ଜାଣନ୍ତୁ, ଶ୍ରୀମନ୍ଦିର ପରମ୍ପରାରେ ରାମଲୀଳାର ଗହନ କଥା

ପୁରୀ: ଚୈତ୍ର ଶୁକ୍ଳ ନବମୀ ତିଥିରେ ଶ୍ରୀରାମ ନବମୀ ଠାରୁ ସ୍ବତନ୍ତ୍ର ନୀତିମାନ ଶ୍ରୀମନ୍ଦିରରେ ସମ୍ପାଦିତ ହୋଇଥାଏ । ମହାପ୍ରଭୁଙ୍କ ରାମ ଅବତାରର ବିଭିନ୍ନ ଉତ୍ସବକୁ ନୀତି ମାଧ୍ୟମରେ ଉପସ୍ଥାପନ ସହ ପୁରୀର ବହୁ ଲୋକପ୍ରିୟ ସାହି ଯାତ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

ଶ୍ରୀରାମ ନବମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ନୀତି ପାଳିତ ହୁଏ । ଭିତର କାଠ ସାମ୍ନାରେ ପଂଚବର୍ଣ୍ଣ ମୁରୁଜରେ ଜନ୍ମ ମଣ୍ଡଳ ପକାଯାଏ । ଆଜ୍ଞାମାଳ ପାଇବା ପରେ ଶ୍ରୀରାମ ଏହି ମଣ୍ଡଳ ଉପରେ ବିଜେ କରନ୍ତି । ଏଠାରେ ଦୁଇଜଣ ସେବକ ଦଶରଥ ଏବଂ କୌଶଲ୍ୟା ହୁଅନ୍ତି । ଖଣ୍ଡୁଆ ପାଟ ଘୋଡ଼ାଇ ଶ୍ରୀରାମଙ୍କ ଜନ୍ମବିଧି ପାଳନ ହୋଇଥାଏ । ଏହି ତିଥିରେ କଟକ ଖପୁରିଆ ସ୍ଥିତ ଓଡିଶା ବନ ଉନ୍ନୟନ ନିଗମର କରତକଳରେ ରଥକାଠ ଚିରଟ ଅନୁକୂଳ ହୁଏ ।

ଚୈତ୍ର ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିରରେ ପବିତ୍ର ଯଜ୍ଞରକ୍ଷା ଓ ସୁଦଶା ବ୍ରତ ପାଳିତ ହୁଏ । ସନ୍ଧ୍ୟାଧୂପ ଓ ଦକ୍ଷିଣ ଘର ଭୋଗ ସରିବା ପରେ ଆଜ୍ଞାମାଳ ପାଇ ରାମ ଲକ୍ଷ୍ମଣ ପାଲିଙ୍କିରେ ଘଣ୍ଟ, ଛତା ଓ କାହାଳୀ ପଟୁଆରରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ସେଠାରେ ହରଚଣ୍ଡୀ ସାହି ଲୋକେ ଯାନିଯାତ୍ରା ବାହାର କଲା ପରେ ଦିଅଁଙ୍କ ବାହୁଡା ବିଜେ ଅନୁଷ୍ଠିତ ହୁଏ। ଚୈତ୍ର ଶୁକ୍ଳ ଏକାଦଶୀରେ ଶ୍ରୀମନ୍ଦିରରେ ସୀତା ବିବାହ ଓ କାମଦା ଏକାଦଶୀ ନୀତି ପାଳିତ ହୁଏ । ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇ ଶ୍ରୀବିଗ୍ରହମାନେ ଶାଢୀ ଖଣ୍ଡୁଆ ଲାଗି ହୁଅନ୍ତି ।

ଏକାଦଶୀରେ ମଦନମୋହନ ଶ୍ରୀମନ୍ଦିର ବେଢା ପରିକ୍ରମା କରନ୍ତି । ସନ୍ଧ୍ୟାଧୂପ ଓ ଦକ୍ଷିଣ ଘର ଭୋଗ ସରିବା ପରେ ଆଜ୍ଞାମାଳ ପାଇ ରାମ, ଲକ୍ଷ୍ଣଣ ଏବଂ ସୀତା ପାଲିଙ୍କିରେ ଘଣ୍ଟା, ଛତା ଓ କାହଳୀ ପଟୁଆରରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ସେଠାରେ ହରଚଣ୍ଡୀ ସାହି ଲୋକେ ପର୍ଶୁରାମ ପ୍ରସ୍ତାବ ଆଗତ କଲା ପରେ ଦିଅଁମାନେ ବାହୁଡା ବିଜେ କରନ୍ତି ।

ଚୈତ୍ର ଶୁକ୍ଳ ଦ୍ହାଦଶୀରେ ଶ୍ରୀମନ୍ଦିରରେ ପବିତ୍ର ବନବାସ ଓ କନ୍ଦର୍ପ ଅଧିବାସ ନୀତି ଅନୁଷ୍ଠିତ ହୁଏ । ଏଥିରେ ଆଜ୍ଞାମାଳ ପାଇ ରାମ ଲକ୍ଷ୍ମଣ ଓ ସୀତାଦେବୀ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ସେଠାରେ ମାର୍କଣ୍ଡେଶ୍ବର ସାହି ଲୋକେ ବନବାସ ପ୍ରସ୍ତାବ (ଲୀଳା) କରିଥାନ୍ତି । ପରେ ବାହୁଡା ବିଜେ ହୋଇ ମହାପ୍ରଭୁଙ୍କ ଚନ୍ଦନ ଲାଗି ବଢିବା ପରେ କନ୍ଦର୍ପ ଅଧିବାସ ନୀତି ହୋଇଥାଏ ।

ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ଶ୍ରୀମନ୍ଦିରରେ ଦୟଣାଚୋରୀ ଓ ଅନଙ୍ଗ ତ୍ରୟୋଦଶୀ ନୀତି ଅନୁଷ୍ଠିତ ହେଉଅଛି । ଏହି ଦିନ ମଧ୍ୟାହ୍ନ ଧୂପ ସରିବା ପରେ ରାମ କୃଷ୍ଣ ଶୋଭାଯାତ୍ରାରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ମଠ ଉଦ୍ୟାନରୁ ଦୟଣା ଗଛ ଅଣାଯାଇ ଅଧିବାସିତ ହୁଏ, ଯାହା ମହାପ୍ରଭୁଙ୍କୁ ଚର୍ତୁଦଶୀରେ ଲାଗି ହୋଇଥାଏ ।

ଚୈତ୍ର ଶୁକ୍ଳ ଚର୍ତୁଦଶୀରେ ଶ୍ରୀମନ୍ଦିରରେ ଦମନକ ଚର୍ତୁଦଶୀ, ଦୟଣା ବେଢା, ମାୟାମୃଗ ଓ ସୀତାଚୋରୀ ନୀତି ହୋଇଥାଏ। ଏହି ଦିନ ସକାଳ ଧୂପ ପରେ ମହାପ୍ରଭୁଙ୍କ ସର୍ବାଙ୍ଗ,ବେଶ ଏବଂ ଛଅ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥାଏ । ଏହାପରେ ଅନ୍ୟାନ୍ୟ ନୀତି ହେବା ସହ ଶ୍ରୀବିଗ୍ରହଙ୍କୁ ଦୟଣା ଲାଗି ହୁଏ । ସନ୍ଧ୍ୟାଧୂପ ପରେ ରାମ ଲକ୍ଷ୍ମଣ ଦେବ ଆଜ୍ଞାମାଳ ପାଇ ପାଲିଙ୍କିରେ ପୂର୍ବଦିନ ପରି ଜଗନ୍ନାଥ ବଲ୍ଲଭକୁ ବିଜେ କରିଥାନ୍ତି । ସେଠାରେ କୁଣ୍ଢେଇବେଣ୍ଟସାହି ଲୋକେ ମାୟାମୃଗ ପ୍ରସ୍ତାବ (ଲୀଳା) କରିଥାନ୍ତି ।

ଚୈତ୍ର ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଲଙ୍କାପୋଡି ନୀତି ଅନୁଷ୍ଠିତ ହୁଏ । ଏହି ଦିନ ସନ୍ଧ୍ୟାଧୂପ ପରେ ରାମ ଲକ୍ଷ୍ମଣ ପ୍ରତିମା ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ପାଲିଙ୍କି ଜଗନ୍ନାଥ ବଲ୍ଲଭରେ ପହଂଚିବା ପରେ ଦୋଳମଣ୍ଡପ ସାହି ଲୋକେ ଲଙ୍କାପୋଡି ପ୍ରସ୍ତାବ (ଲୀଳା) କରିଥାନ୍ତି ।

ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସେତୁବନ୍ଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହୁଏ । ସନ୍ଧ୍ୟାଧୂପ ପରେ ରାମ ଲକ୍ଷ୍ମଣ ପାଲିଙ୍କିରେ ଘଣ୍ଟ, ଛତା, କାହାଳୀ ପଟୁଆର ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ସେଠାରେ ବାଲିସାହି ପକ୍ଷରୁ ସେତୁବନ୍ଧ ପ୍ରସ୍ତାବ (ଲୀଳା) ଅନୁଷ୍ଠିତ ହୁଏ ।

ବୈଶାଖ କୃଷ୍ଣ ଦ୍ବିତୀୟାରେ ଶ୍ରୀମନ୍ଦିରରେ ରାବଣବଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହୁଏ । ସନ୍ଧ୍ୟାଧୂପ ସମୟରେ ବାଲିସାହିର ଜଣେ ବ୍ୟକ୍ତି ରାବଣ ବେଶରେ ଶ୍ରୀମନ୍ଦିର ଜଗମୋହନ କାଠ ପାଖରେ ଦଣ୍ଡାୟମାନ ହୁଅନ୍ତି । ସିଂହାସନ ଛୁଆଁ ଆଜ୍ଞାମାଳ ପାଇ ସେ ସାହି ବୁଲିବାକୁ ଯାଆନ୍ତି । ଏହି ସନ୍ଧ୍ୟାଧୂପ ପରେ ରାମ ଲକ୍ଷ୍ଣଣ ପାଲିଙ୍କିରେ ଘଣ୍ଟ, ଛତା ଓ ବଜନ୍ତ୍ରୀ ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ସେଠାରେ ବାଲିସାହି ପକ୍ଷରୁ ରାବଣବଧ ପ୍ରସ୍ତାବ (ଲୀଳା) ଅନୁଷ୍ଠିତ ହୁଏ ।

ପୁଷ୍ୟା କର୍କଟ ନକ୍ଷତ୍ର ସହ ମହାପ୍ରଭୁଙ୍କ ତାରାଶୁଦ୍ଧି ପଡୁଥିବା ତିଥିରେ ଥିବାରୁ ଶ୍ରୀ ମନ୍ଦିରରେ ରାମାଭିଷେକ ନୀତି ଅନୁଷ୍ଠିତ ହୁଏ । ଏହିଦିନ ସନ୍ଧ୍ୟା ଆଳତି ସରିବା ପରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମନ୍ତ ମହାପ୍ରଭୁଙ୍କୁ ଆଜ୍ଞାମାଳ ପାଇ ରଥକୁ ବିଜେ କରନ୍ତି ।

ରଥ ନିଶବ୍ଦରେ (ନନ୍ଦିଗ୍ରାମ) ଜଗନ୍ନାଥ ବଲ୍ଲଭକୁ ବିଜେ କରିଥାନ୍ତି । ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ଗୌଡ଼ବାଡ଼ ସାହିରୁ ଦୁଇଜଣ ଲୋକ ଭରତ ଶତ୍ରୁଘ୍ନ ବେଶ ହୋଇ ଶ୍ରୀମନ୍ଦିରକୁ ଆସିଥାନ୍ତି । ଶ୍ରୀମନ୍ଦିର ଭଣ୍ଡାରରୁ ପାଦୁକା ନେଇ ଘଣ୍ଟ ଛତା ଓ କାହାଳୀ ସହ ଅଭିଷେକ ପ୍ରସ୍ତାବ (ଲୀଳା) ନିମନ୍ତେ ଜଗନ୍ନାଥବଲ୍ଲଭ ମଠକୁ ଯାତ୍ରା କରିଥାନ୍ତି ।

Share Post

Leave a Reply

Your email address will not be published. Required fields are marked *

nineteen − eighteen =