କେନ୍ଦ୍ରାପଡାକୁ କେମିତି ଆସିଲେ ଲକ୍ଷ୍ମୀ ବରାହ, ଜାଣନ୍ତୁ

ବୈତରଣୀ ବନ୍ୟା ବଢାଇଥିଲା ସଂପର୍କ, ଆଜି ବି ଯଜ୍ଞ ବରାହ ଅଛନ୍ତି ଯାଜପୁରରେ

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାର ଆଳିର ଧୋୟା ଅଞ୍ଚଳରେ ଏବେ ପ୍ରବଳ ବନ୍ୟା। କାଣୀ ଓ ଖରସ୍ରୋତାର ପ୍ରଭାବରେ ଏହି ଅଞ୍ଚଳ ଜଳମଗ୍ନ। ଲୋକେ ନାହିଁ ନଥିବା ଦୁର୍ଦଶା ଭିତରେ ଅଛନ୍ତି। କିମ୍ବଦନ୍ତୀ ଅଛି, ଦିନେ ଏମିତି ଏକ ବନ୍ୟା ସମୟରେ ପ୍ରଭୁ ଲକ୍ଷ୍ମୀ ବରାହ ଆବିର୍ଭାବ ହୋଇଥିଲେ ଆଳିରେ। ଯାଜପୁର ଜିଲ୍ଲା ଛାଡି ନିଜ ଭକ୍ତଙ୍କ ପାଇଁ ଚାଲିଆସିଥିଲେ କେନ୍ଦ୍ରାପଡା। ପାଖାପାଖି ପାଞ୍ଚଶହ ବର୍ଷରୁ ଅଧିକ ଦିନ ହେଲାଣି ପ୍ରଭୁ ଲକ୍ଷ୍ମୀ ବରାହ ଜିଉ ଆଳିରେ ପୂଜା ପାଇ ଆସୁଛନ୍ତି। ଏହି ବନ୍ୟା ଯାଜପୁର ଓ କେନ୍ଦ୍ରାପଡ଼ା ଭିତରେ ଗୋଟିଏ ବଡ଼ ସାଂସ୍କୃତିକ ସଂପର୍କ ସହଜରେ ଯୋଡିଛି, ଯାହାକୁ ଆଜି ୫୦୦ବର୍ଷ ପରେ ଆମେ ମନେ ପକାଉଛନ୍ତି।

ଆଳି ଲକ୍ଷ୍ମୀବରାହ ମନ୍ଦିର ସିଂହଦ୍ବାର

କିମ୍ବଦନ୍ତୀ କହେ, ଆଳି ରାଜବଂଶରେ ଜଣେ ଅତ୍ୟନ୍ତ ଧର୍ମପରାୟଣ ରାଜା ଥିଲେ। ସେ ପ୍ରତ୍ୟହ ପ୍ରତ୍ୟୁଷରୁ ଯାଜପୁର ଯାଇ ଯଜ୍ଞ ବରାହ ଯାଉଥିଲେ, ଖାସ୍ ପ୍ରଭୁଙ୍କ ଦର୍ଶନ ପାଇଁ। ସେତେବେଳେ ଆଜି ଭଳି ସଡକ ପଥରେ ଏଭଳି ସୁବିଧା ନଥିଲା। ନଦନଦୀ ପାର ହୋଇ ରାଜା ଠାକୁରଙ୍କୁ ଟିକିଏ ଦର୍ଶନ ପାଇଁ ଯାନ୍ତି। ଏକଦା ବୈତରଣୀ ନଦୀରେ ବିଶାଳ ବନ୍ୟା ଆସିଲା। ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଉ ରାଜା ଯାଇପାରିଲେ ନାହିଁ।

ପ୍ରଭୁ ଏକଥା ସହିପାରିଲେ ନାହିଁ। ନିଜ ଭକ୍ତଙ୍କୁ ଦେଖିନପାରି ପ୍ରଭୁ ବିଚଳିତ ହୋଇପଡିଲେ। ବନ୍ୟା ଛାଡିବା ପରେ ରାଜା ପୁଣି ଥରେ ଠାକୁରଙ୍କ ଦର୍ଶନ ପାଇଁ ଯାନ୍ତେ, ପ୍ରଭୁ ନିଜର ଭକ୍ତର ମନକଷ୍ଟ ଜାଣି ରାତିରେ ସ୍ବପ୍ନାଦେଶ ଦେଲେ। ଜଣାଇଲେ ଯେ ରାଜା, ମୁଁ ତୋ ପଛେ ପଛେ ତୋ ଅଞ୍ଚଳକୁ ଯିବି। ତୁ ମୋତେ ସାଥିରେ ଆଣିବୁ। ହେଲେ ସର୍ତ୍ତ ଏୟା ଯେ, ଯେଉଁଠି ତୁ ପଛକୁ ଚାହିଁବୁ, ମୁଁ କିନ୍ତୁ ସେଇଠି ରହିଯିବି। ସ୍ବପ୍ନାଦେଶ ଅନୁସାରେ, ସେହି ତିଥି ବାରରେ ରାଜାଙ୍କୁ ଅନୁଧାବନ କରି ଯଜ୍ଞ ବରାହ ଆସିଲେ ଆଳି ଯାଏ।

ଠାକୁରଙ୍କ ପାଦୁକା

ହେଲେ ପ୍ରଭୁ ଭକ୍ତଙ୍କ ପାଇଁ କପଟ କଲେ। ରାଜା ରାଜପ୍ରାସାଦ ନେଇଗଲେ, ସାଧାରଣ ଲୋକ ତାଙ୍କ ଦର୍ଶନରୁ ବଞ୍ଚିତ ହେବେ। ଏଣୁ ପେଞ୍ଚ କଲେ ପ୍ରଭୁ। ବାଲିପୂର୍ଣ୍ଣ ସୋରିଷ କିଆରିରେ ଅଟକି ରହିଲେ। କାହିଁକି ପ୍ରଭୁ ଆସିବା ଶୁଭୁନାହିଁ ବୋଲି ରାଜା ପଛକୁ ଚାହାନ୍ତେ, ଲକ୍ଷ୍ମୀ ବରାହ ସେହିଠାରେ ହିଁ ଛିଡା ହୋଇ ରହିଥିବା ଦେଖିବାକୁ ପାଇଲେ, ଯେଉଁଠି ଆଜି ବିଶାଳ ମନ୍ଦିର ରହିଛି।

ପରବର୍ତୀ ସମୟରେ ରାଜା ୭୮ଫୁଟର ବିଶାଳ ମନ୍ଦିର ନିର୍ମାଣ କରିଛନ୍ତି। ବର୍ଷକ ୧୨ମାସ ପ୍ରଭୁଙ୍କର ଯାନିଯାତ୍ରା ଖଞ୍ଜା ହୋଇ ରହିଛି। ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସୁଛନ୍ତି। ହେଲେ ନା ସଂସ୍କୃତି ବିଭାଗ ଏହି ମନ୍ଦିରକୁ ସ୍ବୀକୃତି ଦେଇଛି ନା ପର୍ଯ୍ୟଟନ କେନ୍ଦ୍ର ଭାବେ ଏହା ଘୋଷଣା କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଯାଜପୁରରେ ଯଜ୍ଞ ବରାହ ଆଜି ବି ପୂଜା ପାଉଛନ୍ତି। ହେଲେ ଆଳିରେ ପୂଜା ପାଉଛନ୍ତି ଲକ୍ଷ୍ମୀ ବରାହ ଜିଉ। ବିଂଶ ଶତାଦ୍ଦୀରେ ରାଜା ବ୍ରଜ ସୁନ୍ଦର ଦେଓ ଏହି ବିଶାଳ ମନ୍ଦିରର ପୁନରୁଦ୍ଧାର ତଥା ନବୀକରଣ କରିଛନ୍ତି।

Share Post

Leave a Reply

Your email address will not be published. Required fields are marked *

20 + 14 =