ବଟଗଣେଶଙ୍କ ସହ ମହାପ୍ରଭୁଙ୍କ ଦର୍ଶନର କି ସଂପର୍କ ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ଶ୍ରୀଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁ ଗ୍ରହଣ କରିପାରିଲେ ନାହିଁ । ପ୍ରବଳ ବିରୋଧ ହେଲା । ଏହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ହେଲା । ଏହାକୁ ବିରୋଧ କରାଯିବା ପଛର ଅନେକ କାରଣ ମଧ୍ୟରୁ ଗୋଟିଏ କାରଣ ହେଉଛି ଶ୍ରୀମନ୍ଦିରରେ ପ୍ରଚଳିତ ବ୍ୟବସ୍ଥା ଓ ଶହ ଶହ ବର୍ଷ ଧରି ରହିଥିବା ଧାର୍ମିକ ବିଶ୍ୱାସ । 

ଏ ବିଶ୍ୱାସଟି ହେଉଛି, ଶ୍ରୀମନ୍ଦିର ବେଢ଼ା ପରିକ୍ରମା ସହିତ ବଟ ଗଣେଶଙ୍କୁ ଦର୍ଶନ କରିବା ପରେର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ବିଧି ରହିଛି । ହେଲେ ଶ୍ରୀମନ୍ଦିରରେ ଯେଉଁ ଧାଡି ଦର୍ଶନ ବ୍ୟବସ୍ଥା ହୋଇଥିଲା, ସେଥିରେ ପ୍ରଥମେ ମହାପ୍ରଭୁଙ୍କର ଦର୍ଶନ କରାଯିବା ପାଇଁ କୁହାଗଲା, ଯାହାକୁ ଭକ୍ତ ବା ଶ୍ରୀମନ୍ଦିର ବ୍ୟବସ୍ଥା ସହିତ ସଂପୃକ୍ତ ବ୍ୟକ୍ତିମାନେ ଗ୍ରହଣ କରିପାରିଲେ ନାହିଁ । 

ଏହା ପଛରେ ଏକ ଯୁକ୍ତି ମଧ୍ୟ ରହିଛି । ସାଧୁସନ୍ଥମାନେ ବାରମ୍ୱାର ସଙ୍କେତ ଦେଇଛନ୍ତି ଯେ ଶ୍ରୀମନ୍ଦିର କେବଳ ଏକ ସାଧାରଣ ମନ୍ଦିର ନୁହେଁ, ଏହା ଚାରି ଧାମ ମଧ୍ୟରୁ ଅନ୍ୟତମ । ଏଠାରେ ପ୍ରଭୁ ସ୍ୱୟଂ ବିରାଜମାନ କରିଛନ୍ତି ବୋଲି ବିଭିନ୍ନ ପୁରାଣରେ ସ୍ପଷ୍ଟ ଭାବେ ରହିଛି । ଆମ ବ୍ୟବସ୍ଥାରେ ଯେ କୌଣସି ପୂଜାରେ ଗଣପତି ବା ଗଣେଶଙ୍କୁ ପ୍ରଥମେ ପୂଜା କରାଯିବାର ବିଧି ରହିଛି । ସେ ସର୍ବସିଦ୍ଧି ଦାତା, ସର୍ବଶକ୍ତିମାନ ଭାବେ ବିଦିତ, ଅଗ୍ର ପୂଜ୍ୟ । ଘରେ ହେଉ ବା ବାହାରେ, ଘର ପ୍ରତିଷ୍ଠା ହେଉ ଅଥବା ଦେବତା ପ୍ରତିଷ୍ଠାତ୍ସୋବ, ବିବାହ, ବ୍ରତ ସବୁ କ୍ଷେତ୍ରରେ ଆଗେ ଗଣପତି ବା ଗଣେଶଙ୍କୁ ପୂଜା କରାଯିବାର ବ୍ୟବସ୍ଥା ରହିଛି । 

ଶ୍ରୀମନ୍ଦିର ବେଢାରେ ଗଣେଶଙ୍କ ପ୍ରଭାବ ମଧ୍ୟ କିଛି କମ ନାହିଁ । ଯଦିଓ ଏକାଧିକ ଗଣେଶ ବିଦ୍ୟମାନ ଅଛନ୍ତି, କିନ୍ତୁ ବଟ ଗଣେଶ ପ୍ରମୁଖ ବୋଲି ବିବେଚନା କରାଯାଏ ।  କଳ୍ପବଟ ମୂଳରେ ଥବା ଏହି ଗଣେଶଙ୍କୁ ନେଇ କିମ୍ୱଦନ୍ତୀ ବି ଚମତ୍କାର । ତାଙ୍କୁ କେହି କେହି କଳ୍ପ ଗଣେଶ, ସିଦ୍ଧ ଗଣେଶ, ଚିନ୍ତାମଣି ଗଣେଶ ବୋଲି କହିଥାନ୍ତି । ବିଶ୍ୱାସ କରାଯାଏ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ପ୍ରଥମେ ତାଙ୍କୁ ହିଁ ପୂଜା କରାଯାଉଥିଲା । ପ୍ରାୟ ୭ଶହରୁ ଅଧିକ ବର୍ଷ ଧରି ପ୍ରଭୁ ସେଠାରେ ପୂଜା ପାଉଥିବା କୁହାଯାଉଛି । ଏହି ମନ୍ଦିରଟି ଉଚ୍ଚତାରେ ପ୍ରାୟ ୧୨ଫୁଟ ହେବ । ଧବଳଅାକୃତି ପଥରରେ ତିଅାରି ଏହି ଗଣେଶ ବିଗ୍ରହଙ୍କର ଉଚ୍ଚତା ପ୍ରାୟ ୪ଫୁଟ ହେବ । ପ୍ରଭୁ ଏଠାରେ କଳ୍ପ ଶାନ୍ତ ମୁଦ୍ରାରେ ବିରାଜିତ । କଳ୍ପ ଗଣେଶ ମନ୍ଦିରର ଜଗମୋହନ ତଳକୁ କଳା ମୁଗୁନି ପଥରରେ ତିଅାରି ଏକ କ୍ଷୁଦ୍ର ମୂଷିକ ବାହାନ ଅଛନ୍ତି । ଏହି ମୂଷିକର ସ୍ଥାପତ୍ୟ ଅତ୍ୟନ୍ତ କମନୀୟ । 

ଏକଦା ସୂର୍ଯ୍ୟବଂଶୀ ଗଜପତି ମହାରାଜ ଶ୍ରୀ ପୁରୁଷୋତ୍ତମ ଦେବଙ୍କ ରାଜତ୍ୱ କାଳରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ପିତା ତଥା କପିଳେଶ୍ୱର ପୁର ଗ୍ରାମର ପଣ୍ଡିତ ଭଗବାନ ଦାସ ଶ୍ରୀଗଣେଶଙ୍କ ସାମ୍ନାରେ ସଂସ୍କୃତ ପୁରାଣ ପାଠ କରୁଥିଲେ । ଅତିବଡ଼ି ଜଗନ୍ନାଥ ଦାସ ମଧ୍ୟ କଳ୍ପବଟସ୍ଥ ଗଣେଶଙ୍କ ସମ୍ମୁଖରେ ନିତ୍ୟ ଭାଗବତ ପାଠ କରୁଥିଲେବୋଲି କୁହାଯାଏ । 

Share Post

Leave a Reply

Your email address will not be published. Required fields are marked *

twenty − 16 =