ମଲ୍ଲଙ୍କୁ ହତ୍ୟା କରାଯାଇଥିବା ଖଣ୍ଡା ବି ପୂଜା ପାଏ, କେଉଁଠି ଜାଣନ୍ତୁ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ରହିଛି ଦେବୀ ପାଟଣେଶ୍ୱରୀଙ୍କ ମନ୍ଦିର । କିମ୍ୱଦନ୍ତୀ କହେ, ପାଟଣାଗଡରେ ପ୍ରଥମେ କାମଚଣ୍ଡୀଙ୍କୁ ସ୍ଥାପନା କରାଯାଇଥିଲା । କଳିଙ୍ଗ ବିଜୟ କରି ମାଧବ ଚନ୍ଦ୍ର ଦେବ ପତ୍ତନ ରାଜ୍ୟ ସ୍ଥାପନ କରିଥିଲେ । ପରେ ଦେବୀଙ୍କୁ ପତ୍ତନେଶ୍‍୍ୱରୀ ଭାବେ ପୂଜା କରାଯାଉଥିଲା । କାଳକ୍ରମେ ପତ୍ତନ ପାଟଣାର ରୂପ ନେଲା ଓ  ଦେବୀ ପାଟଣେଶ୍ୱରୀ ଭାବେ ପରିଚିତ ହେଲେ । ମାଧବ ଚନ୍ଦ୍ର ଦେବଙ୍କ ବଂଶ ଏକ ସମୟରେ ଅପୁତ୍ରିକ ରହିବାରୁ ଏକ ସୁନା ଲେମ୍ୱୁକୁ ପ୍ରତୀକ ରୂପେ ନେଇ ସାତଜଣ ମଲ୍ଲ ରାଜ କାର୍ଯ୍ୟ ପରିଚାଳନା କରୁଥିଲେ । ଚୌହାନ ବଂଶର ରାଜା ରମାଇ ଦେବ ଏହି ମଲ୍ଲମାନଙ୍କୁ ହତ୍ୟାକାରୀ ପାଟଣା ସିଂହାସନ ଦଖଲ କରିଥିଲେ । ବର୍ତମାନର ବଲାଙ୍ଗୀର ରାଜା ପରିବାର ରମାଇ ଦେବଙ୍କ ବଂଶଜ ।

ବର୍ଷସାରା ମାଆ ପାଟଣେଶ୍ୱରୀଙ୍କ ବିଭିନ୍ନ ପୂଜା ହେଉଥିଲେ ହେଁ ଆଶ୍ୱିନରେ ମୁଖ୍ୟ ପୂଜା ହୋଇଥାଏ । କୃଷ୍ଣପକ୍ଷ ଅଷ୍ଟମୀରୁ ଶୁକ୍ଲପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଷୋହଳ ପୂଜା ହୋଇଥାଏ । ଏଥିରେ ରମାଇ ଦେବ ଯେଉଁ ଖଣ୍ଡାରେ ମଲ୍ଲମାନଙ୍କୁ ହତ୍ୟା କରିଥିଲେ, ସେ ଖଣ୍ଡାକୁ ମଧ୍ୟ ପୂଜା କରାଯାଏ । 

ଅନନ୍ତ ବର୍ମା ରାଜା ଥିବା ବେଳେ ମାଆ ପାଟଣେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ଆରମ୍ଭ ହୋଇଥିଲା । ଆଶ୍ୱିନ ଶୁକ୍ଲପକ୍ଷ ନବମୀ ଦିନ ବରୁଆ (ମଣିଷ) ଦେହରେ ମାଆ ସବାର ହୁଅନ୍ତି ଓ ନଗର ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ବୋଲି କୁହାଯାଏ । ଏହି ବଏଲ ଯାତ୍ରା ପୂର୍ବରୁ କୁଆଁରି ବସା ନାମକ ଏକ ବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ । କୁଆଁରି ବସା କାର୍ଯ୍ୟକ୍ରମ ମହାଳୟାରୁ ପଞ୍ଚମୀ ଯାଏ ଅନୁଷ୍ଠିତ ହୁଏ । ନଗର ପରିକ୍ରମା  ପୂର୍ବରୁ ଦେବୀ ରମାଇ ଖଣ୍ଡା ଦ୍ୱାରା ମଲ୍ଲମାନଙ୍କ ସମାଧିରେ ଆଘାତ କରିବାର ପରମ୍ପରା ଏଠାରେ ଅଛି । 

Share Post

Leave a Reply

Your email address will not be published. Required fields are marked *

18 − 7 =