ରଣପୁରର ମଣିନାଗ ଦୁର୍ଗା ଆଦ୍ୟଶାସନ ବୀରରାମଚନ୍ଦ୍ରପୁରରେ କେମିତି

ଭୁବନେଶ୍ୱର: ଓଡ଼ିଶାର ଶାକ୍ତ ପରମ୍ପରାରେ ଅତ୍ୟନ୍ତ ପରିଚିତ ସ୍ଥାନ ତଥା ଅନ୍ୟତମ ଗଜଡାତ ଅଞ୍ଚଳ ଭାବେ ଜଣାଶୁଣା ରଣପୁରର ଅଧିଷ୍ଠାତ୍ରୀ ଦେବୀ ମୈନାକ ପର୍ବତ ବାସିନୀ ମାଆ ମଣିନାଗ ଦୁର୍ଗା ପୁରୀ ଜିଲ୍ଲାର ଅାଦ୍ୟ ବ୍ରାହ୍ମଣ ଶାସନ ବୀର ରାମଚନ୍ଦ୍ରପୁରର  ଥାନପତି । ଏକଥା ଯେ କୌଣସି ବ୍ୟକ୍ତି ଶୁଣିଲା ବେଳେ ଖଟ୍‍କା ଲାଗିପାରେ । ମାତ୍ର ଏକଥା ସତ । ମାଆଙ୍କ ବୀରରାମଚନ୍ଦ୍ର ପୁରକୁ ଆଗମନ ଓ ପ୍ରତିଷ୍ଠା ପଛରେ ଓଡ଼ିଶା ଇତିହାସର ଏକ ଅଜ୍ଞାତ ଅଧ୍ୟାୟ ଲୁଚି ରହିଛି । ଏହା ପଛରେ ଐତିହାସିକ ତଥ୍ୟ ବେଶ୍‍ ଆଦୃତି ଲାଭ କରିନାହିଁ । ବହୁ କିମ୍ୱଦନ୍ତୀ ମଧ୍ୟ ଲୋକମୁଖରେ ପ୍ରଚାରିତ । କିନ୍ତୁ ଏହା ଓଡ଼ିଶାର ଶାକ୍ତ ପରମ୍ପରାରେ ଶାସନମାନଙ୍କର ସମୃଦ୍ଧ ବ୍ୟବସ୍ଥା ସଂପର୍କରେ ସୂଚାଉଛି । 

ଐତିହାସିକ ଗୌରଶ୍ୟାମ ପଟ୍ଟନାୟକ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି, ରଣପୁରର ୧୦୦ତମ ରାଜା ବନମାଳୀ ନରେନ୍ଦ୍ର ନିଜେ ଜଣେ ବିଚକ୍ଷଣ ପ୍ରସ୍ତର ଶିଳ୍ପୀ ଥିଲେ ।ସେ ଏକ କମନୀୟ ମୂର୍ତି ପୂଜା କରୁଥିଲେ ଓ ତାଙ୍କୁ ରାଜବାଟୀର ପର୍ବ ଘରେ ରଖିି ପୂଜା କରୁଥିଲେ । ଦେବୀଙ୍କ ପ୍ରତିମୂର୍ତି ଯିଏ ବୀରରାମଚନ୍ଦ୍ରପୁରରେ ପୂଜା ପାଉଛନ୍ତି,  ତାଙ୍କୁ ପୁରୀ ରାଜା ଚୋରି କରି ନେଇ ଯାଇଥିଲେ । ହେଲେ ଏହି ତଥ୍ୟ ଭ୍ରମାତ୍ମକ ବୋଲି କୁହାଯାଏ, କାରଣ ବୀରରାମଚନ୍ଦ୍ରପୁରରେ ପୂଜିତା ଠାକୁରାଣୀ ପିତଳ ପ୍ରତିମାା ସଂପୃକ୍ତ ଗାଁର ଲୋକମାନେ ଏକଥା ସ୍ପଷ୍ଟ ଭାବେ କୁହନ୍ତି ଯେ ସେଠାରେ କେବେ ବି ଦେବୀ ପଥର ମୂର୍ତି ନଥିଲେ ।  ତେବେ ଏହି କମନୀୟ ମୂର୍ତି ଏବେ କେଉଁଠି, ତାହା ଅନୁସନ୍ଧାନ ସାପେକ୍ଷ । ଅନ୍ୟପକ୍ଷରେ ବୀରରାମଚନ୍ଦ୍ରପୁରରେ ପୂଜା ପାଉଥିବା ମାଆ ମଣିନାଗ ଦୁର୍ଗାଙ୍କ ପିତଳ ପ୍ରତିମା ତଳେ ସଂସ୍କୃତି ଭାଷାରେ କେତେକ ଶ୍ଳୋକ ଖୋଦିତ ହୋଇଛି, ଯାହା ସୂଚାଉଛି ଯେ ଏହା ରାଜା ବନମାଳି ନରେନ୍ଦ୍ରଙ୍କ ଦ୍ୱାରା ନିର୍ମାଣ କରାଯାଇଛି । 

ଅନ୍ୟ ଏକ ମତ ହେଲା, ରଣପୁର ରାଜଶକ୍ତିର ରକ୍ଷା କବଚ ଥିଲେ ଦେବୀ । ଗୋଟିଏ ସମୟରେ ରଣପୁର ଦାୟିତ୍ୱରେ ପୁରୀ ରାଜାଙ୍କର ସେନା ବାହିନୀ ଥିଲେ । ସେ ସମୟରେ ସେନାବାହିନୀ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଖିଲାମୁଣ୍ଡା ଦେବୀଙ୍କ ଶରଣାପନ୍ନ ହୋଇଥିଲେସ୍ଥାନୀୟ ରଣପୁରର ଶବର ରାଜା । ସେଠାରୁ ସେ ଶକ୍ତି ନେଇ ଫେରୁଛନ୍ତି ବୋଲି ଜାଣି, ପୁରୀରୁ ନିୟୋଜିତ ସୈନ୍ୟମାନେ ରଣପୁର ଛାଡିଥିଲେ । ଫେରିବା ବେଳେ ସେମାନେ ପର୍ବଘରେ ପୂଜା ପାଉଥିବା ଦେବୀଙ୍କୁ  (ଏହି ଦେବୀଙ୍କ ଶକ୍ତିରେ ରାଜା ଶକ୍ତିଶାଳୀ ହୋଇଛନ୍ତି ବୋଲି ମନେକରି) ନେଇ ଆସିଥିଲେ । 

କିମ୍ୱଦନ୍ତୀ ଏକଥା ବି କହେ ଯେ ରଣପୁରରୁ ଅଣାଯିବା ପରେ ଦେବୀ ଶ୍ରୀମନ୍ଦିର ରୋଷଘରେ ପ୍ରତିଷ୍ଠା ହୋଇଥିଲେ । ହେଲେ ସେଠାରେ ବିପùାତ ସୃଷ୍ଟି କଲେ । ମହାପ୍ରଭୁଙ୍କ ସେବାରେ ବ୍ୟାଘାତ ସୃଷ୍ଟି ହେଲା । ଏଣୁ ମହାପ୍ରଭୁଙ୍କ ସ୍ୱପ୍ନାଦେଶ କ୍ରମେ  ଗଜପତି ସବୁ ଶାସନକୁ ଡକାଇଥିଲେ । ପଇଡ ଓ ଏଣ୍ଡୁରି ପିଠା ମୋହ ଦେଖାଇ ଦେବୀଙ୍କୁ ତତ୍କାଳୀନ ମହାଜନମାନେ ବୀରରାମଚନ୍ଦ୍ରପୁର ଯାଏ ଆଣିବାରେ ସକ୍ଷମ ହୋଇଥିଲେ । 

ଅନ୍ୟ ଏକ କିମ୍ୱଦନ୍ତୀ କହେ, ବୀରରାମଚନ୍ଦ୍ରପୁର ଅଞ୍ଚଳର ଜଣେ ବ୍ରାହ୍ମଣ କୌଣସି କାମରେ ରଣପୁର ଯାଇଥିଲେ । ସେଠାରେ ରାଜାଘର ଲୋକେ ତାଙ୍କୁ ଧରି ନେଇ ଦେବୀଙ୍କ ପାଖରେ ବଳି ଦେବାକୁ ଚାହିଁଥିଲେ । ହେଲେ ସେ ଜୀବିତାବସ୍ଥାରେ ଫେରିଥିଲେ ଓ ସାଙ୍ଗରେ ମଣିନାଗ ଦୁର୍ଗାଙ୍କ ମୂର୍ତି ବି ଆଣିଥିଲେ ।

ହେଲେ ଅନୁସନ୍ଧାନରୁ ଏକଥା ଜଣାପଡିଛି ଯେ ରଣପୁର ରାଜାଙ୍କ ଉଆସରେ ତିନି ଠାକୁରାଣୀ ପୂଜା ପାଉଛନ୍ତି । ସେମାନେ ହେଲେ ବନଦୁର୍ଗା, ଜୟଦୁର୍ଗା ଓ ନାରାୟଣୀ । କିନ୍ତୁ ପୂର୍ବରୁ ପୂଜା ପାଉଥିବା ଉଗ୍ରତାରା ଆଉ ନାହାନ୍ତି । ଏଣୁ ଅନୁମାନ କରାଯାଉଛି,  ଉପର ମଣିନାଗରେ ପୂଜା ପାଉଥିବା ଉଗ୍ରତାରାଙ୍କ ଚଳନ୍ତି ପ୍ରତିମା ହିଁ ବୀରରାମଚନ୍ଦ୍ରପୁରରେ ମଣିନାଗ ଭାବେ ପୂଜା ପାଉଛନ୍ତି । ସମ୍ଭବତଃ ଗଠନ ଶୈଳୀରେ ଏହି ମୂର୍ତି ଉଚ୍ଚ ଓ ସ୍ୱତନ୍ତ୍ର ହୋଇଥିବା ପରିପ୍ରେକ୍ଷୀରେ ରାଜା ତାଙ୍କୁ ମଣିନାଗ ଦୁର୍ଗା ଭାବି ନେଇ ଆସିଛନ୍ତି ଓ ସେହି ନାମରେ ସେ ପରିଚିତି ଲାଭ କରିଛନ୍ତି ।

କେବଳ ସେତିକି ନୁହେଁ, ତଳ ମଣିନାଗଙ୍କ ପୂଜା ସହିତ ବୀରରାମଚନ୍ଦ୍ରପୁରରେ ପୂଜିତ ଦେବୀଙ୍କର ଅନେକ ସାମଞ୍ଜସ୍ୟ ରହିଛି । ତଳ ମଣିନାଗ ଶବରଙ୍କ ଦ୍ୱାରା ପୂଜା ପାଉଥିଲେ ଓ  ୧୯୮୦ ମସିହା ପରଠାରୁ ବ୍ରାହ୍ମଣଙ୍କ ଦ୍ୱାରା ପୂଜା ପାଉଛନ୍ତି । ମାତ୍ର ଉଭୟ ଦେବୀ ବନଦୁର୍ଗା ମନ୍ତ୍ରରେ ପୂଜା ପାଉଛନ୍ତି । ମଣିନାଗ ପାହାଡ଼ ତଳେ ପୂଜିତା ଦେବୀ ଦୁର୍ଗାଙ୍କ ପୂଜା ବେଳେ ଯେମିତି ଖିଲାମୁଣ୍ଡାଙ୍କୁ ବରଣ କରି ଅଣାଯାଇଥାଏ, ବୀର ରାମଚନ୍ଦ୍ରପୁରରେ ମଧ୍ୟ ମୂଳାଷ୍ଟମୀ ପୂର୍ବଦିନ ତାଙ୍କ ସାନ ଭଉଣୀ ଭାବେ ପରିଚିତ ମାଳେଶ୍ୱରୀଙ୍କ ଆଜ୍ଞାମାଳ ଅଣାଯାଇଥାଏ ଓ ଦଶହରା ଦିନ ତାଙ୍କୁ ପୁଣି ସସମ୍ମାନେ ତାଙ୍କ ଆସ୍ଥାନକୁ  ଫେରାଇ ନିଆଯାଏ । 

ଉଲ୍ଲେଖଯୋଗ୍ୟ, ବିଶ୍ୱାବସୁ ଶବରର ସେବା ପୂଜାରେ ସନ୍ତୁଷ୍ଟ ହୋଇ ଆବିର୍ଭାବ ହୋଇଥିଲେ ନୀଳମାଧବ । ନୀଳମାଧବଙ୍କ ନିର୍ଦେଶରେ ସ୍ଥାନାନ୍ତର ହୋଇଥିଲେ ତାଙ୍କ ଭାଇ ବିଶ୍ୱବାସବ ଓ  ତାଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ମାଆ ମଣିନାଗ ରଣପୁରରେ ଆବିର୍ଭାବ ହୋଇଥିଲେ । ଏଣୁ ମହାପ୍ରଭୁଙ୍କ ସହିତ ଦେବୀଙ୍କ ସଂପର୍କ ପରବର୍ତୀ ସମୟରେ ଏହି ଶାସନର ଗୁରୁତ୍ୱରୁ ବହୁଗୁଣିତ କରୁଛି । ଦେବୀ ବୀରରାମଚନ୍ଦ୍ରପୁରରେ ଅତ୍ୟନ୍ତ ପ୍ରତ୍ୟକ୍ଷ । ସେବା ପୂଜାରେ ବିଭ୍ରାଟ ହେଲେ, ଦେବୀ ତତ୍କାଳ ଦଣ୍ଡ ଦେଇଥିବାର ନଜିର କିଛି କମ୍‍ ନାହିଁ । 

Share Post

Leave a Reply

Your email address will not be published. Required fields are marked *

twelve + four =