କେମିତି ହୁଏ ଗଜାନନ ବେଶର ନିର୍ମାଣ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ତତ୍ତ୍ୱକୁ ବିଶ୍ୱ ସାମ୍ନାରେ ଉପସ୍ଥାପନା ଦାୟିତ୍ୱ ସାଧୁ ସନ୍ଥଙ୍କ ହାତରେ ନିହତ ଥିଲା । ଏ କ୍ଷେତ୍ରରେ ମଠମାନଙ୍କ ଭୂମିକାକୁ ଏଡାଇ ଦିଆଯାଇପାରିବ ନାହିଁ । ଏଇ ଯେମିତି ସ୍ନାନ ଯାତ୍ରାରେ ମହାପ୍ରଭୁଙ୍କ ଗଜାନନ ବେଶ ପ୍ରସ୍ତୁତିରେ ଦୁଇଟି ମଠର ବଡ଼ ଭୂମିକା ରହିଛି । ଗୋଟିଏ ହେଲା ରାଘବ ଦାସ ମଠ, ଅନ୍ୟଟି ହେଲା ଗୋପାଳ ତୀର୍ଥ ମଠ।
ଅକ୍ଷୟତୃତୀୟା ଦିନ କେବଳ ମହାପ୍ରଭୁଙ୍କର ରଥର ଅନୁକୂଳ ହୋଇଥାଏ ବା ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ, ତା ନୁହେଁ । ସେଦିନ ମହାପ୍ରଭୁଙ୍କର ହାତୀ ବେଶ ନିର୍ମାଣ କାମ ଆରମ୍ଭ କରିଥାନ୍ତି ରାଘବ ଦାସ ଓ ଗୋପାଳ ତୀର୍ଥ ମଠ । ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରମ୍ପରା ସହିତ ଯୋଡି ହୋଇ ରହିଥିବା ଦରଜି, ଚିତ୍ରକର,କାରିଗର ପ୍ରମୁଖ ଏହି ନିର୍ମାଣ କରିଥାନ୍ତି । ସେବେଠାରୁ ସେମାନେ ହବିଷ୍ୟାନ୍ନ ଗ୍ରହଣ କରିଥାନ୍ତି ।
ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ନିର୍ମାଣ ଦାୟିତ୍ୱ ରାଘବ ଦାସ ମଠ ଉପରେ ନିହିତ ରହିଛି । ଶ୍ରୀ ବଳଭଦ୍ର ଓ ସୁଦର୍ଶନଙ୍କ ବେଶ ଯୋଗାଇଥାନ୍ତି ଗୋପାଳତୀର୍ଥ ମଠ । କୌତୂହଳର କଥା ହେଲା, ଏହି ବେଶ ପାଇଁ ପୁରୀ ଛଇତନାରୁ ତାଟ ଆସୁଥିଲା । ଏବେ କିନ୍ତୁ ମଠ ନିଜେ ଏହାକୁ ପ୍ରସ୍ତୁତ କରୁଛନ୍ତି । ରଣପୁରର ବାସୁଦିଆ ମୌଜାରୁ କଦଳୀ ପଟୁକା ୩ ଗୋଛା ଆସିଥାଏ । ମହାପ୍ରଭୁଙ୍କୁ ଲାଗି ପୂର୍ବରୁ ପ୍ରଥମେ ବେଶକୁ ସଂସ୍କାର କରି ପଣା ଭୋଗ କରାଯାଇଥାଏ । ଏହାପରେ କାହାଳି, ଘଣ୍ଟ, ଘସା ବାଦ୍ୟ ସହିତ ସ୍ୱତନ୍ତ୍ର ଯାତ୍ରାରେ ଏହାଙ୍କୁ ଶ୍ରୀମନ୍ଦିରକୁ ଅଣାଯାଇଥାଏ । ଭିତରଚ୍ଛ, ତଳୁଚ୍ଛ, ପୁଷ୍ପାଳକ, ଦଇତା, ଖୁଣ୍ଟିଆ ପ୍ରଭୁଙ୍କର ଗଜାନନ ବେଶ କରାଇଥାନ୍ତି । ବେଶ ଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖରେ କର୍ପୁର ଲାଗି ହୋଇଥାଏ ।

Share Post

Leave a Reply

Your email address will not be published. Required fields are marked *

3 × 1 =