ଆଜିଠାରୁ ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶ

ଭୁବନେଶ୍ୱର: ପ୍ରତିବର୍ଷ ଶ୍ରୀଜଗନ୍ନାଥ ମନ୍ଦିରରେ ଅାଶ୍ୱିନ ଶୁକ୍ଲ ଏକାଦଶୀ ଠାରୁ କାର୍ତ୍ତିିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଶ୍ରୀଜିଉ ମାନଙ୍କର ପବିତ୍ର ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । ପୈାରାଣିକ ମତାନୁଯାୟୀ ଅକ୍ରୁର ମଥୁରାକୁ ଯିବା ସମୟରେ ଯମୁନା ନଦୀରେ ସ୍ନାନ କରୁଥିବା ସମୟରେ ଜଳ ମଧ୍ୟରେ ପ୍ରଭୁଙ୍କର ଏହି ବେଶ ଦର୍ଶନ କରିଥିଲେ । ଏଭଳି ମନୋରମ ବେଶ କାର୍ତ୍ତିକ ମାସରେ ଦୀର୍ଘ ୧ମାସ ଧରି ହୋଇଥାଏ ।

ଦଶହରା ପରଦିନ ଅର୍ଥାତ୍‍ ଏକାଦଶୀ ଠାରୁ ହେଉଥିବା ରାଧା ଦାମୋଦର ବେଶ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଚାଲିଥାଏ । ଅର୍ଧେକ କଳା ଓ ଅର୍ଧେକ ଧଳା ବସ୍ତ୍ରରେ ଅାବୃତ ହୋଇଥାନ୍ତି ମହାପ୍ରଭୁ ।

ଅମାବାସ୍ୟା ପରଠାରୁ ଶୁକ୍ଲ ଦଶମୀ ମଧ୍ୟରେ ସୋମବାର ପଡିଲେ ବଳଭଦ୍ରଙ୍କ ବାଡରେ ହରିହର ବେଶ ହୋଇଥାଏ । ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ତ୍ରିକଚ୍ଛ ପରିଧାନ କରିଥାନ୍ତି । ହସ୍ତରେ ଲାଗିହୁଏ ସୁବର୍ଣ୍ଣ ନଳୀଭୂଜ । ବାଉଁଶ ପାତିଅା ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ଡି ଉପରେ ରହିଥାଏ । ଚୂଳର ଅଗ୍ରଭାଗରେ ଚନ୍ଦ୍ରିକ ଶୋଭାପାଏ । କର୍ଣ୍ଣ ଦେଶରେ କୁଣ୍ଡଳ,କଟି ତଟରେ ଶୋଭା ବିସ୍ତାର କରେ ଓଡିଅାଣି, ମସ୍ତକରେ ତଡଗି,ଚନ୍ଦ୍ର,ସୂର୍ଯ୍ୟ ଏବଂ ଚିତା ଇତ୍ୟାଦି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଥାନ୍ତି । ଏତଦବ୍ୟତୀତ ବିଭିନ୍ନ ପୁଷ୍ପ ଅଳଙ୍କାର, ବାରଲାଗି ପାଟଶାଢ଼ୀ, ଫୁଟା ଶିରିକପଡା,ପହରଣ,ବଳା,ଅଧର ବଳା ଓ ଉତ୍ତରୀୟ ବସ୍ତ୍ର ପରିଧାନ କରିଥାନ୍ତି ।

ପରଂବ୍ରହ୍ମ ଠାକୁର ମାନଙ୍କର ଏହି ଅାନନ୍ଦ ପ୍ରଦାୟକ ରାଧାଦାମୋଦର ବେଶ ଦର୍ଶନ କରିବା ନିମନ୍ତେ ଦୈନଦିନ ହଜାର ହଜାର ସଂଖ୍ୟକ କାର୍ତ୍ତିକ ବ୍ରତ ପାଳନ କରୁଥିବା ବୃଦ୍ଧ,ବୃଦ୍ଧା ତଥା ଭକ୍ତଗଣ ଶ୍ରୀମନ୍ଦିରରେ ଉପସ୍ଥିତ ରହି ପ୍ରଭୁ ମାନଙ୍କର ଅାକର୍ଷଣୀୟ ବେଶ ଦେଖି ନିଜକୁ ଧନ୍ୟ ମନେ କରିଥାନ୍ତି ।

Share Post

Leave a Reply

Your email address will not be published. Required fields are marked *

seven + seventeen =