ରାଜା ଦିବ୍ୟସିଂହ ଦେବ ହିଁ ଅରୁଣଙ୍କୁ କୋଣାର୍କରୁ ଆଣିଥିଲେ

ଭୁବନେଶ୍ୱର: ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ହେଉଛି ସିଂହ ଦ୍ୱାର । ଏହି ଦ୍ୱାର ଦେଇ ଯିବା ବାଟରେ ବା ଏହାର ପ୍ରବେଶ ପଥରେ ଶୋଭାପାଉଛି ଅରୁଣ ସ୍ତମ୍ଭ । ଅତୀବ ଉଚ୍ଚ ଓ ଅତ୍ୟନ୍ତ ଉଚ୍ଚ କୋଟୀର କାରୁକାର୍ଯ୍ୟ ହୋଇଥିବା ଏହି ସ୍ତମ୍ଭକୁ ନେଇ ରହିଥିବା କିମ୍ୱଦନ୍ତୀ ଯେତିକି ସମୃଦ୍ଧ, ଇତିହାସ ମଧ୍ୟ ସେତିକି ଗୁରୁତ୍ୱ ରଖେ । 

ସାଧାରଣତଃ ସିଂହଦ୍ୱାର ସମ୍ମୁଖ ଅଞ୍ଚଳଟିକୁ ଅରୁଣ ସ୍ତମ୍ଭ ଚକଡା ବୋଲି କୁହାଯାଇଥାଏ । ଏହି ପଥର ଚକଡା ଉପରେ ହିିଁ ରହିଛି ଅରୁଣ ସ୍ତମ୍ଭ । କଳା ଭାସ୍କର୍ଯ୍ୟ ସଂପନ୍ନ ଗୋଟିଏ ପଥରରେ ଏହି ସ୍ତମ୍ଭଟି ନିର୍ମିତ । 

ଇତିହାସ କହେ, ଅତୀତରେ ଏହି ସ୍ତମ୍ଭଟି କୋଣାର୍କ ମନ୍ଦିରଠାରେ ରହିଥିଲା । ଲାଙ୍ଗୁଳା ନରସିଂହ ଦେବଙ୍କ ସମୟରେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟଦେବଙ୍କ ବାହାନ ରୁପେ ଅରୁଣଙ୍କ ପ୍ରତିମା ଏହି ସ୍ତମ୍ଭ ଉପରେ ବିରାଜମାନ ହୋଇ ପୂଜିତ ହେଉଥିଲେ । କୋଣାର୍କ ମୁଖ୍ୟ ମନ୍ଦିରଟି ଭାଙ୍ଗି ପଡିବାରୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ମରହଟ୍ଟା ମାନଙ୍କର ରାଜତ୍ୱ ସମୟରେ ଭୋଇ ବଂଶର ରାଜା ଦିବ୍ୟସିଂହ ଦେବ ଏହି ସ୍ତମ୍ଭଟିକୁ ନିଖୁଣ ଅବସ୍ଥାରେ କୋଣାର୍କରୁ ଅାଣି ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ଠାରେ ପ୍ରତିଷ୍ଠିତ କରାଇଥିଲେ ।

ସ୍ତମ୍ଭଟିର ଉଚ୍ଚତା ୨୫ଫୁଟ୍‍ ଓ ୨ଇଞ୍ଚ ଅଟେ । କିନ୍ତୁ ପୀଠର ପତନଠାରୁ ଅରୁଣଙ୍କର ଶିଖ ପର୍ଯ୍ୟନ୍ତ ସ୍ତମ୍ଭର ଉଚ୍ଚତା ୩୩ଫୁଟ୍‍ ୮ଇଞ୍ଚ । ଗୋଟିଏ ମୁଗୁନି ପଥରରେ ଗଢ଼ା ସ୍ତମ୍ଭଟିର ଷୋହଳଟି କୋଣ ଅଛି । ୭ଫୁଟ ୯ଇଞ୍ଚ ଲମ୍ୱ,୬ପୁଟ ଉଚ୍ଚର ଏକ ପୀଠ ଉପରେ ସ୍ତମ୍ଭଟି ରହିଅଛି । ପୀଠଟି କଳା ମୁଗୁନି ପଥରରେ ନିର୍ମିତ । ପୀଠଟି ଅତି ଉଚ୍ଚ ଧରଣର କାରୁକାର୍ଯ୍ୟରେ ତିଅାରି ହୋଇଛି । ସ୍ତମ୍ଭ ପୀଠର ଗାତ୍ରରେ ଅତ୍ୟନ୍ତ କାରୁକାର୍ଯ୍ୟ ସଂପନ୍ନ ଅନେକ କମନୀୟ ମୂର୍ତ୍ତିି ଶୋଭା ପାଉଛନ୍ତି । ସୂର୍ଯ୍ୟଦେବଙ୍କର ସାରଥୀ ଅରୁଣ ଯୋଡ ହସ୍ତ ମୁଦ୍ରାରେ ଏହି ସ୍ତମ୍ଭ ଉପରେ ବିଦ୍ୟମାନ । 

ପରମ୍ପରା ଅନୁଯାୟୀ, ପବିତ୍ର ଅରୁଣ ସ୍ତମ୍ଭ ନିକଟକୁ ଯୋତା,ଛତା,କ୍ୟାମେରା,ଚମଡା ଜାତୀୟ ଦ୍ରବ୍ୟ ସାଇକେଲ,ଗାଡି ଇତ୍ୟାଦି ଜିନିଷ ଅଣାଯିବା ନିଷେଧ ରହିଛିା

Share Post

Leave a Reply

Your email address will not be published. Required fields are marked *

5 + seventeen =