ଆଜି ଶ୍ରୀମନ୍ଦିରରେ କେମିତି ପାଳନ ହେଉଛି ମୋହିନୀ ଏକାଦଶୀ

ପୁରୀ: ଆଜି ହେଉଛି ବୈଶାଖ ଶୁକ୍ଳ ଏକାଦଶୀ। ମୋହିନୀ ଏକାଦଶୀ ନାମରେ ସମସ୍ତେ ଏହାକୁ ଜାଣନ୍ତି।ପୁରାଣରେ କୁହାଯାଇଛି, ଆଜି ଦିନରେ ସ୍ବୟଂ ବିଷ୍ଣୁ ମୋହିନୀ ରୂପ ଧାରଣ କରିଥିଲେ।ହେଲେ ମୋହିନୀ ବ୍ରତ ଯେଉଁମାନେ କରନ୍ତି, ସେଥିରେ ଅନ୍ୟ ଯୁକ୍ତି ରହିଛି। ସେଥିରେ କୁହାଯାଇଛି, ଅବନ୍ତୀ ନଗରରେ ଥିବା ଚଣ୍ଡାଳ ରାଜା ଏହି ବ୍ରତ ପାଳନ କରୁଥିଲେ। ହେଲେ ଦ୍ବାଦଶୀ ଦିନ ତାଙ୍କର ମୃତ୍ୟୁ ହେଲା। ଜୀବନରେ ଅନେକ ପାପ କରିଥିବା ପରିପ୍ରେକ୍ଷୀରେ ତାଙ୍କୁ ଯେବେ ଯମଦୂତ ନେବାକୁ ଆସିଲେ, ସେବେ ବିଷ୍ଣୁଙ୍କ ଦୂତ ସେମାନଙ୍କୁ ବାଧା ଦେଇ ରାଜାଙ୍କୁ ବୈକୁଣ୍ଠକୁ ନେବାକୁ ଉଦ୍ୟମ କରିଥିଲେ।

ହେଲେ ଯମରାଜା ବ୍ରହ୍ମାଙ୍କ ନିକଟରେ ଏହାର ପ୍ରତିବାଦ କରନ୍ତେ, ବ୍ରହ୍ମା ଏକ କୌଶଳ କ୍ରମେ ରାଜାଙ୍କର ଏକାଦଶୀ ବ୍ରତ ଭାଙ୍ଗିବାକୁ ଉଦ୍ୟମ କଲେ। ଏକ ଯଜ୍ଞରୁ ମୋହିନୀ କନ୍ୟା ସୃଷ୍ଟି କରାଗଲା। ମୋହିନୀ କନ୍ୟାଙ୍କ ସହିତ ରାଜାଙ୍କର ବିବାହ କରିଦିଆଗଲା। ଦିନେ ରାଜା ଏକାଦଶୀ ପାଳନ ପାଇଁ ଦଶମୀରେ ପ୍ରସ୍ତୁତି ଆରମ୍ଭ କରିବା ଉତ୍ତାରେ ମୋହିନୀ କନ୍ୟା ତାଙ୍କ ସହିତ ସଂପର୍କ ରଖିବାକୁ ଚାହିଁଲେ। ରାଜା ବାରଣ କରିବାରେ ତାଙ୍କ ପୁତ୍ରର ମସ୍ତିକ ମାଗିଲେ ମୋହିନୀ କନ୍ୟା। ରାଜା ଯେବେ ପୁତ୍ରକୁ ହତ୍ୟା ପାଇଁ ଉଦ୍ୟତ ହୁଅନ୍ତି, ବୈକୁଣ୍ଠ କମ୍ପିବାରେ ଲାଗିଲା। ଶେଷରେ ବିଷ୍ଣୁ ଅତ୍ୟନ୍ତ କ୍ରୋଧିତ ହୋଇ ରାଜାଙ୍କୁ ବୈକୁଣ୍ଠକୁ ନେଇଯାଇଥିଲେ। ଯେହେତୁ ରାଣୀ ରାଜାଙ୍କର ଶରୀର ସ୍ପର୍ଶ କରିଥିଲେ, ଏଣୁ ତାଙ୍କର ବି ବୈକୁଣ୍ଠ ପ୍ରାପ୍ତି ହୋଇଥିଲା।

ଶ୍ରୀମନ୍ଦିରରେ ମଧ୍ୟ ମୋହିନୀ ଏକାଦଶୀ ନୀତି ପାଳିତ ହେଉଛି। ଏହାକୁ ବଡ଼ ଏକାଦଶୀ ଭାବେ ଓଡ଼ିଶାର ପୁରପଲ୍ଲୀରେ ପାଳନ କରାଯାଏ। ବିଶେଷକରି ବ୍ରତୋପନୟନ ହୋଇସାରିଥିବା ବ୍ରାହ୍ମଣ ପିଲାଠାରୁ ବଡ଼ ଯାଏ ସମସ୍ତେ ଆଜି ଦିନରେ ଉପବାସ କରିଥାନ୍ତି।

ଅନ୍ୟ ଏକାଦଶୀ ଭଳି ଆଜି ମଧ୍ୟାହ୍ନ ଧୂପ ସରିବା ପରେ ମଇଲମ ପରେ ଶ୍ରୀବିଗ୍ରହମାନେ ଶାଢୀ ଖଣ୍ଡୁଆ ଲାଗି ହୋଇଥାନ୍ତି। ଏହା ପରେ ଠାକୁରମାନଙ୍କର ସର୍ବାଙ୍ଗ ଚନ୍ଦନ ହୁଏ। ଏକାଦଶୀରେ ମଦନମୋହନ ଶ୍ରୀମନ୍ଦିର ବେଢା ପରିକ୍ରମା କରନ୍ତି।

ସେହିଭଳି ଏକାଦଶୀରେ ମହାଦୀପ ଆଳତି ହୋଇଥାଏ। ସନ୍ଧ୍ୟା ଧୂପ ପରେ ଗରୁଡ଼ ସେବକ ତିନିଟି ରୁପା କଳସରେ ଘିଅ ଏବଂ ପ୍ରତ୍ୟେକରେ କଦଳୀ ବାସୁଙ୍ଗାରେ ନୂଆ କନା ଗୁଡାଇ ବଳିତା କରିଥାନ୍ତି। ଚୁନରା ସେବକ ତାହା ଧରି ରତ୍ନ ସିଂହାସନ ପାଖକୁ ଯିବେ ଓ ପତ୍ରି ସେବକଙ୍କ ହାତକୁ ଦେବେ। ପତ୍ରି ବଳିତା ଲଗାଇ ତିନି ବାଡ଼ରେ ତିନି ପୂଜାପଣ୍ଡାଙ୍କ ହାତରେ ଧରାଇଦେବେ। ସେମାନେ ସଂସ୍କାର କରି ମହାଦୀପ ଆଳତି କରିବେ। ସିଂହାସନ ଚାରିପଟେ ବେଢା ବୁଲି ଜୟ ବିଜୟ ଦ୍ବାର ବାଟେ ଆସି ଗଣେଶଙ୍କ ରାସ୍ତା ଦେଇ ମହାଦୀପ କଳସ ଧରି ବିମଳାଙ୍କ ପର୍ଯ୍ୟନ୍ତ ଯିବେ।

ପୂଜାପଣ୍ଡାମାନେ ବିମଳା ମନ୍ଦିର ସାମ୍ନାରେ ଚୁନରାଙ୍କୁ ତିନିଟି କଳ​ସ, ନୀଳଚକ୍ର ପାଇଁ ତୁଳସୀ ଚନ୍ଦନ ଦେଇ ଚାଲିଯିବେ। ଏହି ସମୟରେ ଘଟୁଆରି ଚୁନରାକୁ ୧୨ଟି ଚନ୍ଦ୍ର ଉଦିଆ ଦେବେ। କଳସ ରଖି ଦେଇ ମହାଦୀପ ଚନ୍ଦ୍ରଉଦିଆ ଧରି ତିନିଜଣ ଚୁନରା ମନ୍ଦିର ଉପରକୁ ଉଠିବେ। ସାଙ୍ଗରେ ନଡିଆ କତା ଲଗାଇ ନିଆଁ ନେଇ ଶ୍ରୀମନ୍ଦିର ଚୂଡାକୁ ବୁଲିବେ। ଚନ୍ଦ୍ର ଉଦିଆ ଏହି ଅବସରରେ ପ୍ରତି ଦିଗରେ ଜାଳିବେ। ବୁଲିବା ସମୟରେ ମହାପ୍ରଭୁ ପୁରୀ ରାଜାଙ୍କୁ (ନାମଧାରୀ) ଶଙ୍ଖେ ପୂରାଇ ଚକ୍ର ଆଢୁଆଳ କରିବା ସହିତ ହରିବୋଲ ଡାକ ଦେବେ। ଯେହେତୁ ପୁରୀ ରାଜା ଶାସକ ଥିଲେ, ଏଣୁ ସେବେଠାରୁ ଶାସନ ମୁଖ୍ୟଙ୍କ ନାମରେ ଏହି ଡାକରା ରହିଆସିଛି।

Share Post

Leave a Reply

Your email address will not be published. Required fields are marked *

9 + 5 =