ବୌଦ୍ଧ ଧର୍ମାବଲମ୍ୱୀଙ୍କର ପ୍ରସିଦ୍ଧ ତନ୍ତ୍ରପୀଠ ଓଡ଼ିଶାରେ, ଜାଣନ୍ତି କେଉଁଠି

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ଶକ୍ତି ବା ତନ୍ତ୍ର ପୀଠ ରାଜ୍ୟର ଘରେ ଘରେ ପରିଚିତ । ଦେବୀ ଯେତିକି ପ୍ରତ୍ୟକ୍ଷ, ସେତିକି ଉଗ୍ର । ଏହି ପୀଠରେ ଦୁର୍ଗାପୂଜା ବେଳେ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥାଏ । ଦେବୀଙ୍କୁ ଦର୍ଶନ କରି କୃପାଲାଭ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ପୀଠକୁ ଯାଇଥାନ୍ତି । କୁହାଯାଏ, ମାଆଙ୍କୁ ଯିଏ ଯାହା ଥରେ ମନାସିଛି, ତାହା ପୂରଣ ହୋଇଥାଏ । 

ଏମିତି ଏକ ଶକ୍ତି ପୀଠ ଭୁବନେଶ୍ୱର ଠାରୁ ୧୭୪କିମି ଏବଂ ବ୍ରହ୍ମପୁର ମହାନଗର ଠାରୁ ୩୨କିମି ଦୂର ପୁରୁଷୋତ୍ତମପୁର ସନ୍ନିକଟ ଋଷିକୁଲ୍ୟା ନଦୀତଟ ରତ୍ନଗିରୀ ପାହାଡ ନିକଟରରେ ରହିଛି । ସାଧାରଣରେ ଏହା ମାଅା ତାରା ତାରିଣୀ ପୀଠ ଭାବେ ଖ୍ୟାତ । 

ପ୍ରଥମ ଶତାବ୍ଦୀ ବେଳକୁ ମହାଯାନ ବୌଦ୍ଧ ଧର୍ମାବଲମ୍ୱୀମାନେ ଏହାକୁ ଏକ ପବିତ୍ର ତନ୍ତ୍ରପୀଠ ଭାବେ ଗଢ଼ି ତୋଳିଥିଲେ । ପରବର୍ତ୍ତୀ ସମୟରେ ଶାକ୍ତ ଓ ହିନ୍ଦୁମାନଙ୍କ ପାଇଁ ମାଅା ତାରା ତାରିଣୀ ଶକ୍ତି ଓ ସାମର୍ଥ୍ୟର ଉପାସ୍ୟ ଦେବୀ ଭାବେ ମାନ୍ୟତା ଓ ପୂଜା ପାଇ ଅାସିଛନ୍ତି । ମାଆଙ୍କ ଅାର୍ବିଭାବକୁ ନେଇ ବହୁ କିମ୍ୱଦନ୍ତୀ ଓ ପୁରାଣ କଥା ପ୍ରଚଳିତ । କୁହାଯାଏ, ସତୀଙ୍କ ସ୍ତନ ଯୁଗଳ ରତ୍ନଗିରୀ ପାହାଡ ଉପରେ ପଡିଥିବାରୁ ଦୁଇ ଭଉଣୀ ଉଭା ହୋଇଛନ୍ତି । ଲୋକ ମୁଖରେ ସେମାନେ ହେଉଛନ୍ତି ମାଅା ତାରା ତାରିଣୀ ।

 କିମ୍ୱଦନ୍ତି ଅାହୁରି କହିଥାଏ, ଖରିଡ଼ା ବୀର ଜଗନ୍ନାଥପୁର ଶାସନର ବସୁ ପ୍ରହରାଜଙ୍କ ଦୁଇ ପାଳିତା ଝିଅ ଭାବେ ମାଅାଙ୍କ ଅାର୍ବିଭାବ ହୁଏ । ପରବର୍ତୀ ସମୟରେ ରତ୍ନଗିରି ପର୍ବତରେ ମନ୍ଦିର ନିର୍ମାଣ କରି ସେମାନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । 

ପାହାଡ ଉପରେ ଥିବା ଦେବୀଙ୍କ ମନ୍ଦିରକୁ ୯୯୯ ପାହାଚ ରହିଛି । ଏଠାରେ ପ୍ରତି ସଂକ୍ରାନ୍ତିରେ ବିଶେଷ ପୂଜା ହୋଇଥାଏ । ଦୋଳ ପୂର୍ଣିମୀ ,ଚୈତ୍ର ମଙ୍ଗଳ ବାର ପର୍ବ,ବାସନ୍ତିକ ପର୍ବ,ଚିତାଲାଗି ଅମାବାସ୍ୟା,ଗହ୍ମା ପୂର୍ଣିମୀ,ସପ୍ତପୁରୀ ଅମାବାସ୍ୟା ବ୍ୟତୀତ ଶାରଦୀୟ ପୂଜା ଓ ଦୀପାବଳି ବା ଶ୍ୟାମାକାଳୀ ପୂଜା ସମୟରେ ମାଆଙ୍କ ଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ଶରତ କାଳୀନ ଦୁର୍ଗାପୂଜା ସମୟରେ ଅାଶ୍ୱିନ ମୂଳା ଅଷ୍ଟମୀରୁ ଦଶହରା ଯାଏଁ ବିଶେଷ ପୂଜାର୍ଚ୍ଚନା ହୁଏ । ସକାଳ ୫ରୁ ମଧ୍ୟ ରାତ୍ରି ଯାଏଁ ମନ୍ଦିର ଖୋଲାରହିଥାଏ । ଷୋଡ଼ଶ ଉପଚାରରେ  ପୂଜାବିଧି ସହ ନୀତିକାନ୍ତି ସଂପନ୍ନ ହେବା ପରେ ଯଜ୍ଞ ହୋମାଦି କରାଯାଏ । ଋଷିକୁଲ୍ୟା ନଦୀରୁ ଜଳଅାଣି ମାଆଙ୍କ ପୂଜା କରାଯିବାର ପରମ୍ପରା ଏଠାରେ ପ୍ରଚଳିତ ଅଛି । 

Share Post

Leave a Reply

Your email address will not be published. Required fields are marked *

nine − 4 =