ଶ୍ରୀମନ୍ଦିରରେ କାନପତା ହନୁମାନ କାହିଁକି

ଭୁବନେଶ୍ୱର: ଶ୍ରୀମନ୍ଦିରର ଉତ୍ତର ଦ୍ୱାରରେ ଯେମିତି ତପସ୍ୱୀ ହନୁମାନଙ୍କର ପୂଜା କରାଯାଇଥାଏ, ସେହିଭଳି ପଶ୍ଚିମ ଦ୍ୱାର ନିକଟରେ କାନପତା ହନୁମାନଙ୍କର ମହିମା ବି କିଛି କମ ନୁହେଁ । 

ନୀଳାଦ୍ରିବିହାର ମ୍ୟୁଜିୟମକୁ ଯିବା ରାସ୍ତାର ବାମ ପାର୍ଶ୍ୱରେ ପ୍ରଭୁଙ୍କ ମନ୍ଦିର ରହିଛି । 

କିମ୍ୱଦନ୍ତୀକୁ ଆଧାର କରି ଗବେଷକ ଭାସ୍କର ମିଶ୍ର କୁହନ୍ତି, ପୁରୀ ଶ୍ରୀମନ୍ଦିରରେ ଏହି ହନୁମାନଙ୍କ ପ୍ରତିଷ୍ଠା ପଛର କାହାଣୀ ବେଶ ରୋଚକ । ଶ୍ରୀଜଗନ୍ନାଥଙ୍କର ଶ୍ୱଶୁର ହେଲେ ସ୍ୱୟଂ ବରୁଣ ରାଜା । ମହୋଦଧିର ଅାକାର ବିଶାଳ । ଏଣୁ ସମୁଦ୍ରର ଭୀଷଣ ଗର୍ଜନ ଶବ୍ଦରେ ମହାପ୍ରଭୁଙ୍କ ସୁଖ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେଲା । ଏହାର ପ୍ରତିକାର ସ୍ୱରୂପ ମହାପ୍ରଭୁ ହନୁମାନଙ୍କୁ ସ୍ମରଣ ପୂର୍ବକ ଅାଦେଶ ଦେଇଥିଲେ । ଭକ୍ତ ହନୁମାନ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରରେ ଦଣ୍ଡାୟମାନ ହୋଇ ଦକ୍ଷିଣ ପଟକୁ କାନକୁ ପାତି ସମୁଦ୍ରର ଗୁରୁ ଗର୍ଜନକୁ କର୍ଣ୍ଣରେ ଟାଣି ଶରୀରରେ ମିଳାଇ ଦେଇଥିଲେ । ଏହି ହେତୁ ମହାପ୍ରଭୁ ତାଙ୍କ ଉପରେ ପ୍ରସନ୍ନ ହୋଇ ସଂକଟମୋଚନ କାନପତା ବୋଲି ପ୍ରକାଶ କରିଥିଲେ । ସେବେ ଠାରୁ ଶ୍ରୀମନ୍ଦିର ପାଚେରୀ ଡେଇଁ ସମୁଦ୍ରର ଗର୍ଜନ ରତ୍ନସିଂହାସନ ନିକଟକୁ ଶୁଣାଯାଏ ନାହିଁବୋଲି କୁହାଯାଏ । 

ଅନ୍ୟ ଏକ କିମ୍ୱଦନ୍ତୀ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ପରେ ସମସ୍ତ ସେବକଙ୍କୁ ସେବା କାର୍ଯ୍ୟ ବଣ୍ଟାଗଲା । ହନୁମାନ ସଦାସର୍ବଦା ପ୍ରଭୁଙ୍କ ପାଖେପାଖେ ରହି ସେବା କଲେ । ମାତା ସୀତାଙ୍କୁ ଏଥିରେ ଅସୁବିଧା ହେବାରୁ ପ୍ରଭୁଙ୍କ ନିର୍ଦ୍ଦେଶରେ ହନୁମାନଙ୍କୁ ଦ୍ୱାର ରକ୍ଷକ ଭାବେ ନିୟୋଜିତ କରାଯାଇଥିଲା । 

କାନପତା ହନୁମାନ ବାମହସ୍ତ ଓ ସ୍କନ୍ଧରେ ଗଦାକୁ  ଧାରଣ କରିଥିବାବେଳେ ଦକ୍ଷିଣ ହସ୍ତରେ ଗନ୍ଦମାର୍ଧର୍ନ ପର୍ବତକୁ ଟେକି ଧରିଛନ୍ତି । ମଙ୍ଗଳବାର ଦିନ ମଙ୍ଗଳକାର୍ଯ୍ୟ ନିମିତ୍ତ ଓ ଶନିବାରରେ ଦୁଷ୍ଟ ଗ୍ରହରୁ ନିବାରଣ ନିମିତ୍ତ ଏହି ମହାବୀରଙ୍କର ବିଶେଷ ପୂଜା ଭକ୍ତମାନେ କରିଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

eight + 13 =