ଭିକାରି କରିଦେଲେ ମହାପ୍ରଭୁଙ୍କୁ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କଣ ଆଇନ ଉର୍ଧ୍ୱରେ

ଭୁବନେଶ୍ୱର,୮/୭ (ବ୍ୟୁରୋ): ରଥଯାତ୍ରା ସମୟରେ ରଥରେ ହୁଣ୍ଡି ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ନେଇ ଭକ୍ତମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି । ବିଶ୍ୱବ୍ରହ୍ମାଣ୍ଡର ଅଧିପତିଙ୍କୁ ପ୍ରଶାସନ ଭିକାରୀ ବେଶରେ ବସାଇବାକୁ କରିଥିବା ଷଡ଼ଯନ୍ତ୍ରକୁ ସବୁ ମହଲରେ ନିନ୍ଦା କରାଯାଇଛି ।

ଅତୀତରେ ଗଜପତି ମହାରାଜ ଶ୍ରୀମନ୍ଦିର ପରିଚାଳନା କରୁଥିବା ବେଳେ ଆର୍ଥିକ ସଙ୍କଟ ମଧ୍ୟରେ ଥାଇ ବି  କେବେ କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଠାକୁରଙ୍କ ରଥରେ  ଭିକ୍ଷାର ଥାଳ ଝୁଲାଇନଥିଲେ । ଏକଥା ହୋଇଥିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଆଜି ଦେଶର ତଥାକଥିତ ଅନ୍ୟ କିଛି ମନ୍ଦିର ଭଳି ପୂର୍ଣ୍ଣ ହୋଇଥାନ୍ତା । ମାତ୍ର ଏଭଳି ପରିସ୍ଥିତି ଆଜି ନାହିଁ । ମହାପ୍ରଭୁଙ୍କ ନାମରେ ବ୍ୟାଙ୍କରେ ଯଥେଷ୍ଟ ଅର୍ଥ ଅଛି ଓ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ଉପାୟରେ ଶ୍ରୀମନ୍ଦିରକୁ କୋଟି କୋଟି ଟଙ୍କା ଦେଉଛନ୍ତି ।ଏପରିକି ସେବାୟତ ତୁଷ୍ଟୀକରଣ ବାବଦରେ ମଧ୍ୟ କୋଟି କୋଟି ଟଙ୍କା ପ୍ରଦାନ କରାଯିବାର ନଜିର ରହିଛି । 

ସବୁଠାରୁ ବଡ଼ କଥା ହେଲା, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶକୁ ମଧ୍ୟ ଏହା ପରୋକ୍ଷରେ ବିରୋଧାଚରଣ କରୁଛି । କାରଣ ସେବାୟତମାନେ ଦାନ ଦକ୍ଷିଣା ନେଲେ ବୋଲି କୋର୍ଟ ତାହା ଉପରେ ନିଷେଧାଜ୍‍ଞା ଜାରି କରିଛନ୍ତି । ଏପରିସ୍ଥଳେ ଭକ୍ତମାନେ ଯଦି ମହାପ୍ରଭୁଙ୍କୁ ସ୍ୱତଃ ଦାନ ଦେବାକୁ ଚାହାନ୍ତି, ତେବେ ଏଥିପାଇଁ ହୁଣ୍ଡି କିଛି ଅଭାବ ନାହିଁ । ଏପରିସ୍ଥଳେ ଶ୍ରୀମନ୍ଦିର ପ୍ରଶାସନ ରଥରେ ହୁଣ୍ଡି ଲଗାଇ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି । ସେବାୟତ ମାଗୁଥିଲେ, ଏବେ ପ୍ରଶାସନ ମାଗିବା ବାଟ ଖୋଲିଛି ବୋଲି ଶ୍ରୀଜଗନ୍ନାଥ ପ୍ରେମୀ ପ୍ରଶ୍ନ କଲେଣି । 

ଏଠାରେ ଉଲ୍ଲେଖଥାଉକି, ରଥରେ କେଉଁଠି କଣ ଲଗାଯିବ, ତାହା ପୂର୍ବରୁ ନିଷ୍ପତ୍ତି ହୋଇଛି । ମନଇଚ୍ଛା ହୁଣ୍ଡି ବସାଇବାର କ୍ଷମତା ଶ୍ରୀମନ୍ଦିର ପ୍ରଶାସକଙ୍କର ନାହିଁ । ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଧାରା ୨୮ ଅନୁସାରେ, ଏ ସଂପର୍କରେ ପରିଚାଳନା କମିଟି ପ୍ରଥମେ ନିଷ୍ପତ୍ତି ନେବେ ଓ ପରେ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଅନୁମତି ଆବଶ୍ୟକ । ହେଲେ ରାଜ୍ୟ ସରକାରଙ୍କର ବିନା ଅନୁମତିରେ କିଭଳି ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତିନି ରଥରେ ଓ ଗୁଣ୍ଡିଚା ଘରେ ୧୨ଟି ହୁଣ୍ଡି ବସାଇବାକୁ ନିଷ୍ପତ୍ତି ନେଲେ ତାହା ବୁଝାପଡୁନାହିଁ । 

ସବୁଠାରୁ ବଡ଼ କଥା ହେଉଛି, ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ରାଜ୍ୟ ସରକାର ଚୁପ୍‍ ବସିଛନ୍ତି । ଏ ନେଇ କୌଣସି ସ୍ପଷ୍ଟୀକରଣ ଦେଉନାହାନ୍ତି । ଏଭଳି ବେଆଇନ କାର୍ଯ୍ୟ ସରକାରଙ୍କୁ ବିବାଦରେ ଛନ୍ଦିବାକୁ ଆଉ ଏକ ଷଡ଼୍‍୍‍ଯନ୍ତ୍ର ବୋଲି ଅଭିଯୋଗ ଉଠୁଛି । 

Share Post

Leave a Reply

Your email address will not be published. Required fields are marked *

seven + eight =