ମହାପ୍ରଭୁ ବି ଋତୁକୁ ଭୟ କରନ୍ତି କି?

ଭୁବନେଶ୍ୱର: ଓଡ଼ିଶାରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ରକ୍ଷା ପାଇବା ପାଇଁ ସାଧାରଣ ମନୁଷ୍ୟ ଯେଉଁ ପଦ୍ଧତି ଅବଲମ୍ୱନ କରନ୍ତି, ଶରୀରକୁ ସାଲ, ସୁଏଟର ଆଦି ମାଧ୍ୟମରେ ଘୋଡାଇ କରି ରଖନ୍ତି, ମହାପ୍ରଭୁ ବି ସେମିତି କରନ୍ତି । ଶ୍ରୀମନ୍ଦିରରେ ମଧ୍ୟ ଅନୁରୂପ ନୀତି ଅବଲମ୍ୱନ କରାଯାଏ । ମହାପ୍ରଭୁ ନିଜ ଶରୀରକୁ ଘୋଡାଇ ରଖି ସଂସାରର ଋତୁ ଚକ୍ରକୁ ସମ୍ମାନ ଦିଅନ୍ତି ଓ ଶୀତକୁ ସମ୍ମାନ ଦେଇଥାନ୍ତି । କେବଳ ସେତିକି ନୁହେଁ, ସାଧାରଣ ମଣିଷଙ୍କ ଭଳି ତାଙ୍କ କ୍ଷେତ୍ରରେ ମଧ୍ୟ କ୍ରିୟା ଓ ପ୍ରତିକ୍ରିୟା ଘଟେ ଏକଥା ବି ମହାପ୍ରଭୁଙ୍କର ଏହା ମାଧ୍ୟମରେ ସୂଚାଇ ଦେଇଛନ୍ତି । ସ୍କନ୍ଧ ପୁରାଣରେ କୁହାଯାଇଛି ଯେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ମଣିଷ ଭଳି ଲୀଳା ଖେଳା କରୁଛନ୍ତି । ଏଣୁ ମହାପ୍ରଭୁଙ୍କ ନୀତି, ବ୍ୟବସ୍ଥାରେ ମାନବ ଜୀବନର ସବୁ ଉତ୍କର୍ଷ ସ୍ଥାନୀତ କରାଯାଇଛି ବା ପରିଲକ୍ଷିତ ହେଉଛି । 

ମହାପ୍ରଭୁଙ୍କର ଏହି ନୀତିକୁ ଘୋଡ଼ ଲାଗି ବେଶ ବୋଲି କୁହାଯାଇଥାଏ । ମାର୍ଗଶୀର ମାସ ଶୁକ୍ଲ ଷଷ୍ଠୀରୁ ମହାପ୍ରଭୁ ଶୀତବସ୍ତ୍ର ଅାଭୂଷଣ ହୋଇଥାନ୍ତି । ଏହାକୁ ଓଢଣ ଷଷ୍ଠୀ ବୋଲି ମଧ୍ୟ କୁହାଯାଏ । କେବଳ ମହାପ୍ରଭୁ ନୁହଁନ୍ତି, ଶ୍ରୀମନ୍ଦିରର ସଙ୍କେତ ଆଧାରରେ ରାଜ୍ୟର ପ୍ରତି ଗାଁର ଗ୍ରାମଦେବଦେବୀ,  ଗୃହ ଦେବତାଙ୍କ କ୍ଷେତ୍ରରେ ମଧ୍ୟ ଏହା ସଂପାଦିତ ହୋଇଥାଏ । ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁ ଘୋଡ଼ ଲାଗି ହୋଇ ରହିଥାନ୍ତି । 

ଶ୍ରୀମନ୍ଦିର ବ୍ୟବସ୍ଥାରେ ଅବକାଶ ନୀତି ବଢିବା ପରେ ମହାପ୍ରଭୁ ମଧ୍ୟାହ୍ନ ଧୂପ ପର୍ଯ୍ୟନ୍ତ ଘୋଡ଼ ଲାଗି ହୁଅନ୍ତି । ହେଲେ ମଧ୍ୟାହ୍ନ ସମୟରେ ଖରାର ତାତି ବଢ଼ିଯାଇଥିବାରୁ ଘୋଡ଼ ଖୋଲି ଦିଅାଯାଏ । ପୁଣି ମଧ୍ୟାହ୍ନ ଧୂପ ପରେ ଠାକୁରମାନେ ଅପରାହ୍ନରେ ଘୋଡ଼ ପରିଧାନ କରନ୍ତି । ଘୋଡ଼ ବେଶରେ ଗଡା ଖଣ୍ଡୁଅା ପାଟ,ଭେଲଭେଟ୍‍ ଘୋଡ଼,ଫୁଟା, ମଫଲର, ଟୋପି ଅାଦି ବ୍ୟବହୃତ ହୋଇଥାଏ । ଏହି ଘୋଡ଼କୁ ପାରମ୍ପରିକ ଦରଜି ମାନେ ହିିଁ ପ୍ରସ୍ତୁତ କରିଥାନ୍ତି । 

ଗବେଷକମାନଙ୍କ ମତରେ ତିନି ଠାକୁରଙ୍କ ନିମନ୍ତେ ୧୪ ହାତ ଲମ୍ୱ ଓ ୩ ହାତ ଓସାରର ୪ଖଣ୍ଡ ପାଟ ଅାବଶ୍ୟକ ପଡ଼ିଥାଏ । ଶ୍ରୀବଗ୍ରହଙ୍କୁ ଏହି ସମୟରେ ୮ମୂର୍ତି ସୁନାଳଙ୍କାର ବି ଲାଗି କରାଯାଇଥାଏ ।  

ଏଠାରେ ଉଲ୍ଲେଖଥାଉକି, ଗ୍ରୀଷ୍ମ ଋତୁରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବି ଋତୁ ଚକ୍ର ପ୍ରତି ମହାପ୍ରଭୁଙ୍କ ଡର ବା ସମ୍ମାନକୁ ସୂଚିତ କରିଥାଏ । 

Share Post

Leave a Reply

Your email address will not be published. Required fields are marked *

10 + 3 =