ଆମ ବ୍ୟବସ୍ଥାରେ ମୁକ୍ତିମଣ୍ଡପ କାହିଁକି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ବ୍ୟକ୍ତିଗତ, ପାରିବାରିକ, ଧାର୍ମିକ ତଥା ସାମାଜିକ ଜୀବନରେ ଅନେକ ଦ୍ୱନ୍ଦ୍ୱ ସାମ୍ନା କରିଥାଏ ମଣିଷ । ଏହାର ନିଦାନ ପାଇଁ ଯେତେବେଳେ ସେ ବାଟ ଖୋଜେ, ତା ଆଖ ପାଖରୁ ଅନେକ ମତ ଆସିଥାଏ । ଏହାଦ୍ୱାରା ଦ୍ୱନ୍ଦ୍ୱ ସମାଧାନ ହେବା ପରିବର୍ତେ ଅଧିକ ବଢିଯାଇଥାଏ । ବିଶେଷକରି ଧାର୍ମିକ ପ୍ରକ୍ରିୟାରେ ଏହା ଅନେକ ସମସ୍ୟା ଟାଣି ଆଣିଥାଏ । 

ଆପଣ ଜାଣନ୍ତି କି ଶ୍ରୀମନ୍ଦିର ବ୍ୟବସ୍ଥାରେ ଏସବୁର ସରଳ ସମାଧାନ ରାସ୍ତା ରହିଛି । ଶ୍ରୀମନ୍ଦିର ଭିତରେ ହେଉ ବା ବାହାରେ ଏଭଳି ସମସ୍ୟାର ସରଳ ସମାଧାନ ରାସ୍ତା କାଢିବା ଲାଗି ମୁକ୍ତିମଣ୍ଡପ ପଣ୍ଡିତ ସଭା ରହିଛି । ପୁରୀ ପୀଠାଧୀଶ ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କର ଏଥିରେ ପ୍ରମୁଖ ଭୂମିକା ରହିଛି ବା ତାଙ୍କରି ମାର୍ଗଦର୍ଶନରେ ଏହା କାର୍ଯ୍ୟ କରିଥାଏ । 

ଶ୍ରୀ ମନ୍ଦିର ଦକ୍ଷିଣ ଦ୍ୱାର ସଂଲଗ୍ନ ଅର୍ଥାତ୍‍ ଆଦି ନୃସିଂହ ମନ୍ଦିର ନିକଟରେ ମୁକ୍ତି ମଣ୍ଡପ ବା ବ୍ରହ୍ମଗାଦି ରହିଛି । ଶ୍ରୀମନ୍ଦିର ଓ ସନାତନ ଧର୍ମରେ ଏହାର ଗୁରୁତ୍ୱ ଟିକିଏ ଅଧିକ । ଶାସ୍ତ୍ରଜ୍ଞ,ବେଦବିତ୍‍,ନିତ୍ୟ,ନୈମିତ୍ତିକ,କାମ୍ୟ,ମୋକ୍ଷାଦି କର୍ମରେ ପ୍ରବୀଣ ପଣ୍ଡିତ,ଅାଚାରଯୁକ୍ତ ବିଦ୍ୱାନ ମାନଙ୍କର ଏହା ଏକ ମିଳନସ୍ଥଳ ବୋଲି ମଧ୍ୟ କେହି କେହି କହିଥାନ୍ତି । ସେମାନଙ୍କ ଏହି ସମାବେଶକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ନାମରେ ସବୁଆଡେ ବିଦିତ । 

ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଭାଷାରେ ବ୍ୟକ୍ତି ଜୀବନକୁ ନିୟନ୍ତ୍ରଣ କରି ଏକ ସଂଯତ ନୀତିମୟ,ଅାଦର୍ଶ,ଇଶ୍ୱରାଭିମୁଖୀ ଜୀବନଯାପନ କରିବାପାଇଁ ଶାସ୍ତ୍ରର ନିର୍ଦ୍ଦେଶ ରହିଛି । ଶାସ୍ତ୍ର ଜୀବନକୁ ଏକ ସତ୍‍ ପଥରେ,ଅାଦର୍ଶରେ ନିୟମିତ କରିଥାଏ । ଶାସ୍ତ୍ର ପାଠ ନୁହେଁ ବରଂ ଶାସ୍ତ୍ରବିଧି ଅନୁସାରେ ଜୀବନଯାପନର ଅାବଶ୍ୟକତା ରହିଛି । 

ଯେଉଁ ବ୍ୟକ୍ତି ଶାସ୍ତ୍ର ବିଧି ତ୍ୟାଗ କରି ସ୍ୱେଚ୍ଛାଚାର ପୂର୍ବକ କର୍ମରେ ପ୍ରବୃତ୍ତ ହୁଏ,ସେ ସିଦ୍ଧଲାଭ କରିପାରେ ନାହିଁ । ତାହାର ଶାନ୍ତି ସୁଖ ଅନୁଭବ ହୁଏ ନାହିଁ,ମୋକ୍ଷଲାଭ ମଧ୍ୟ ସମ୍ଭବ ନୁହେଁ । ସୁତରାଂ କର୍ତ୍ତବ୍ୟ ଏବଂ ଅକର୍ତ୍ତବ୍ୟ ନିର୍ଦ୍ଧାରଣ ନିମନ୍ତେ ଶାସ୍ତ୍ର ହିଁତୁମର ପ୍ରମାଣ । ଏଣୁ ଶାସ୍ତ୍ରୋକ୍ତ ବ୍ୟବସ୍ଥା ଜାଣି ନିଜ ଅଧିକାର ପୂର୍ବକ କର୍ମରେ ପ୍ରବୃତ୍ତ ହେବା ବିଧେୟ । 

ପରମହଂସ ପ୍ରଜ୍ଞାନାନନ୍ଦ ଆହୁରି କହିଛନ୍ତି, ଶୃଙ୍ଖଳା ସମାଜକୁ ସୁନିୟନ୍ତ୍ରିତ କରେ । ଯେଉଁ ବ୍ୟକ୍ତି ସାଧନା କରି ସିଦ୍ଧିଲାଭ କରିବାକୁ ସମର୍ଥ ହୋଇଛନ୍ତି,ସେମାନେ ଅବଶ୍ୟ ଏହି ଶାସ୍ତ୍ରବିଧି ଠାରୁ ବହୁ ଉର୍ର୍ଧ୍ୱରେ । କିନ୍ତୁ ସାଧନା ଅବସ୍ଥାରେ ସେମାନେ ଶାସ୍ତ୍ରର ନିର୍ଦ୍ଦେଶ ପାଳନ କରିଛନ୍ତି, ସେମାନେ ଦମ୍ଭ, ଦର୍ପ, ଅହଂକାର,କାମକୋ୍ରଧାଦି ବେଗଠାରୁ ମୁକ୍ତ । କେବଳ ସେତିକି ନୁହେଁ, ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ବ୍ୟକ୍ତି ଜୀବନର ପରିପୂର୍ଣ୍ଣତା ପାଇଁ ଏକ ଅାଦର୍ଶ ସ୍ଥାନ । ମନୁଷ୍ୟ ଯଦି ଶାସ୍ତ୍ର ନିର୍ଦ୍ଦେଶିତ ପଥରେ ଜ୍ଞାନୀମାନଙ୍କ ସଙ୍ଗଲାଭ ଦ୍ୱାରା ଜୀବନ ଯାତ୍ରା ନିର୍ବାହ କରେ,ତେବେ ଜୀବନରେ ମୁକ୍ତି ଲାଭ କରିପାରିବ ।

ଏହାକୁ ବିଶ୍ୱାସ ବା ଗ୍ରହଣ କରାଗଲେ, ଏକଥା ସିଦ୍ଧ ହୁଏ ଯେ ଏସବୁ ପାଇଁ ହିଁ ମୁକ୍ତିମଣ୍ଡପ ଏକ ଶ୍ରେଷ୍ଠ ସ୍ଥାନ । ହିନ୍ଦୁ ସମାଜ ଏହି ପଣ୍ଡିତ ମାନଙ୍କର ନିର୍ଦ୍ଦେଶକୁ ଶ୍ରଦ୍ଧା ଓ ଭକ୍ତିପୂର୍ବକ ଗ୍ରହଣ କରିଥାଅାନ୍ତି । ଏପରିକି ଜ୍ୟୋତିଷ ଶାସ୍ତ୍ରରେ ତିଥି ବାର ଏବଂ ପର୍ବପର୍ବାଣୀକୁ ନେଇ ଦେଖାଦେଉଥିବା ସଂକଟ, ଦ୍ୱନ୍ଦ୍ୱ ଅଥବା ବିବାଦକୁ ଏହି ପଣ୍ଡିତ ସଭା ମାଧ୍ୟମରେ ହିଁ ସମାଧାନ କରାଯାଇଥାଏ । 

Share Post

Leave a Reply

Your email address will not be published. Required fields are marked *

nine + 5 =