୍ତ୍ରଣ ଆସିଲା । ହେଲେ ବୁଦ୍ଧିଜୀବୀ ଏହାକୁ ଭିନ୍ନ ଢଙ୍ଗରେ ବିଚାର କରନ୍ତି । ଶ୍ରାବଣ ମାସରେ ବର୍ଷା ଓ ବନ୍ୟା କାରଣରୁ ଜଳ ସଂକ୍ରମଣ ହୋଇଥାଏ । ଏଣୁ ହଇଜା ଭୟ ସୃଷ୍ଟି ହୋଇଥାଏ । ଏ ନେଇ ଲୋକଙ୍କୁ ସଚେତନ କରିବା ଲାଗି କାହିଁ କେଉଁ କାଳରୁ ପରମ୍ପରା ଆଳରେ ଏଭଳ ଏକ ପର୍ବକୁ ଖଞ୍ଜି ଦିଆଯାଇଛି ।
କେବଳ ବୀର ରାମଚନ୍ଦ୍ରପୁରରେ ନୁହେଁ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଶ୍ରାବଣ ମାସ ନବମୀ ତିଥିରେ ଏକ ସ୍ୱତନ୍ତ୍ର ଉତ୍ସବ ହୋଇଥାଏ । ସେଦିନ ଶ୍ରୀମନ୍ଦିରରୁ ବାଡି ନୃସିଂହ ବିଜେ କରିଥାନ୍ତି । ଏହି ଦିନ ମଧ୍ୟାହ୍ନ ଧୂପପରେ ଦକ୍ଷିଣୀ ଘରୁ ନୃସିଂହ ବିଜେ କରି ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ଅଧିଷ୍ଠିତ ହୋଇଥାନ୍ତି । ବିମାନ ବଡୁ ସେବକମାନେ ନୃସିଂହ ଠାକୁରଙ୍କୁ ସିଂହଦ୍ୱାର ଦେଇ ମାର୍କଣ୍ଡ, ଅଙ୍ଗିରା, କଣ୍ଡୁ ଓ ଭୃଗୁ ଏହିଭଳି ୪ଟି ଆଶ୍ରମକୁ ନେଇଥାନ୍ତି । ବିଭିନ୍ନ ମଠ ତରଫରୁ ୪୨ଟି ସ୍ଥାନରେ ପନ୍ତୀର ଆୟୋଜନ କରାଯାଇଥାଏ ।
କୁହାଯାଏ, ପୁରୀ ସହରରେ ହଇଜା ବ୍ୟାପିବା କାରଣରୁ ଏହି ପର୍ବର ଆୟୋଜନ କରାଯାଉଛି । ୧୯୦୩ରୁ ୧୯୦୫ ମଧ୍ୟରେ ଏହାର ଆରମ୍ଭ ହୋଇଥିବା ସୂଚନା ମିଳେ । ଡାକ୍ତରମାନଙ୍କ ମତରେ ପୁରୀ ସହର ହଇଜା ପ୍ରବଣ । ପୁରୀରେ ବହୁ ପୂର୍ବରୁ କଲେରା ହସ୍ପିଟାଲ ରହିଛି । ଆଜି ବି ପୁରୀର ବିଭିନ୍ନ ଜଳାଶୟ ମାନଙ୍କରେ ହଇଜା ବୀଜାଣୁ ଥିବା ଜଣାଯାଏ । ଏଣୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଏଭଳି ସେବା ଖଞ୍ଜି ଲୋକଙ୍କ ମଧ୍ୟରେ ହଇଜା ପ୍ରତି ସତର୍କତା ମନୋଭାବ ପ୍ରବର୍ତନ କରିବା ଉଦ୍ଦେଶ୍ୟରେ ଏଭଳି ଏକ ପର୍ବ ଖଞ୍ଜାଯାଇଛି । ରାଜ୍ୟ ସରକାର ଏହାର ଯେତେ ଅଧିକ ପ୍ରଚାର ପ୍ରସାର କରିବେ, ସାଧାରଣରେ ହଇଜା ନେଇ ସତର୍କତା ଅନୁରୂପ ପରିମାଣରେ ବଢିପାରେ ।

Share Post

Leave a Reply

Your email address will not be published. Required fields are marked *

sixteen − fourteen =