ଅନ୍ୟ ମନ୍ଦିର ଅପେକ୍ଷା ଶ୍ରୀମନ୍ଦିର ଅନନ୍ୟ କାହିଁକି

ଭୁବନେଶ୍ୱର: ବେଶ ଦିନ ବ୍ୟତୀତ ଅନ୍ୟ ଦିନରେ ମହାପ୍ରଭୁ ସ୍ୱର୍ଣ୍ଣାଳଙ୍କାର ଲାଗି ହୁଅନ୍ତି ନାହିଁ । କିନ୍ତୁ ଶ୍ରୀଜିଉମାନଙ୍କୁ ଯିଏ ଦେଖେ ତାର ପେଟ ପୂରିଯାଏ । ଆଖି ଲାଖି ରହିଯାଏ । ପ୍ରଭୁଙ୍କ ସୌନ୍ଦର୍ଯ୍ୟ ପଛର ଅନେକ କାରଣ ମଧ୍ୟରୁ ଏକ ବଡ଼ କାରଣ ହେଉଛି ପୁଷ୍ପ ଅଳଙ୍କାର, ତୁଳସୀ । ଦୈନନ୍ଦିନ ପ୍ରଭୁଙ୍କୁ ଲାଗି ହେଉଥିବା ପୁଷ୍ପ, କରପଲ୍ଲବ ଆଦି ଅଳଙ୍କାର ଭାରତବର୍ଷର ଅନ୍ୟ କେଉଁ ମନ୍ଦିରରେ ଦେଖାଯାଇନଥାଏ । କାହିଁ କେଉଁ ପ୍ରାଚୀନ କାଳରୁ ଏସବୁ ଅଳଙ୍କାର ପ୍ରସ୍ତୁତି ହେଉଛି । ଆଜି ସବୁସ୍ତରକୁ ଉଗ୍ର ଆଧୁନିକତା ସ୍ପର୍ଶ କରିଥିଲେ ହେଁ, ଶ୍ରୀମନ୍ଦିରର ଏହି ସ୍ୱତନ୍ତ୍ର ସେବାରେ ଏହାର ସାମାନ୍ୟତମ ଝଲକ ସୁଦ୍ଧା ଦେଖିବାକୁ ମିଳିନାହିଁ । ଅତଏବ, ଆଜିର ଶିଳ୍ପୀ ବି କାହିଁ କେଉଁ କାଳର ଏହି ରୀତିନୀତିକୁ ଧରି ମହାପ୍ରଭୁଙ୍କ ସେବା ପୂଜାରେ ବ୍ରତୀ ଅଛନ୍ତି । ଶ୍ରୀମନ୍ଦିର ପରିସରରେ ସକାଳୁ ସଞ୍ଜ ଯାଏ ୨୦ରୁ ଅଧିକ ମହିଳା ଅତ୍ୟନ୍ତ ଶୁଦ୍ଧତାର ସହିତ, ପବିତ୍ର ମନୋଭାବରେ ଏହି ମହାପ୍ରଭୁଙ୍କ ମନଲାଖି ପୁଷ୍ପ ଅଳଙ୍କାର ପ୍ରସ୍ତୁତ କରି ଚାଲିଛନ୍ତି । 

ଶ୍ରୀମନ୍ଦିର ବ୍ୟବସ୍ଥାରେ ତୁଳସୀର ଆଦର ଟିକିଏ ଅଧିକ । ଏହାବ୍ୟତୀତ ତରାଟ, ମଲ୍ଲୀ, ଜୁଇ, କୁନ୍ଦ, ରଙ୍ଗଣୀ, ଗୋଲାପ, ମାଳତୀ, ଗଙ୍ଗଶିଉଳି, ଜାଇ, ଚମ୍ପା, ମରୁଅା, ଦୟଣା, ସେବତୀ, ଗେଣ୍ଡୁ, ସୁଗନ୍ଧରାଜ, ହେନା, ଗୁରୁଦୁଲାଙ୍ଗ ଅାଦି ବ୍ୟବହାର ହୋଇଥାଏ । ଗବେଷକମାନେ କୁହନ୍ତି, ବିଭିନ୍ନ ଧୂପ ପୂଜାରେ କେବଳ ତୁଳସୀ ଓ ତରାଟ ବ୍ୟବହାର କରାଯାଇଥାଏ ।

ମହାପ୍ରଭୁଙ୍କ ଅଳଙ୍କାର ପ୍ରସ୍ତୁତି ଶ୍ରୀମନ୍ଦିର ପରିସରସ୍ଥ କୋଇଲି ବୈକୁଣ୍ଠ ଉପବନ ମଧ୍ୟରେ ହୋଇଥାଏ । ଏଠାରେ ଏକ ଫୁଲଗୁନ୍ଥା ଘର ରହିଛି । ନୀଳାଚଳ ଉପବନରେ ମଧ୍ୟ ଅନୁରୂପ ଏକ ଫୁଲଗୁନ୍ଥା ଘର ରହିଛି । ଏହାବ୍ୟତୀତ ଉତ୍ତରଦ୍ୱାର ଭିତର ଗୁମୁଟ ସଂଲଗ୍ନ ସତ୍ୟନାରାୟଣ ମନ୍ଦିର ଜଗମୋହନ ଓ ଦକ୍ଷିଣ ଦ୍ୱାର ବାହାର ବେଢ଼ାରେ ଥିବା ରାମଚନ୍ଦ୍ର ମନ୍ଦିରରେ ଫୁଲ ମାଳ ଓ ଅଳଙ୍କାର ଆଦି ପ୍ରସ୍ତୁତ ହୋଇଥାଏ । ଶ୍ରୀବିଗ୍ରହ ମାନଙ୍କ ନିମନ୍ତେ ଫୁଲ, ତୁଳସୀ, ପଣସ ପତ୍ର ପଟୁକାରେ ମହିଳା କାରିଗରମାନେ ପ୍ରସ୍ତୁତ କରିଥାନ୍ତି । 

ଶ୍ରୀଜଗନ୍ନାଥ ଗବେଷକ ଡ. ଭାସ୍କର ମିଶ୍ରଙ୍କ କହିବାନୁସାରେ, ପ୍ରତ୍ୟହ ଶ୍ରୀଜିଉମାନଙ୍କର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବେଶ ହୋଇଥାଏ । କରପଲ୍ଲବ, କୁଣ୍ଡଳ,ତଡଗି, ଚନ୍ଦ୍ରିକା, ଗଭା, ଅଳକା, ତିଳକ, ଝୁମ୍ପା, ନାକୁଅାସି, ଦୟଣା, ଅଧର ମାଳ,ମ କର କୁଣ୍ଡଳ, ଶ୍ରୀପୟର ମାଳା, ହୃଦୟ ପଦକ, କଳି ପଦକ, କୌସ୍ତୁଭ ପଦକ, ଚଉସରା ମାଳ,ଗୁଣା ଓ ଶ୍ରୀଦେବୀ,ଭୂଦେବୀ ଏବଂ ମାଧବଙ୍କ ନିମନ୍ତେ ଛୋଟମାଳ ଇତ୍ୟାଦି ମହିଳା କାରିଗରମାନେ ପ୍ରସ୍ତୁତ କରିଥାନ୍ତି । ପ୍ରତିଦିନ ଅବକାଶ ନୀତି ପରେ ଠାକୁର ମାନଙ୍କ ବେଶ ହେବା ସମୟରେ ନୀଳାଚଳ ଉପବନର ଫୁଲଗୁନ୍ଥା ଘରୁ ୩ଟି ଅଧର ମାଳା ଯୋଗାଯାଇଥାଏ । ଏହାବ୍ୟତୀତ ସନ୍ଧ୍ୟା ଅାଳତୀ ପାଇଁ ଗୁଣା ୩ଟି, ଝୁମ୍ପା ୩ଟି, ଅଧର ମାଳା ୩ଟି ଓ ବଡସିଂହାର ବେଶ ପାଇଁ ବଡ ଅଧର ମାଳା ୩ଟି, ତିଳକ ୩ଟି, ଝୁମ୍ପା ୩ଟି, ନାକୁଅାସି ୩ଟି, କୁଣ୍ଡଳ ୬ଟି ଓ କର ପଲ୍ଲବ ୪ଟି ନିୟମିତ ଭାବେ ଯୋଗାଯାଇଥାଏ ।

Share Post

Leave a Reply

Your email address will not be published. Required fields are marked *

eighteen + 6 =