ଆଜି “ନୀଳାଦ୍ରି ମହୋଦୟାଷ୍ଟମୀ”: କାହିଁକି ଦିନଟି ପ୍ରସିଦ୍ଧ

ପୁରୀ: ଆଜି ହେଉଛି ବୈଶାଖ ଶୁକ୍ଳ ଅଷ୍ଟମୀ।ଏହାକୁ “ନୀଳାଦ୍ରି ମହୋଦୟାଷ୍ଟମୀ” ବୋଲି କୁହାଯାଏ। ଆଜିର ଦିନ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏଇଥିପାଇଁ ଯେ ଓଡ଼ିଶାର ଅସ୍ମିତା ଏହା ସହ ଯୋଡ଼ି ହୋଇରହିଛି। ଶ୍ରୀଜଗନ୍ନାଥ ମନ୍ଦିର ଦ୍ୱାଦଶ ଯାତ୍ରା ବ୍ୟତୀତ ତ୍ରୟୋଦଶ ଯାତ୍ରା ଭାବେ “ନୀଳାଦ୍ରି ମହୋଦୟ” କୁ ବିବେଚନା କରାଯାଏ।

ଆଜି ଦିନର ବିଶେଷତ୍ତ୍ବ ହେଲା, ସ୍କନ୍ଦ ପୁରାଣ ଅନୁଯାୟୀ, ବୈଶାଖ ମାସର ପୁଷ୍ୟା ଯୋଗ ଯୁକ୍ତ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାର ଦିବସରେ ସ୍ୱୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କାଯ୍ୟ ସମ୍ପାଦନା କରିଥିଲେ। ଆଜି ହେଉଛି ସେହିିଦିନ ଏବଂ ଅଷ୍ଟମ ତିଥି ସହିତ ଗୁରୁବାର ରହିଛି।

ଏହାକୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଭାବେ ପାଳନ କରାଯାଏ। ଏହିଦିନରେ ଅଭିଷେକ ସକାଶେ ଜଳ ଅଧିବାସ ଲାଗି ବୈଶାଖ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ରାତ୍ର ଚନ୍ଦନଲାଗି ବଢିବା ପରେ ଭୋଗମଣ୍ଡପ ଧୋପଖାଳ(ଜଳ ଦ୍ୱାରା ପରିଷ୍କାର) ହୋଇ ଗୋଟିଏ ଚାନ୍ଦୁଆ ବନ୍ଧାଯାଏ। ଜଳ ପରିପୂର୍ଣ୍ଣ ୧୦୮ଗୋଟି ଗରାରେ ଫୁଲ ପକାଇ ସରା ମାନ ଘୋଡାଇ ଚାରି ପନ୍ତି କରି ରଖାଯାଏ। ଏହା ପରେ , ଚେମେଡି ପତନି ପକାଇ ପୁଷ୍ପ ଚନ୍ଦନ ଦେଇ “ଜଳ ଅଧିବାସ” କରାଯାଏ।

ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଭୋଗମଣ୍ଡପ ସାରି ଆଲଟ ଲାଗି ଅନୁଷ୍ଠିତ ହେବା ପରେ ପୂଜା ଠା’ ହୋଇଥାଏ। ଏହାପରେ ବିଗତ ରାତ୍ରିର ଅଧିବାସିତ ଜଳ ଗରାମାନ ପଟୁଆରରେ ଆସେ।ସଂସ୍କାର ସହ ଜଳଲାଗି ହୋଇଥାଏ। ତା’ପରେ ଚନ୍ଦନ ସର୍ବାଙ୍ଗ ହେବା ସହ ଯାତ୍ରାଙ୍ଗି ଭୋଗ ଏବଂ ମଧ୍ୟାହ୍ନ ଧୂପ ଲାଗି ହୁଏ। ମଧ୍ୟାହ୍ନ ଧୂପ ଉଠିବା ପରେ ରାମ କୃଷ୍ଣ ଓ ଶ୍ରୀମଦନମୋହନ ରତ୍ନସିଂହାସନକୁ ବିଜେ କରନ୍ତି। ପ୍ରସାଦ ଲାଗି ସହ ଷୋଡ଼ଷ ଉପଚାରରେ ମଣୋହି ହୋଇଥାଏ। ତିନି ବାଡ଼ରେ “ବନ୍ଦାପନା” ହେବା ପରେ ଆଜ୍ଞାମାଳ ପ୍ରାପ୍ତହୋଇ ବିଜେ ପ୍ରତିମାମାନେ “ଚନ୍ଦନ ଯାତ୍ରା”କୁ ବିଜେ କରନ୍ତି।

Share Post

Leave a Reply

Your email address will not be published. Required fields are marked *

one + 8 =