କେମିତି ହୋଇଥାଏ ମହାପ୍ରସାଦ ପ୍ରସ୍ତୁତି, ଜାଣନ୍ତୁ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଭକ୍ତ ଯେଭଳି ଆତୁର ଥାଏ, ଠିକ୍‍ ସେମିତି ଆନନ୍ଦବଜାରରେ ମହାପ୍ରସାଦ କଣିକାଏ ମିଳିଗଲେ କୃତ୍ୟ କୃତ୍ୟ ହୋଇଯାଏ । ମହାପ୍ରଭୁଙ୍କ ଭଳି ତାଙ୍କ ମହାପ୍ରସାଦ ରହସ୍ୟ ମଧ୍ୟ ଅବୁଝା । ଶ୍ରୀମନ୍ଦିର ରୋଷଘର, ରାନ୍ଧଣା ଚୁଲି, ମହାପ୍ରସାଦ ପ୍ରସ୍ତୁତି ଶୈଳୀ ସତରେ କେବଳ ଅଲୌକିକତାରେ ପରିପୂର୍ଣ୍ଣ ।
୧୦୦ଫୁଟ ଲମ୍ୱ ଓ ୮୦ ଫୁଟ ଓସାର ବିଶିଷ୍ଟ ମହାପ୍ରଭୁଙ୍କ ରୋଷଘରରେ ପ୍ରାୟ ୨୪୦ଟି ଚୁଲିରହିଛି । ଲକ୍ଷାଧିକ ଲୋକଙ୍କ ରୋଷେଇ ଏଠାରେ ଏକକାଳୀନ ହୋଇପାରିବ । ମହାପ୍ରଭୁଙ୍କ ସ୍ୱରୂପ ଯେମିତି ବିଚିତ୍ର, ତାଙ୍କ ଚୁଲି ବା ଅହିଆ ବି ସେମିତି ବିରଳ । ସାରା ପୃଥିବୀରେ ଏଭଳି ଚୁଲି କେଉଁଠାରେ ଦେଖିବାକୁ ମିଳିବ ନାହିଁ । ଏହି ଚୁଲି ଗୁଡିକ ସାଧାରଣତଃ ଛଅ ଝିଙ୍କା ବିଶିଷ୍ଟ । ଏହା ଉପରେ ଏକାଥରକେ ନଅଟି ଲେଖାଏଁ କୁଡୁଆ ବସାଯାଇଥାଏ ଓ ଭୋଗ ପ୍ରସ୍ତୁତ ହୁଏ ।ଗୋଟିଏ ଗୋଟିଏ ଚୁଲିର ଲମ୍ୱ ପ୍ରାୟ ଅଢେଇ ଫୁଟ୍‍ ହେବ । ୩ ଫୁଟ ଲମ୍ୱ ବିଶିଷ୍ଟ ଏହି ଚୁଲିର ଉଚ୍ଚତା ପାଖାପାଖି ସାଢେ ତିନି ଫୁଟ । ରୋଷଘର ନିକଟରେ ଥିବା ଗଙ୍ଗା ଯମୁନା କୂଅ ପାଣିରେ ହିଁ ଭୋଗ ପ୍ରସ୍ତୁତ ହୋଇଥାଏ ।
ରୋଷ ଘରେ ସର୍ବାଧିକ ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଇଥାଏ । ଏଭଳି ଢଙ୍ଗରେ ଧୋବ ପଖାଳ ହୋଇଥାଏ ଯେ ପୂର୍ବଦିନ ରୋଷେଇର ସାମାନ୍ୟ କଣିକାଏ ବି ଦୃଷ୍ଟିଗୋଚର ହୋଇନଥାଏ । ଏହା ପରେ ହୋମ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥାଏ । ଯଦି ଭୋଗ ପସ୍ତୁତି ବେଳେ ପୂର୍ବଦିନର କିଛି ଅବଶେଷ ପଡିଥିବା ଦୃଷ୍ଟିଗୋଚର ହୁଏ, ତେବେ ଭୋଗ ପୋତାଯାଇଥାଏ । ଏହାକୁ ଆଉ ମହାପ୍ରଭୁଙ୍କୁ ଲାଗି କରାଯାଏ ନାହିଁ । ଏହା ସୂଚାଇ ଦେଉଛି ଯେ ରନ୍ଧାଘରର ପରିଚ୍ଛନ୍ନତା ସଂପର୍କରେ ଶ୍ରୀମନ୍ଦିରର ବାର୍ତା ।
ଅନ୍ନ ମହାପ୍ରସାଦ ପ୍ରସ୍ତୁତି ଅର୍ଥ, ଏକାଥରକେ କୁଡୁଆରେ ପାଣି ଓ ଚାଉଳ ପଶି ଚୁଲିରେ ବସେ । ଅନ୍ନ ସିଝିଯିବା ପରେ କୁଡୁଆ ତଳେ ଏକ ଛୋଟ ରନ୍ଧ୍ର କରାଯାଏ, ଯାହା ମାଧ୍ୟମରେ ପେଜ ବାହାରିଯାଏ । ଡାଲି, ତରକାରୀ କ୍ଷେତ୍ରରେ ବି ସେୟା । ଏକାଥରକେ ଡାଲି, ପାଣି, ହଳଦୀ ଆଦି ସହିତ କୁଡୁଆ ଚୁଲିରେ ବସେ । ସେହିଭଳି ପରିବା, ନଡିଆ ଆଦି ସମସ୍ତ ସାମଗ୍ରୀ ଭର୍ତି ହୋଇ ଚୁଲିରେ ବସି ଅନ୍ୟ ତରକାରୀ ହୋଇଥାଏ । ନା ବଘରା ହୁଏ ନା ଆମମାନଙ୍କ ଘର ଭଳି ଥରକୁ ଥର ପରିବା ଆଦି ପଡିଥାଏ । ବିଶ୍ୱାସ ଅଛି, ରୋଷଘରେ ଥିବା ଅଗ୍ନିଶ୍ୱର ଠାକୁରଙ୍କ କାରଣରୁ ଏଭଳି ଚମତ୍କାର ହୋଇଥାଏ ।
ସବୁଠାରୁ ଅଲୌକିକ କଥାଟି ହେଉଛି, ରୋଷଘର ଅଗ୍ନି କେବେ ଲିଭିନାହିଁ । ଏହାକୁ ସାଧାରଣରେ ବୈଷ୍ଣବାଗ୍ନି ବୋଲି କୁହାଯାଇଥାଏ । ସେହିପରି ରୋଷଘର ଦ୍ୱାର ମୁହଁରେ ଗଣେଶ ପୂଜା ପାଆନ୍ତି । କୁହାଯାଏ, ପ୍ରଭୁ ଭଣ୍ଡାର ଓ ପାକଶାଳାର ରକ୍ଷକ । ଏକଥା ବି ସମସ୍ତେ ବିଶ୍ୱାସ କରନ୍ତି, ମାଆ ଲକ୍ଷ୍ମୀ ସ୍ୱୟଂ ଏଠାରେ ମହାପ୍ରଭୁଙ୍କ ପାଇଁ ରୋଷେଇ ପ୍ରସ୍ତୁତ କରିଥାନ୍ତି ।

Share Post
  • 129
  •  
  •  
  •  
  •  
  •  
  •  
  •  
    129
    Shares

Leave a Reply

Your email address will not be published. Required fields are marked *

four × 4 =