ଜ୍ଞାନଶକ୍ତି ଭାବେ ରତ୍ନସିଂହାସନରେ ଉଭା ହୋଇଛନ୍ତି ଭୂଦେବୀ

ଭୁବନେଶ୍ୱର: ରତ୍ନ ସିଂହାସନରେ ଚତୁର୍ଧାମୂର୍ତିଙ୍କୁ ଦର୍ଶନ କରାଯିବା କଥା ଲୋକମୁଖରେ ପ୍ରଚାରିତ, ବାସ୍ତବରେ କିନ୍ତୁ ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନ ସିଂହାସନରେ ସପ୍ତଧା ବିଗ୍ରହ ବା ସାତ ଜଣ ବିଗ୍ରହ ଅଛନ୍ତି । ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କ ବ୍ୟତୀତ ଆଉ ତିନି ଜଣ ଠାକୁର ହେଲେ ଭୂଦେବୀ, ଶ୍ରୀଦେବୀ ଏବଂ ମାଧବ । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଭୂଦେବୀଙ୍କ ନାମ ପରିବର୍ତେ ସରସ୍ୱତୀ ବୋଲି ଉଲ୍ଲେଖ କରାଯାଇଛି । କେହି କେହି ଗବେଷକ ଏକଥା ବି ଦର୍ଶାଇଛନ୍ତି ଯେ ମହାପ୍ରଭୁଙ୍କ ବାମ ପାର୍ଶ୍ୱରେ ଭୂଦେବୀ ଅବସ୍ଥାନ କରୁଛନ୍ତି । ମାତ୍ର ଦେବୀ ଶ୍ରୀଜଗନ୍ନାଥଙ୍କ ଡାହାଣ ପାର୍ଶ୍ୱରେ ବିଦ୍ୟମାନ ଅଛନ୍ତି । 

ରତ୍ନବେଦୀ ଉପରେ ବିରାଜିତା ମାଆ ଭୂଦେବୀଙ୍କ ମୂର୍ତି ରୌପ୍ୟରେ ନିର୍ମିତ । ରତ୍ନମଣ୍ଡପରେ ବିରାଜିତା ଭୂଦେବୀ ଦ୍ୱିଭୂଜା ବିଶିଷ୍ଟା । ଦେବୀଙ୍କର ଡାହାଣ ହସ୍ତରେ ଜ୍ଞାନ ମୁଦା୍ର ଓ ବାମ ହସ୍ତରେ ପଦ୍ମ ଶୋଭା ପାଉଛି । କେହି କେହି କୁହନ୍ତି, ଭୂଦେବୀ ଧବଳ ବର୍ଣ୍ଣା ହେତୁ ତାଙ୍କର ପ୍ରତିମା ରୂପାରେ ନିର୍ମିତ ହୋଇଛି । କିନ୍ତୁ ଶାସ୍ତ୍ର କହେ,  ପ୍ରଜାପିତା ବ୍ରହ୍ମା ବରାହ ରୂପ ଧାରଣ କରି ଭୂଦେବୀଙ୍କୁ ଉଦ୍ଧାର କରିଥିଲେ । ଅାଗମ ଶାସ୍ତ୍ରରେ ଶ୍ରୀ (ଲକ୍ଷ୍ମୀ) ଓ ଭୂମି (ଭୂଦେବୀ)ଙ୍କୁ ବିଷ୍ଣୁଙ୍କର ପତ୍ନୀଭାବେ ବର୍ଣ୍ଣନା କରାଯାଇଛି । ଉଭୟ ଦେବୀ ଯଥାକ୍ରମେ ସତ୍ତ୍ୱ ଓ ରଜ ଗୁଣର ପ୍ରତୀକ । ଆଉ କିଛି ଗବେଷକ କହନ୍ତି, ଶ୍ରୀମନ୍ଦିରରେ ଶ୍ରୀଦେବୀ ହେଉଛନ୍ତି ଇଛାଶକ୍ତି ଓ ଭୂଦେବୀ ଜ୍ଞାନ ଶକ୍ତି । ତେଣୁ ଭୂଦେବୀଙ୍କୁ ଶୀ୍ରମନ୍ଦିରରେ ସରସ୍ୱତୀ ବୋଲି ବର୍ଣ୍ଣନା କରାଯାଇଥାଏ ।

ପ୍ରତ୍ୟହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାଡର ସେବା, ପୂଜାଭୋଗ ନୈବେଦ୍ୟରେ ମାଧବ,ଶୀ୍ର ସୁଦର୍ଶନ,ଭୂଦେବୀ ଓ ଶ୍ରୀଦେବୀଙ୍କୁ ପୂଜା କରାଯାଇଥାଏ । ଗର୍ଭଗୃହ ବା ପୋଖରିଅାରେ ଯେଉଁ ପନ୍ତି ହୁଏ,ସେଥିରେ ଭୂଦେବୀଙ୍କ ପାଇଁ ପନ୍ତିରେ ଭୋଗ ନୈବେଦ୍ୟ ହୋଇଥାଏ । ପ୍ରତ୍ୟେକ ଗୁରୁବାର ସକାଳ ଧୂପ ପରେ ପୁଷ୍ପାଳକ ମହାଜନ ସେବକ ରତ୍ନସିଂହାସନରୁ ଭୂଦେବୀ,ଶୀ୍ରଦେବୀଙ୍କୁ ଏବଂ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅାଣି ମାଜଣା ମଣ୍ଡପରେ ବିଜେ କରିଥାନ୍ତି । ସେଠାରେ ମାଜଣା ନୀତି ହୋଇଥାଏ । ଚନ୍ଦନ ଯାତ୍ରାରେ ମଧ୍ୟ ମଦନମୋହନଙ୍କ ସହ ଏହି ଦୁଇ ପ୍ରତିମା ନରେନ୍ଦ୍ର ସରୋବରକୁ ଯାତ୍ରା କରିଥାଅାନ୍ତି । ଦୋଳଯାତ୍ରାରେ ଦୋଳବେଦୀକୁ ବିଜେ,ଚୈତ୍ରଶୁକ୍ଲ ତ୍ରୟୋଦଶୀ ଦିନ ଦମନକ ଚୋରି ନୀତିରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ ଇତ୍ୟାଦି କେତେକ ବିଶେଷ ନୀତିରେ ଭୂଦେବୀ ଅାଜ୍ଞାମାଳ ପ୍ରାପ୍ତ ହୋଇ ବିଜେ କରିଥାଅାନ୍ତି ।

Share Post

Leave a Reply

Your email address will not be published. Required fields are marked *

four × 4 =