ପହିଲି ଭୋଗ ସମାଜକୁ କି ବାର୍ତା ଦେଉଛି, ଜାଣନ୍ତୁ

ଭୁବନେଶ୍ୱର: ଆଜିର ସମାଜରେ ମାଆଙ୍କ ସ୍ଥାନ କେଉଁଠି, ସେ ନେଇ ବିତର୍କ ଲାଗି ରହିଛି । କେଉଁଠି କିଏ ନିଜ ମାଆଙ୍କୁ ଦାଣ୍ଡର ଦରଜା ଦେଖାଇଲାଣି ତ ଆଉ କାହାର ଟାଙ୍ଗିଆ ଚୋଟର ମାଡ ପଡୁଛି ମାଆ ଉପରେ । ହେଲେ ଶ୍ରୀମନ୍ଦିରରୁ ମହାପ୍ରଭୁ ସଙ୍କେତ ଦେଇଛନ୍ତି ଯେ ସମାଜରେ ମାଆର ସ୍ଥାନ କେବଳ ସ୍ୱତନ୍ତ୍ର ତା ନୁହେଁ, ମାଆର ପିଲାମାନଙ୍କ ପାଇଁ ସ୍ନେହ ସତରେ ବିରଳ ଓ ଅନନ୍ୟ । ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ହିଁ ଏମିିତି ବାର୍ତା ଦେଇଥାଏ ।

ଆମ ବ୍ୟବସ୍ଥାରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ସମେତ ଓଡ଼ିଶାର ପୁର ପଲ୍ଲୀର ସବୁ ଦେବଦେବୀ ମନ୍ଦିରରେ ପହିଲି ଭୋଗ ନୀତି ପାଳିତ ହୋଇଥାଏ । ଏହି ଦିନମାନଙ୍କରେ ପ୍ରଭୁ ସଅଳ ସଅଳ ଭୋଗ ଲାଗି ହୁଅନ୍ତି ଅର୍ଥାତ୍‍ ଖାଇଥାନ୍ତି । 

ଏହା ପଛର କିମ୍ୱଦନ୍ତୀ ଅତ୍ୟନ୍ତ ସମୃଦ୍ଧ । ଲୋକମୁଖରେ ରହିଥିବା ବିଶ୍ୱାସ ପଛର ଯୁକ୍ତି ମଧ୍ୟ ଅତ୍ୟନ୍ତ ବଳିଷ୍ଠ । କିମ୍ୱଦନ୍ତୀ ଅନୁସାରେ, ମାଆ ଯଶୋଦା ଭଗବାନ ଶ୍ରୀକୃଷ୍ଣଙ୍କୁ ସକାଳ ପହରୁ ବିଭିନ୍ନ ପିଠା ଆଦି କରି ଖାଇବାକୁ ଦେଇଥାନ୍ତି । ହେଲେ ବିଶ୍ୱାସ ରହିଛି, ଏହି ମାସଟି ଲକ୍ଷ୍ମୀ ତାଙ୍କ ବାପ ଘରେ ହିଁ କାଟିଥାନ୍ତି । ଆଉ ବୋହୂର ଅନୁପସ୍ଥିତିରେ ମାଆ ପୁଅର ଭୋକ ଯନ୍ତ୍ରଣାକୁ ସହିନପାରି, କାହିଁ କେଉଁ ପହରରୁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ଓ ଉଠୁ ଉଠୁ ତାଙ୍କ ସାମ୍ନାରେ ଖାଦ୍ୟ ପରଷି ଦିଅନ୍ତି । 

ଏହା ପଛର ସତ୍ୟତା କିଛି ଥାଉ ବା ନ ଥାଉ, ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟ ପାଇଁ ଏଥିରୁ ଅନେକ ସଙ୍କେତ ମିଳିଥାଏ । ଚାଷ କାମ ସରିବା ପରେ ପୌଷ ମାସରେ ହିଁ ବୋହୁ ବାପ ଘରକୁ ଯିବାର ପ୍ରଥା ଆଜି ବି ଓଡ଼ିଶାରେ ପ୍ରଚଳିତ ରହିଛି । ଏହି ସମୟରେ ଧାନ ଅମଳ ସରିଥିବାରୁ ଅର୍ଥର ସମସ୍ୟା ନ ଥାଏ ଓ ବର୍ଷତମାମ ପରିଶ୍ରମ ପରେ ଟିିକିଏ ଫୁରସତ୍‍ ସମୟ ବୋଲି ମଧ୍ୟ ବିଚାର କରାଯାଏ । ଏଣୁ ବୋହୂର ଅନୁପସ୍ଥିତିରେ ମାଆମାନେ ପିଲାମାନଙ୍କୁ ବିଭିନ୍ନ ପିଠା ଆଦି ସାମଗ୍ରୀ ପ୍ରସ୍ତୁତ କରି ପ୍ରଦାନ କରିଥାନ୍ତି । ଏହାଦ୍ୱାରା ଶୀତ ଦିନର ଶୁଷ୍କତାକୁ ଘିଅ ପିଠା ମାଧ୍ୟମରେ ଅନେକ ଦୂର କରାଯାଇପାରିଥାଏ ଓ ସନ୍ଧ୍ୟା ଶୀଘ୍ର ହେଉଥିବା କାରଣରୁ ଦିନ ଚର୍ଯ୍ୟା ସଅଳ ଆରମ୍ଭ ହେଲେ ହିଁ ଯାଇ ଭୋଜନ ପ୍ରକ୍ରିୟା ସରଳ ହୋଇପାରିବ । ରାତି ବଡ ହୋଇଥିବାରୁ ସନ୍ଧ୍ୟାରେ ଶେଷ ଭୋଜନ ପ୍ରକ୍ରିୟା ସାରିଥିବା ବ୍ୟକ୍ତି ସକାଳେ ଖାଦ୍ୟ ନ ଖାଇଲେ ପେଟ ରୋଗ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇପାରନ୍ତି । 

ଏଠାରେ ପ୍ରକାଶଥାଉକି, ଏହି ସମୟରେ ଶ୍ରୀମନ୍ଦିରରେ ସକାଳର ଗୋପାଳ ବଲ୍ଲଭ ସହିତ ପହିଲି ଭୋଗ କରାଯାଇଥାଏ । ଏହି ଦିନ ମାନଙ୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇ ନୀତି ପାଳିତ ହୋଇଥାଏ । ରାତ୍ର ୨.୩୦ ସମୟରେ ଦ୍ୱାର ଫିଟା,ଭିତର ଶୋଧ,ମଙ୍ଗଳ ଅାଳତୀ ଓ ଅବକାଶ କରାଯାଏ । ଏହାପରେ ପହିଲି ଭୋଗ ନୀତି ହୋଇଥାଏ । ଏ ଭୋଗରେ ବିରି ଓ ଗହମରେ ଘିଅରେ ପାକ ହୋଇ ସ୍ୱତନ୍ତ୍ର ଧରଣର ପିଠାମାନ ପୂଜା ହୋଇଥାଏଓ ସକାଳ ଧୂପ ପରେ ସାହାଣ ମେଲା ଅନୁଷ୍ଠିତ ହୋଇଥାଏ । 

ଶ୍ରୀମନ୍ଦିର ଗବେଷକମାନଙ୍କ ସୂଚନା ଅନୁସାରେ,ପହିଲି ଭୋଗରେ ପ୍ରସ୍ତୁତ ବିଭିନ୍ନ ପିଠା ଓ ଅନ୍ୟାନ୍ୟ ଭୋଗ ଦ୍ରବ୍ୟ ୨୩ ପ୍ରକାରର ଅଟେ । ଷୋଡଶ ଶତାବ୍ଦୀର ଭକ୍ତ କବି ମାଧବୀ ଦାସଙ୍କ ରଚନାରେ ପହିଲି ଭୋଗର ବର୍ଣ୍ଣନା ରହିଛି । 

Share Post

Leave a Reply

Your email address will not be published. Required fields are marked *

seven + 7 =