ଶ୍ରୀମନ୍ଦିରରେ ପାତାଳେଶ୍ୱର କେଉଁଠି

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ଯଦିଓ ଶ୍ରୀଜଗନ୍ନାଥଙ୍କ ଗୁରୁତ୍ୱ ରହିଛି, ଅନ୍ୟ ମନ୍ଦିର ମାନଙ୍କର ପ୍ରଭାବ କିଛି କମ୍‍ ନାହିଁ । ଏକାଧିକ ସ୍ଥାନରେ ଏମିତି ଠାକୁର ପୂଜା ପାଉଛନ୍ତି, ଯାହାଙ୍କର ପ୍ରଭାବ ଅନନ୍ୟ । ଏହି କ୍ରମରେ  ଶ୍ରଦ୍ଧାଳୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ବେଳେ ପାତାଳେଶ୍ୱର ମହାଦେବଙ୍କୁ ଦେଖି ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ । ଶ୍ରୀମନ୍ଦିର ଭିତର ଉତ୍ତର ପାର୍ଶ୍ୱ ଦ୍ୱାର ନିକଟରେ ପଶ୍ଚିମ ଦିଗକୁ ଗଲାବେଳେ ପାତାଳେଶ୍ୱର ମହାଦେବଙ୍କ ମନ୍ଦିର ରହିଛି । ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ବେଳେ ଭକ୍ତମାନେ ପାତାଳେଶ୍ୱରଙ୍କୁ ପ୍ରଣିପାତ କରିଥାନ୍ତି । ଏହି ମନ୍ଦିରଟି ବେଢା ପତନଠାରୁ ପ୍ରାୟ ଅଧା ଅଂଶ ପୋତି ହୋଇ ରହିଛି । କେହି କେହି ଏହି ମନ୍ଦିରକୁ ବଳି ପାତାଳ ମନ୍ଦିର ବୋଲି ମଧ୍ୟ କହିଥାନ୍ତି । 

ଗବେଷକମାନେ କୁହନ୍ତି ଯେ ଏହି ମନ୍ଦିରକୁ ତୃତୀୟ ଅନଙ୍ଗଭୀମ ଦେବ ନିର୍ମାଣ କରିିଥିଲେ । ମନ୍ଦିରର ବିଶେଷତ୍ୱ ହେଲା, ୩ଟି ସୋପାନରେ ବାଇଶିଟି ପାହାଚ ଅତିକ୍ରମ କରି ପ୍ରାୟ ୨୦ ଫୁଟ୍‍ ତଳକୁ ଯିବା ପରେ ପାତାଳେଶ୍ୱର ମହାଦେବଙ୍କ ନିକଟରେ ଭକ୍ତ ପହଞ୍ଚିଥାଏ । ଗର୍ଭ ଗୃହର ମଧ୍ୟ ଭାଗରେ ଶିବ ଲିଙ୍ଗ ପୂଜା ପାଆନ୍ତି । ଏହି ମନ୍ଦିର ଗମ୍ଭୀରାର ପଶ୍ଚିମ କାନ୍ଥରେ ୩ଫୁଟ୍‍ ଉଚ୍ଚତା ବିଶିଷ୍ଟ ବଳି ମହାରାଜ ବିରାଜିତ । ୨ଫୁଟ ଉଚ୍ଚର କାଳୀୟ ଦଳନ ମୂର୍ତ୍ତିି ରହିଛି ଓ ଦେଢ଼ ଫୁଟ୍‍ ଉଚ୍ଚତା ବିଶିଷ୍ଟ ଏକ ଭଗ୍ନ ଗଣେଶ ମୂର୍ତ୍ତିି ପୂଜା ପାଉଛନ୍ତି ।

ଲୋକକଥା ଅନୁସାରେ, ଭଗବାନ ବିଷ୍ଣୁ ବାମନ ଅବତାରରେ ବଳିକୁ ପାତାଳଗାମୀ କରିଥିଲେ । ପାତାଳଗାମୀ ବଳି ଏହିଠାରେ ପାତାଳେଶ୍ୱର ନାମରେ ଅବସ୍ଥାନ କରିଛନ୍ତି । ପାତାଳେଶ୍ୱର ମନ୍ଦିରଟି ପୂର୍ବାଭିମୁଖୀ । ବିମଳା ମନ୍ଦିରର ପାଳିଅା ସେବକ ଦୈନିକ ପାତାଳେଶ୍ୱର ମହାଦେବଙ୍କୁ ପୂଜା କରିଥାନ୍ତି । ବିଶ୍ୱାସ ରହିଛି,  ପାତାଳେଶ୍ୱରଙ୍କୁ ଦର୍ଶନ କରିବା ପରେ ଉତ୍ତର ଦ୍ୱାର ମାର୍ଗରେ ଐଶାନେଶ୍ୱର,ଶୀତଳା,ଲୋକେଶ୍ୱର,ଉତ୍ତରାୟଣୀ ବୈକୁଣ୍ଠେଶ୍ୱର ଓ ତପସ୍ୱୀ ହନୁମାନ ଏହି  ଛଅ ଜଣ ଦେବତା ଦେବଯାନ ଦର୍ଶନ କ୍ରମରେ ରହିଛନ୍ତି । ଏମାନଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ ।   

Share Post

Leave a Reply

Your email address will not be published. Required fields are marked *

twenty − 13 =