ପର୍ଶୁରାମଙ୍କ ସହ ସୁରେଶ୍ୱରୀ ପୀଠର ସଂପର୍କ କଣ, ଆସନ୍ତୁ ଜାଣିବା

ଭୁବନେଶ୍ୱର: ପଶ୍ଚିମ ଓଡିଶା ଅନ୍ତର୍ଗତ ସୋନପୁର ସହରର ଦକ୍ଷିଣ-ପଶ୍ଚିମ କୋଣରେ ଲକ୍ଷ୍ମୀ ଭଣ୍ଡାର ସମ୍ମୁଖରେ ମାଅା ସୁରେଶ୍ୱରୀଙ୍କ ପୀଠ । ଓଡିଅା ସାହିତ୍ୟର ଅାଦିକବି ସାରଳା ଦାସ ପଞ୍ଚଦଶ ଶତାବ୍ଦୀରେ ସ୍ୱରଚିତ ଚଣ୍ଡୀ ପୁରାଣରେ ଦେବୀ ସୁରେଶ୍ୱରୀଙ୍କୁ ୬୪ ଯୋଗିନୀ ମଧ୍ୟରୁ ଅନ୍ୟତମ ଯୋଗିନୀ ଭାବରେ ବର୍ଣ୍ଣନା କରିଛନ୍ତି ।

କିମ୍ୱଦନ୍ତୀ କହେ,ପର୍ଶୁରାମ ପୃଥିବୀକୁ ବହୁବାର ପରିକ୍ରମା କରିବା ପରେ ଅଧିକାଂଶ କ୍ଷତ୍ରୀୟ ବୀରଙ୍କୁ ନିପାତ କରିଥିଲେ । ପରେ ସୋନପୁରରେ ଏକ ଯଜ୍ଞାନୁଷ୍ଠାନ ସଂଯୋଜନା କରିଥିଲେ । ମାତା ରେଣୁକାଙ୍କ ନିର୍ଦେଶ କ୍ରମେ ଦେବୀ ସୁରେଶ୍ୱରୀଙ୍କୁ ସ୍ଥାପନା କରାଯାଇଥିଲା । ସେହି ରେଣୁକା ପୀଠ ହେଉଛି ଅାଜିର ସୁରେଶ୍ୱରୀ ମନ୍ଦିର । କିମ୍ୱଦନ୍ତୀର ସ୍ମାରକୀ ରୂପେ ସେଦିନର ପର୍ଶୁରାମଙ୍କ ଯଜ୍ଞକୁଣ୍ଡ ଖଉଳ ଗାତ ଅାଜି ବି ମନ୍ଦିର ପରିସରରେ ଥିବା ଶିମୁଳି ଗଛ ମୂଳରେ ରହିଛି ।

ସୋମବଂଶୀ ଶାସନ କାଳରେ ମାଅା ସୁରେଶ୍ୱରୀ ଦୁର୍ଗର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଉଥିଲେ । ଚୌହାନ ରାଜା ଅଚଳ ସିଂହଦେଓଙ୍କ ରାଜତ୍ୱ କାଳରେ ସୁରେଶ୍ୱରୀ ମନ୍ଦିର ନିର୍ମିତ ହୋଇଥିଲା । ପରେ ମହାରାଜା ବୀରମିତ୍ରଙ୍କ ରାଜତ୍ୱ ବେଳକୁ ଏହାକୁ ସଂପ୍ରସାରିତ କରାଯାଇଛି ।

ପ୍ରତିଦିନ ପଞ୍ଚ ଉପଚାରରେ ଚାମୁଣ୍ଡା ମନ୍ତ୍ରରେ ଦେବୀ ସୁରେଶ୍ୱରୀଙ୍କୁ ପୂଜା କରାଯାଏ । ଦଶହରା ଦିନ ମନ୍ଦିରରେ ମହାବଳୀର ଚୁଳ ବନ୍ଧନ କରାଯାଏ । ଚୈତ୍ର ମାସ ରାମନବମୀରେ ବାସନ୍ତୀ ପୂଜା ଅନୁଷ୍ଠିତ ହୋଇଥାଏ । ପ୍ରତି ମଙ୍ଗଳବାର ଅମାବାସ୍ୟା ଓ ସଂକ୍ରାନ୍ତି ଦିନ ୧୦୮ ବତୀରେ ଦେବୀଙ୍କୁ ସଂଜ ଅାଳତୀ କରାଯାଏ । ମନ୍ଦିରର ଚତଃୁପାର୍ଶ୍ୱରେ କାର୍ତ୍ତିିକ, ଗଣେଶ ଓ ଚତୁର୍ଭୁଜା ପାର୍ବତୀ ବିଗ୍ରହ ସଂଯୋଜିତ ହୋଇଛନ୍ତି । ଅାଶ୍ୱିନ ମାସରେ ଦେବୀଙ୍କ ନିକଟରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିରହିଥାଏ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅାଖାଇ ଦିନ ଦେବୀଙ୍କ ପାଖକୁ ପାହୁଡ଼ ଯାଇ ପ୍ରଥମ ଅନ୍ନ ଅର୍ପଣ କରାଯାଇଥାଏ । 

Share Post

Leave a Reply

Your email address will not be published. Required fields are marked *

five × five =