କେମିତି ହେଲା ମହାପ୍ରଭୁଙ୍କ ରଥତ୍ରୟ ଶୁଭାନୁକୂଳ, ଜାଣନ୍ତୁ


ପୁରୀ: ଶନିବାର ବୈଶାଖ ଶୁକ୍ଳ ତୃତୀୟା ଦିନ ଅର୍ଥାତ୍ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିମାନ ପାଳିତ ହୋଇଯାଇଛି। ଆଜି ଭୋର ୩.୫୦ରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପରେ ୪.୪୦ରେ ଭିତର ଶୋଧ, ୪.୩୫ରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ବଢି ସକାଳ ୫.୪୦ରେ ଅବକାଶ ନୀତି ଶେଷ ହୋଇଥିଲା।

ଏହାପରେ ମହାପ୍ରଭୁଙ୍କ ସକାଳଧୂପ ପୂଜା ସକାଳ ୯.୨୦ରେ ଶେଷପରେ ମଇଲମ ୧୦ଟାରେ ହୋଇ ଯାତ୍ରାଙ୍ଗି ମହାସ୍ନାନ ୧୦.୩୦ରେ ବଢିଥିଲା। ପୂର୍ବଦିନରୁ ପ୍ରସ୍ତୁତ ହୋଇ ରହିଥିବା ପ୍ରାୟ ୭କେଜି ଚନ୍ଦନକୁ ପୂଜାପଣ୍ଡା ସାମନ୍ତ ,ପତି ମହାପାତ୍ର ଓ ମୁଦିରସ୍ତ ଏବଂ ତିନିଜଣ ପାଳିଆ ପୁଷ୍ପାଳକ ଭୋଗ ମଣ୍ଡପ ଘରଠାରୁ ଚନ୍ଦନ ବେଢ଼ାକୁ ଆଣିିଥିଲେ।ପରେ ୧୧.୧୫ ସୁଦ୍ଧା ତିନି ଘେରା ଚନ୍ଦନ ବେଢା ପରିକ୍ରମା ସମ୍ପର୍ଣ୍ଣ ପରେ ସିଂହାସନରେ ଚନ୍ଦନ ପିଙ୍ଗନ ରଖିଥିଲେ। ଏହା ପରେ ପାଣିପଡି ପୂର୍ବାହ୍ନ .୧୧.୫୦ରେ ଶ୍ରୀ ବିଗ୍ରହମାନଙ୍କୁ ଖଇ କୋରା ଭୋଗ
କରାଯାଇଥିଲା।

ପୂଜାପଣ୍ଡା ସାମନ୍ତେ, ପତିମହାପାତ୍ର ଓ ମୁଦିରସ୍ତ ଏବଂ ୩ ଜଣ ପାଳିଆ ପୁଷ୍ପାଳକଙ୍କ ଦ୍ୱାରା ଛାମୁ ଖୁଣ୍ଟିଆଙ୍କ ମଣିମା ଡାକ ପୂର୍ବକ ଶ୍ରୀ ବିଗ୍ରହମାନଙ୍କର ଅପରାହ୍ନ ୧୨.୪୦ ସୁଦ୍ଧା ସର୍ବାଙ୍ଗ ଚନ୍ଦନଲାଗି ହୋଇଥିଲା। ଅଳକା,ଚଉସରା, ଗୁଣା,ଝୁମ୍ପା ସହିତ ଅପରାହ୍ନ ଗୋଟାଏ ସୁଦ୍ଧା ବେଶ ବଢି ପାଣି ପଡିଲା ପର ଗୋଟାଏ ପଚିଶରେ ମଧ୍ୟାହ୍ନ ଧୂପ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତଳୁଛ ପ୍ରଧାନୀ ହାତ ମୁଦ ପଟୁଆର ସହିତ ଭୋଗ ଛାମୁକୁ ଆସିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ। ପ୍ରସାଦ ଲାଗି ବଢିଲା ପରେ ପାଳିଆ ପୂଜାପଣ୍ଡା ୩ଜଣ ମଧ୍ୟାହ୍ନ ଧୂପ ଷୋଡଶ ଉପଚାରରେ କରିଥିଲେ।

ଅପରାହ୍ନ ୨.୩୫ ସୁଦ୍ଧା ଭୋଗ ଶେଷ ପରେ ପାଣିପଡି ୩ଟାରେ ବନ୍ଦାପନା ବଢିଥିଲା। ଏହାପରେ ଶ୍ରୀରାମକୃଷ୍ଣ, ଶ୍ରୀମଦନ ମୋହନ, ଶ୍ରୀଦେବୀ,ଭୂଦେବୀ ଆଜ୍ଞା ମାଳ ପାଇ ପାଲିଙ୍କି ଏବଂ ବିମାନକୁ ଅପରାହ୍ନ ୩.୨୦ରେ ବିଜେ କରିଥିଲେ। ସେହିଭଳି ତିନି ବାଡରୁ ୩ ଜଣ ପୂଜାପଣ୍ଡା ଅପରାହ୍ନ ୩.୨୫ରେ ବିଜେ କରାଇ ଆଣିଥିବା ଆଜ୍ଞା ମାଳ ଧରି ଆଗରେ ଏବଂ ପଛରେ ଦିଅଁ ମାନେ ରହି କୋଭିଡ ସଂକ୍ରମଣ କଟକଣା ସହ ସାଧାରଣ ପଟୁଆରରେ ଶ୍ରୀନଅର ନିକଟକୁ ବିଜେ କରିଥିଲେ।

ପୂର୍ବରୁ ରଥଖଳାଠାରେ ପୁରୋହିତଙ୍କ ଦ୍ଵାରା ରଥ ନିର୍ମାଣ ଅନୁକୂଳ ହୋମ ଶେଷ ହୋଇଥିଲା। ପୂଜାପଣ୍ଡା ତିନିଜଣ ଆଜ୍ଞାମାଳ ଧରି ଥିବାରେ ରଥ ନିର୍ମାଣକାରୀ ବିଶ୍ବକର୍ମା, ରୂପକାର, ଓଝା ଏବଂ ଭୋଇ ସେବକ ମାନଙ୍କର ଶାଢ଼ି ବନ୍ଧା ନୀତି ପଟ୍ଟଯୋଶୀ ମହାପାତ୍ରଙ୍କ ଉପସ୍ଥିତିରେ ଦେଉଳ କରଣ ଶେଷ କରିଥିଲେ।

ରଥ ତ୍ରୟ ନିର୍ମାଣ ଶୁଭାନୁକୂଳ ନିମନ୍ତେ ପୂଜା ପାଇଁ ରଖାଯାଇଥିବା ତିନି ଗୋଟି ଧଉରା କାଠ ରେ ଆଜ୍ଞା ମାଳ ଦିଆଯାଇ ଅନୁକୂଳ ନୀତି ବଢିଥିଲା। ଏହାପରେ ଅପରାହ୍ନ ୪ଟାରେ ପାଲିଙ୍କି, ବିମାନ, ଦୋଳରେ ବିଜେ ଠାକୁର, ଠାକୁରାଣୀମାନେ ନରେନ୍ଦ୍ର ପୁଷ୍କରଣୀ ଚନ୍ଦନ ଚକଡ଼ା ଅଭିମୁଖେ ବିଜେ କରିଥିଲେ।

Share Post

Leave a Reply

Your email address will not be published. Required fields are marked *

1 × three =