ଶ୍ରୀମନ୍ଦିରରେ ଦେବସଭା କେଉଁଠି ବସିଥାଏ

ଭୁବନେଶ୍ୱର: ବସନ୍ତ, ହାଡଫୁଟି, ମିଳିମିଳା ରୋଗ ହେଲେ, ଭକ୍ତମାନେ ଶୀତଳା ଦେବୀଙ୍କୁ ପୂଜା କରିଥାନ୍ତି । ଦେବୀଙ୍କୁ ମାର୍ଜନା ପୂର୍ବକ ଚନ୍ଦନ ଲାଗି କଲେ, ପଇଡ, ପଣା ଆଦି ଭୋଗ ଲାଗି କରାଇଲେ, ଏହି ରୋଗରୁ ଉପସମ ମିଳିଥାଏ ବୋଲି କୁହାଯାଏ । 

ଶ୍ରୀମନ୍ଦିରରେ ଶୀତଳା ଦେବୀଙ୍କୁ ନେଇ ଭକ୍ତଙ୍କ ମଧ୍ୟରେ ଏମିତି ବିଶ୍ୱାସ ଅଛି । ଏକଥା ବି ଲୋକମୁଖରେ ପ୍ରଚାରିତ ଯେ ଶୀତଳାଙ୍କ ମନ୍ଦିର ପ୍ରାଙ୍ଗଣରେ ହିଁ ପ୍ରତ୍ୟହ ଦେବ ସଭା ବସିଥାଏ । ଅର୍ଦ୍ଧରାତ୍ରରେ ଶ୍ରୀଜଗନ୍ନାଥଙ୍କ ପହୁଡ ପରେ ଦେବଦେବୀମାନେ ମହାପ୍ରଭୁଙ୍କ ଦର୍ଶନ ଲାଗି ଏଠାରେ ଏକତ୍ରିତ ହୋଇଥାନ୍ତି । ଏଣୁ ସନ୍ଧ୍ୟା ସମୟରେ ଏହି ମନ୍ଦିର ପହଡ ପଡିଯାଏ ଓ ମନ୍ଦିର ପରିସରକୁ ସାଧାରଣତଃ ଭକ୍ତମାନେ ଏହି ସମୟ ପରେ ଆଉ ଯାଇନାହାନ୍ତି । 

ଶ୍ରୀମନ୍ଦିର ପରିସର ବେଢ଼ାରେ ଉତ୍ତର ଦ୍ୱାରର ପଶ୍ଚିମ ଦିଗରେ ଶୀତଳା ଠାକୁରାଣୀଙ୍କ ମନ୍ଦିର ରହିଛି । ସୁନା କୁଅର ଦକ୍ଷିଣ କାନ୍ଥକୁ ଗୋଟିଏ କ୍ଷୁଦ୍ର ଦେଉଳରେ ଦେବୀ ଶୀତଳା ଉତ୍ତରାଭିମୁଖୀ ହୋଇ ବିରାଜିତ ଅଛନ୍ତି । ମାଅାଙ୍କର ବିଗ୍ରହ ଭୂମି ପତନ ଠାରୁ ୬ଇଞ୍ଚ ଉପରେ କାନ୍ଥ ସଂଲଗ୍ନା ହୋଇ ରହିଛନ୍ତି । ଶ୍ରୀମନ୍ଦିରରେ ବାରମ୍ୱାର ଆକ୍ରମଣ ଯୋଗୁଁ, ଦେବୀଙ୍କ ଶରୀର ଆଘାତ ପ୍ରାପ୍ତ ହୋଇଥିବା ବିଶ୍ୱାସ କରାଯାଏ । ସ୍କନ୍ଧ ପୁରାଣ କହେ, ମାଅା ଶୀତଳାଙ୍କୁ ଦର୍ଶନ କଲେ ଦାରିଦ୍ର୍ୟ ତଥା ଦୁଷ୍କୃତିର ବିନାଶ ଘଟିଥାଏ । 

କୁହାଯାଏ, ମାଅା ଶୀତଳା ସ୍ୱତଃ ଅାର୍ବିଭୂତା ହୋଇଥିଲେ । ପ୍ରଚଳିତ କିମ୍ୱଦନ୍ତୀ ଅନୁଯାୟୀ,କଳି ଶେଷ ହେଲେ ସୁନା କୂଅରେ ପଡିଥିବା ୧୨ ହାତ ଖଣ୍ଡା ଧାରଣ ପୂର୍ବକ ସିଂହ ବାହାନରେ ଅାସୀନ ହୋଇ ଦେବୀ ଶୀତଳା ଦୁଷ୍ଟ ଦମନ ଓ ସଂହାର ଲୀଳା ରଚନା କରିବେ । ଋକ୍ମିଣୀ ହରଣ ଏକାଦଶୀ ତିଥିକୁ ମାଆଙ୍କ ପ୍ରତିଷ୍ଠା ନୀତି ବୋଲି ମାନି ସେଦିନ ବିଶେଷ ରୀତିନୀତି ହୋଇଥାଏ ।

ଅର୍ଥାତ୍‍ ଏହିଦିନ ମାଅା ଶୀତଳାଙ୍କୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା ।ପରମ୍ପରା ଅନୁଯାୟୀ ଶୀତଳା ଦେବୀ ସୁନା କୁଅ ରକ୍ଷା କରନ୍ତି । ଏଣୁ ସ୍ନାନପୂର୍ଣ୍ଣମୀ ଦିନ ସୁନା କୂଅରୁ ଜଳ ନେବା ସମୟରେ ପ୍ରଥମ ଗରା ଜଳରେ ମାଅାଙ୍କୁ ସ୍ନାନ କରାଯାଇଥାଏ ।ବର୍ଷର ଏହି ଗୋଟିଏ ଦିନ ଉକ୍ତ କୂପର ଜଳ ଶ୍ରୀବିଗ୍ରହ ଓ ମାଅା ଶୀତଳାଙ୍କ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ । 

Share Post
  • 1
  •  
  •  
  •  
  •  
  •  
  •  
  •  
    1
    Share

Leave a Reply

Your email address will not be published. Required fields are marked *

5 + fifteen =