କେଉଁ ଆଶୀର୍ବାଦ ଦେଇଥାନ୍ତି ଆଜି ମହାଦେବ

ଭୁବନେଶ୍ୱର: ମହାଶିବରାତ୍ରୀ ହେଉଛି  ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ। ଭକ୍ତମାନେ ଆଜି ସମଗ୍ର ଦେଶ ଓ ବିଦେଶର ବିଭିନ୍ନ ଭାଗରେ ସଦାଶିବଙ୍କ ପୂଜା କରୁଛନ୍ତି। ଓଁ ନମଃ ଶିବାୟ ମନ୍ତ୍ରରେ କମ୍ପୁଛି ପ୍ରତିଟି ଶୈବ କ୍ଷେତ୍ର। ଆଜିର ଦିନଟିର ପବିତ୍ରତା କିଛି ଅଲଗା ବା ସ୍ବତନ୍ତ୍ର। ଦିନସାରା ଭକ୍ତମାନେ ନିର୍ଜଳ ରହିଥାନ୍ତି ଓ ରାତି ଉଜାଗର ରହି ଦୀପଦାନ ଜରିଆରେ ସ୍ବୟଂଭୂଙ୍କୁ ସ୍ମରଣ କରିଥାନ୍ତି। ମହାଦୀପ ଉଠିବାପରେ ଏଥିରେ ପରିସମାପ୍ତି ହୋଇଥାଏ ।

ମହାଶିବରାତ୍ରିର ନିର୍ଯ୍ୟାସ ହେଲା, ଅଜ୍ଞାନ ଓ ଅନ୍ଧାରରୁ ମୁକ୍ତି ପାଇଁ ଏହି ଦିନକୁ ପାଳନ କରାଯାଏ। ଆହୁରି ସରଳ ଭାବେ କହିଲେ, ହିନ୍ଦୁମାନେ ଏହି ରାତିରେ ଶିବଙ୍କ ମାଧ୍ୟମରେ ନିଜ ଜୀବନରେ ତଥା ଜଗତରେ “ଅନ୍ଧକାର ଏବଂ ଅଜ୍ଞତାକୁ ଦୂର କରିବା” ଲାଗି ପ୍ରୟାସ କରିଥାନ୍ତି। ଏହି ପର୍ବ ଆହୁରି ବି କହିଥାଏ ଯେ ଶିବଙ୍କୁ ସ୍ମରଣ,ପ୍ରାର୍ଥନା ଜପ, ଉପବାସ କରିବା ଦ୍ବାରା ସଚ୍ଚୋଟତା, ଅନ୍ୟମାନଙ୍କୁ ଆଘାତ ନକରିବା, ଦାନ, କ୍ଷମା ଭଳି ସଦାଶିବଙ୍କ ଆବିଷ୍କାର କରିଥିବା ନୈତିକତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥାଏ। ଖାସ୍‍ ସେଇଥିପାଇଁ ଭକ୍ତମାନେ ଜାଗରଣ କରି ମନ, ଚେତନା ଓ ବୁଦ୍ଧିରେ ବଡ ଧରଣର ପରିବର୍ତନ ଆଣିଥାନ୍ତି।

କେବଳ ସେତିକି ନୁହେଁ, ଆଜିର ଦିନର ତତ୍ତ୍ୱ ଏକଥା ବି ସୂଚାଇଥାଏ ଯେ ଏ ସୃଷ୍ଟିର ସର୍ଜନା ଏଭଳି ହୋଇଛି, ଯେଉଁଠି ଅନ୍ତିମ ନିର୍ଣ୍ଣାୟକ ବିନ୍ଦୁରେ କେହି କେବେ ବି ପହଞ୍ଚିପାରିବେ ନାହିଁ। ଅର୍ଥାତ୍‍ ଜଗତର ପ୍ରତିଟି ପ୍ରାଣୀ ବଡ ବା ଛୋଟ ବୋଲି କୁହାଯାଇପାରିବ ନାହିଁ। ସମୟର ଆବଶ୍ୟକତାରେ ଜଗତର ପ୍ରତିଟି ସୃଷ୍ଟି କିିଛି ନା କିଛି ଜ୍ଞାନର ଅଧିକାରୀ ଏବଂ ସ୍ଥଳବିଶେଷରେ ଉପଯୋଗୀ ମଧ୍ୟ। ଆଶୁତୋଷ ସ୍ବୟଂ ଆଜିର ଦିନରେ ଭକ୍ତଙ୍କୁ ପ୍ରତ୍ୟକ୍ଷ ଆଶୀର୍ବାଦ ଦେଇଥାନ୍ତି ।

ମହା ଶିବରାତ୍ରୀ ସଂପର୍କରେ ଅନେକ ପୁରାଣରେ ଉଲ୍ଲେଖ କରାଯାଇଛି। ବିଶେଷକରି ସ୍କନ୍ଦ ପୁରାଣ, ଲିଙ୍ଗ ପୁରାଣ ଏବଂ ପଦ୍ମ ପୁରାଣରେ ବିସ୍ତୃତ ବର୍ଣ୍ଣନା ରହିଛି। ମହାଦେବଙ୍କୁ ସ୍ବୟଂ ଶ୍ରୀରାମ ଓ ଶ୍ରୀକୃଷ୍ଣ ପୂଜନ କରିଥିବା ପୂରାଣ ଶାସ୍ତ୍ର ବର୍ଣ୍ଣନା କରନ୍ତି। ତାଙ୍କୁ ପରମାତ୍ମା ଓ କଲ୍ୟାଣକାରୀ ବୋଲି ମଧ୍ୟ କେହି କେହି ଅଭିହିତ କରିଛନ୍ତି।


ମହାଶିବରାତ୍ରିକୁ ନେଇ ବିଭିନ୍ନ କିମ୍ୱଦନ୍ତୀ ଭିନ୍ନ ଭିନ୍ନ କଥା କୁହନ୍ତି । କିଛି ସନ୍ଥଙ୍କ ମତରେ ଆଜି ହିଁ ଶିବ ସମୁଦ୍ର ମନ୍ଥନରୁ ଯେଉଁ ହଳାହଳ ବିଷ ନିର୍ଗତ ହୋଇଥିଲା, ଜଗତର ରକ୍ଷା କରିବା ପାଇଁ ବିଷପାନ କରିଥିଲେ । ଏକଥା ବି କୁହାଯାଏ, ଆଜି ହିଁ ଶିବଲିଙ୍ଗ ପ୍ରକଟିତ ହୋଇଥିଲେ ଓ ଏହାକୁ ଆଧାର ଉଭୟ ବିଷ୍ଣୁ ଓ ବ୍ରହ୍ମାଙ୍କର ପରୀକ୍ଷା ନେଇଥିଲେ ସ୍ୱୟଂ ମହାଦେବ । ଶିବଙ୍କର ଏହି ପ୍ରତୀକ ପୂଜା ଫାଲଗୁନ କୃଷ୍ଣ ଚତୁର୍ଦଶୀ ତିଥିରେ ହିଁ ଆରମ୍ଭ ହୋଇଥିଲା।

ଗୋଟିଏ ମତ ରହିଛି ଯେ ପ୍ରଭୁ ଆଜି ତାଣ୍ଡବ ନୃତ୍ୟ ପ୍ରଦର୍ଶନ କରିଥିଲେ । ବିଶ୍ୱାସ ଅଛି, ଆଜିର ଦିନରେ ପ୍ରଥମ ଗୁରୁ ଆଦି ଯୋଗୀ ଶିବଙ୍କୁ ଆରାଧନା କରି ଜ୍ଞାନ ପ୍ରାପ୍ତି କରିଥିଲେ । ଏକ ପୌରାଣିକ ମତରେ ମହା ଶିବରାତ୍ରି ଦିନ ମା’ ଶକ୍ତିଙ୍କ ସହିତ ପ୍ରଭୁଙ୍କର ବିବାହ ହୋଇଥିଲା ।

ଆମ ବ୍ୟବସ୍ଥାରେ ପ୍ରତି ଚନ୍ଦ୍ରମାସରେ ଶିବଙ୍କୁ ପୂଜା କରାଯାଇଥାଏ । ଦ୍ୱାଦଶ ମାସରେ କରାଯାଉଥିବା ଶିବଙ୍କ ଏହି ପୂଜାଙ୍କୁ ମହାଶିବ ରାତ୍ରି ବୋଲି କୁହାଯାଇଥାଏ । ଅନ୍ୟ ସବୁ ଦେବାଦେବୀଙ୍କ ପୂଜା ଅପେକ୍ଷା ଏହାର ସ୍ୱତନ୍ତ୍ରତା ରହିଛି। ଦିନଟି ଯାକ ଉପବାସ ରହିବା ପରେ ଜାଗର ଜାଳି ଭକ୍ତମାନେ ପ୍ରଭୁଙ୍କ ଆରାଧନା କରିଥାନ୍ତି ଓ ନମଃ ଶିବାୟ ପଞ୍ଚାକ୍ଷର ମନ୍ତ୍ରରେ ପ୍ରକମ୍ପିତ ହୋଇଥାଏ ଶୈବ ପୀଠ।

ଓଡ଼଼ିଶାର ପୁରୀ ଲୋକନାଥ ପୀଠ, ଭୁବନେଶ୍ୱର ଲିଙ୍ଗରାଜ ପୀଠ, ଢେଙ୍କାନାଳର କପିଳାସ ସ୍ଥିତ ପ୍ରଭୁ ଚନ୍ଦ୍ରଶେଖର, ଶରଣକୁଳରେ ଥିବା ଲଡୁବାବା, କଟକ ଧବଳେଶ୍ୱର, ଭଦ୍ରକ ଆଖଣ୍ଡଳମଣି, ବାଲେଶ୍ୱର ନୀଳଗିରି ସ୍ଥିତ ପଞ୍ଚଲିଙ୍ଗେଶ୍ୱର ଠାରୁ ଆରମ୍ଭ କରି ପ୍ରତି ଜିଲ୍ଲାର ପ୍ରମୁଖ ଶୈବ ପୀଠ ଆଜି ଲୋକାରଣ୍ୟ ହୋଇ ଉଠିଛି। ଭାରତର କୋଣ ଅନୁକୋଣରେ ମଧ୍ୟ ଶୈବ ପୀଠରେ ପୂଜାର୍ଚ୍ଚନା ଜାରି ରହିଛି।

ତାମିଲନାଡୁର ତିରୁବନ୍ତମଲାଇରେ ଥିବା ଆନ୍ନା ମଲାଇ ମନ୍ଦିରରେ ଶିବରାତ୍ରି ଧୁମଧାମରେ ପାଳିତ ହୋଇଥାଏ। ଦୀର୍ଘ ୧୪ କିଲୋମିଟର ଧରି ଖାଲି ପାଦରେ ଭକ୍ତମାନେ ପାହାଡ ଉପରକୁ ଯାଇ ପ୍ରଭୁଙ୍କ ଆରାଧନା କରିଥାନ୍ତି। ଦୀପ ଦାନ ଆଦି କରାଯିବାର ପରମ୍ପରା ମଧ୍ୟ ସେଠାରେ ପ୍ରଚଳିତ। ବାରାଣାସୀରେ ଆଜିର ଦିନଟିକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଥାଏ । କଶ୍ମୀର ଆଜି ଭୈରବୋତ୍ସବ ପାଳନ କରାଯାଇଥାଏ। ତାନ୍ତ୍ରିକ ମତରେ ଭକ୍ତମାନେ ଏଠାରେ ପୂଜା କରିଥାନ୍ତି। ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଲକ୍ଷାଧିକ ଭକ୍ତ ରୁଣ୍ଡ ହୋଇଥାନ୍ତି । ଗୁଜରାଟରେ ଦାମୋଦର କୁଣ୍ଡରେ ଆଜି ସ୍ନାନ କରାଯାଏ । ସେଠାରେ ବିଶ୍ୱାସ ଅଛି ପ୍ରଭୁ ସ୍ୱୟଂ ଶିବ ଏହି କୁଣ୍ଡରେ ଏକଦା ସ୍ନାନ କରିଥିଲେ। ପଶ୍ଚିମବଙ୍ଗରେ ଆଜି ତାରକେଶ୍ୱରଙ୍କ ନିକଟରେ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥାଏ । କୁମାରୀ କନ୍ୟା ଶିବଙ୍କ ଭଳି ପତି ପାଇବା ପାଇଁ ଆଜି ସେଠାରେ ମାନସିକ ରଖି ପୂଜା କରିଥାନ୍ତି । ପଞ୍ଜାବରେ ହିନ୍ଦୁମାନେ ଆଜି ଶୋଭାଯାତ୍ରାରେ ଯାଇଥାନ୍ତି।

ନେପାଳରେ ଆଜିର ଦିନଟିକୁ ଛୁଟି ଘୋଷଣା କରାଯାଇଥାଏ । ପଶୁପତିନାଥଙ୍କ ଦର୍ଶନ ଲାଗି ଆଜି ଲକ୍ଷାଧିକ ଭକ୍ତ ଏକାଠି ହୋଇଥାନ୍ତି । ଏଠାରେ ବିବାହିତା ମହିଳାମାନେ ନିଜ ସ୍ୱାମୀଙ୍କ ପାଇଁ ଓ ଅବିବାହିତ ଝିଅ ଶିବଙ୍କ ଭଳି ସ୍ୱାମୀ ପାଇବା ପାଇଁ ମାନସିକ ରଖି ପୂଜା କରିଥାନ୍ତି ।

Share Post

Leave a Reply

Your email address will not be published. Required fields are marked *

one × 4 =