ବଡ଼ ଦାଣ୍ଡରେ ତିନି ରଥ ନିର୍ମାଣ ଆଗେଇ ଚାଲିଛି

ଗୋଡାଇଲାଣି ରଥଯାତ୍ରା ଚିନ୍ତା

ଭୁବନେଶ୍ୱର,୮/୭ (ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କିଭଳି ସୁରୁଖୁରୁରେ ସମାହିତ ହେବ, ସେ ନେଇ ରାଜ୍ୟ ସରକାରଙ୍କର ଚିନ୍ତା ବଢି ଚାଲିଛି । ସଂପ୍ରତି ଶ୍ରୀମନ୍ଦିର ସଂସ୍କାର ଆଳରେ ସୁପ୍ରିମକୋର୍ଟ ଯେଉଁ ଛାଟ ମାରିଛନ୍ତି, ତାହା ଏ କ୍ଷେତ୍ରରେ ବାଡ଼ ଭଳି ଠିଆ ହେଲାଣି । ଏକାସଙ୍ଗରେ ସୁପ୍ରିମକୋର୍ଟ, ଭକ୍ତସମାଜ ଓ ସେବାୟତଙ୍କୁ ସନ୍ତୁଷ୍ଟ କରିବା ସରକାରଙ୍କ ପାଇଁ କାଠିକର ପାଠ ହୋଇପଡିଛି । ଼

ଶ୍ରୀମନ୍ଦିରରେ କିଛି ସେବାୟତ କରୁଥିବା ଦୌରାତ୍ମ୍ୟକୁ ରୋକିବା ଲାଗି ସରକାର ଅତ୍ୟନ୍ତ କଠୋର ହେବେ । ଏ ନେଇ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଥାନାର ସୁଦୃଢୀକରଣ ଦିଗରେ ପଦକ୍ଷେପ ନିଆଯିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଂହଦ୍ୱାର ଥାନାକୁ ରାଜ୍ୟର ବଡ଼ ଥାନାର ମାନ୍ୟତା ଦେଇଥିଲେ । ହେଲେ ଏହା ଆଜି ପର୍ଯ୍ୟନ୍ତ କେବଳ ଘୋଷଣାରେ ସୀମିତ ରହିିଛି । ଏବେ ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ପାଇଁ ଥାନାର ସଶକ୍ତିକରଣ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଆବଶ୍ୟକ ପଡିଲେ ଶ୍ରୀମନ୍ଦିର ପୁଲିସ ପାଇଁ ସ୍ୱତନ୍ତ୍ର ପୋଷାକ କରାଯିବ ଓ  ମନ୍ଦିର ସୁରକ୍ଷା କର୍ମୀଙ୍କୁ ଥାନା ଅଧୀନକୁ ଅଣାଯାଇପାରେ । କେବଳ ସେତିକି ନୁହେଁ, କେଣସି ପରିସ୍ଥିତିରେ ବି ଦାନ ଆଦାୟ ହେବନାହିଁ, ତାହାକୁ ପ୍ରଶାସନ ସୁନିଶ୍ଚିତ କରିବା ସହିତ ଶୃଙ୍ଖଳିତ ଦର୍ଶନ, ଆନନ୍ଦବଜାରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଦିଗରେ ପଦକ୍ଷେପ ନିଆଯିବ । 

ଅନ୍ୟପକ୍ଷରେ ସେବାୟତଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିବା ଲାଗି ସରକାର ଚାହୁଁନାହାନ୍ତି । ଖୋଦ୍‍ ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ପ୍ରମୁଖ ରାଜନେତାମାନଙ୍କର ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବଳ ଦେଇଛି । କାଳେ ସେବାୟତ କୋର୍ଟଙ୍କ ନିର୍ଦେଶନାମା ଓ କଟକଣାରେ ବିଗିଡିଯିବେ, ସେଥିପାଇଁ ସେମାନଙ୍କୁ ମନଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଗତକାଲି ଖୋଦ୍‍ ମୁଖ୍ୟମନ୍ତ୍ରୀ କିଛି ପ୍ରମୁଖ ସେବାୟତଙ୍କୁ ଭେଟି ଆଲୋଚନା କରିଛନ୍ତି । ପୁରୀ ସାଂସଦ ପିନାକୀ ମିଶ୍ର, ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଏମାନଙ୍କୁ ବୁଝାସୁଝା କରିବା ଲାଗି ଯୋଜନା ହୋଇଛି । ବିଜେଡିର ଜଣେ ଯୁବ ନେତା ମଧ୍ୟ ସମାନ୍ତରାଳ ଭାବେ ପୁରୀରେ କ୍ୟାମ୍ପ କରି ସେବାୟତମାନଙ୍କ ସହିତ ଯୋଗସୂତ୍ରରେ ଅଛନ୍ତି । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପ୍ରଶାସନିକ ଅଧିକାରୀ ବିଭିନ୍ନ ସେବାୟତଙ୍କ ସହିତ ଘନ ଘନ ବୈଠକ ଜାରି ରଖିଛନ୍ତି । ତିନି ରଥରେ ୧୨ଟିି ହୁଣ୍ଡି ଲଗାଇବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ସେହିଭଳି ଗୁଣ୍ଡିଚା ମନ୍ଦିରରେ ମଧ୍ୟ ୬ଟି ହୁଣ୍ଡି ଲଗାଯିବ । ଏହା ଫଳରେ ଭକ୍ତମାନେ ସେବାୟତଙ୍କ ବଦଳରେ ଏହି ହୁଣ୍ଡିରେ ହିଁ ଅର୍ଥ ଆଦି ପକାଇବେ । 

Share Post

Leave a Reply

Your email address will not be published. Required fields are marked *

nineteen + 3 =