ଶ୍ରୀ ନୀଳଚକ୍ରରେ ବାନା ନଥିଲେ ମହାପ୍ରଭୁଙ୍କୁୁ ଭୋଗ ଲାଗେ ନାହିଁ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀ ଗଲା ବେଳେ ବୀରହରେକୃଷ୍ଣପୁର ଛକ ନିକଟରେ ଆପେ ହାତ ଉପରକୁ ଉଠିଯାଏ । ସେହିଠାରୁ ହିଁ ଜଳ ଜଳ ଦିଶନ୍ତି ନୀଳଚକ୍ର । ଆଉ ଅଠରନଳାରେ ପହଞ୍ଚିବା ବେଳକୁ ନୀଳଚକ୍ରର ଜାଜ୍ଜୁଲ୍ୟମାନ ରୂପ ଶ୍ରଦ୍ଧାଳୁଙ୍କୁ ଶ୍ରୀଜଗନ୍ନାଥଙ୍କ ମନସ୍କ କରିଦେଇଥାଏ । ଶ୍ରୀମନ୍ଦିର ଚୂଡାରେ ବିଦ୍ୟମାନ ଶ୍ରୀ ନୀଳଚକ୍ର ଯେତିକି ସୁନ୍ଦର, ସେତିକି ତାଙ୍କର ମହିମାନ୍ୱିତ । ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ଶ୍ରୀନୀଳଚକ୍ରଙ୍କୁ ଦର୍ଶନ କରନ୍ତି । ସମସ୍ତେ ଜାଣନ୍ତି, ଶ୍ରୀମନ୍ଦିରର ରତ୍ନସିଂହାସନରେ ଦାରୁ ବିଗ୍ରହ ଭାବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗ୍ରହଣରେ ଶ୍ରୀ ସୁଦର୍ଶନ ସ୍ତମ୍ଭ ସ୍ୱରୂପରେ ବିରାଜିତ । 

ଶ୍ରୀ ନୀଳଚକ୍ରଙ୍କ ଦ୍ୱାରା ଶ୍ରୀମନ୍ଦିରର ଭାରସାମ୍ୟ ରହିଥାଏ ବୋଲି କୁହାଯାଏ । ଶିଳ୍ପଶାସ୍ତ୍ର କହେ, ଯେ କୌଣସି ବିଷ୍ଣୁ ମନ୍ଦିର ଉପରେ ଚକ୍ରାୟୁଧ ସ୍ଥାପନ ଅନିବାର୍ଯ୍ୟ । ଖାସ ଏହି କାରଣରୁ ପୁରୀ ବଡ଼ଦାଣ୍ଡରୁ ୨୧୫ ଫୁଟ ୮ ଇଞ୍ଚ ଉପରେ ଅର୍ଥାତ୍‍ ଶ୍ରୀମନ୍ଦିର ଶୀର୍ଷରେ ଶ୍ରୀ ନୀଳଚକ୍ର ରହିଛନ୍ତି । 

ତଥ୍ୟ କହେ,  ଶ୍ରୀ ନୀଳଚକ୍ରଙ୍କର ଓଜନ ପ୍ରାୟ ୧୫୦୦ କିଲୋଗ୍ରାମ୍‍, ଉଚ୍ଚତା ୧୨ଫୁଟ । ଆଉ ଓସାର ହେଉଛି ୭ଫୁଟ ୬ଇଞ୍ଚ । ବାହ୍ୟ ଚକ୍ର ଓ ଅନ୍ତଃ ଚକ୍ର ଏଭଳି ଦୁଇଟି ଚକାକୁ ନେଇ ଶ୍ରୀ ନୀଳଚକ୍ରଙ୍କର ନିର୍ମାଣ କରାଯାଇଛି । କେନ୍ଦ୍ରସ୍ଥଳ ସ୍ଥିତ ବୃତ୍ତାକାର କ୍ଷେତ୍ରର ବ୍ୟାସ ଦୁଇ ଫୁଟ ଅଢେଇ ଇଞ୍ଚ ଏବଂ  ଅାଠ ଅର ବିଶିଷ୍ଟ । ପ୍ରତ୍ୟେକ ଅରର ଦୈର୍ଘ୍ୟ ପ୍ରାୟ ୧ଫୁଟ୍‍ ୧୦ଇଞ୍ଚ ।

ଶ୍ରୀମନ୍ଦିରରୁ ମିଳୁଥିବା ତଥ୍ୟ ଅନୁସାରେ, ଶ୍ରୀନୀଳଚକ୍ର ବିଗ୍ରହ ଅଷ୍ଟଦାତୁରେ ନିର୍ମିତ । ଏଥିରେ ଅଧା ଲୁହା,ପାଏ ତମ୍ୱା,ସୁନା,ରୂପା,ଦସ୍ତା,ସୀସା ଓ ପାରା ଛଅ ଧାତୁର ପାଏ ଭାଗ ଥାଏ । ଅତିଉଚ୍ଚ ଶ୍ରୀମନ୍ଦିରକୁ ବଜ୍ରପାତରୁ ରକ୍ଷା କରିବା ପାଇଁ ନୀଳଚକ୍ର ସହ ସଂଯୁକ୍ତ ହୋଇ ଗୋଟିଏ ତମ୍ୱା ଧାତବ ପାତ ମନ୍ଦିରର ଦକ୍ଷିଣ ପଟେ ତଳକୁ ଯାଇ ଭିତର ବେଢ଼ାସ୍ଥ ବିମଳାଙ୍କ ମନ୍ଦିର ନିକଟରେ ଥିବା କୂପର ନିମ୍ନ ଭାଗରେ ପଡିଛି ।

ଏକଥା ଜାଣି ବିସ୍ମିତ ଭକ୍ତ ବିସ୍ମିତ ହୋଇଥାନ୍ତି ଯେ ଶ୍ରୀନୀଳଚକ୍ରଙ୍କର ରଙ୍ଗ ପ୍ରତ୍ୟହ ବଦଳିଥାଏ । ଅଷ୍ଟଧାତୁରେ ନିର୍ମିତ ଏହି ନୀଳଚକ୍ର ସୂର୍ଯ୍ୟୋଦୟ ସମୟରେ ଶ୍ୱେତବର୍ଣ୍ଣ ଦିଶନ୍ତି । ମଧ୍ୟାହ୍ନରେ ତାଙ୍କ ରଙ୍ଗ ବଦଳି ଗାଢ଼ ନୀଳବର୍ଣ୍ଣ ଧାରଣ କରିଥାଏ । ଆଉ ସୂର୍ଯ୍ୟାସ୍ତ ସମୟରେ ଇଷତ୍‍ ଲୋହିତ ବର୍ଣ୍ଣ ଧାରଣ କରି ଶ୍ରଦ୍ଧାଳୁଙ୍କ ସାମ୍ନାରେ ପ୍ରକଟିତ ହୋଇଥାନ୍ତି । 

ଶ୍ରୀ ନୀଳଚକ୍ରରେ ଉଡୁଥିବା ଧ୍ୱଜା  ବା ପତାକାକୁ ପତିତପାବନ ବାନା ବୋଲି  ଭକ୍ତମାନେ କହନ୍ତି । ପରମ୍ପରା ଅନୁଯାୟୀ ଶ୍ରୀ ନୀଳଚକ୍ରରେ ବାନା ନଥିଲେ ଶ୍ରୀଜଗନ୍ନାଥଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ଶ୍ରୀ ବିଗ୍ରହଙ୍କୁ ଯଦି କୌଣସି ଭୋଗ ସର୍ମପଣ ହୋଇ ନପାରିଲା,  ତାହାକୁ ଏବଂ ବାହାର ଦେଉଳି ଭୋଗରେ ପ୍ରସ୍ତୁତ ଖଜା,ମଗଜ ଲଡୁ ,ଗଜା,ଲୁଣୁ ଖୁରୁମା ପାରିଜାତକ ଇତ୍ୟାଦି ଭୋଗ ଦ୍ରବ୍ୟକୁ ପୂଜକ ଶ୍ରୀନୀଳଚକ୍ରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ । ଏହାକୁ ଶ୍ରୀମନ୍ଦିର ଭାଷାରେ ସର୍ପମଣୋହି ବୋଲି କୁହାଯାଏ । 

ଶ୍ରୀ ସୁଦର୍ଶନଙ୍କ ନୀତିସହ ଶ୍ରୀ ନୀଳଚକ୍ରଙ୍କ ପୂଜାବିଧିର ସଂର୍ପକ ରହିଛି । ପ୍ରତ୍ୟେକ ଏକାଦଶୀ ଦିନ ରାତ୍ରରେ ଶ୍ରୀନୀଳଚକ୍ରରେ ମହାଦୀପ ଉଠେ । ଏହି ଦୀପଟି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ । ଏଥିରେ ପ୍ରାୟ ୧୩୫୦ଗ୍ରାମ୍‍ ଗୁଅା ଘିଅ ସହ ବଳିତା ଥାଏ । ଏହି ଦୀପ ଦର୍ଶନ କରି ଭକ୍ତ କୃତ୍ୟ କୃତ୍ୟ ହୋଇଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

5 × 4 =