ନବଯୌବନ ପ୍ରାପ୍ତ ହେଲେ ମହାପ୍ରଭୁ

ଭୁବନେଶ୍ୱର,୮/୭ (ବ୍ୟୁରୋ): ସ୍ନାନ ଯାତ୍ରା ପରେ ଜ୍ୱରରେ କମ୍ପୁଥିବା ମହାପ୍ରଭୁ ସୁସ୍ଥ ହେବା ପରେ ତାଙ୍କର ନବ ଯୌବନ ପ୍ରାପ୍ତ ହୋଇଛି । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ସେ ବ୍ୟାକୁଳ ହୋଇ ଉଠିଲେଣି । ଆଜି ସେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଦଇତାପତି ସେବକଙ୍କ ଗୁପ୍ତ ସେବା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 

ଅଣସରପିଣ୍ଡିରେ ଚାଲିଥିବ ପ୍ରସ୍ତୁତି ପର୍ବରେ ଗୁରୁବାର ମହାପ୍ରଭୁଙ୍କୁ ବନକ ଲାଗି କରାଯାଇଛି । ଏଥିପାଇଁ ପୂର୍ବରୁ ଶ୍ରୀ ବିଗ୍ରହଙ୍କ ଶ୍ରୀ ଅଙ୍ଗରେ ଲାଗି ହେବା ପାଇଁ ଶ୍ରୀମନ୍ଦିରକୁ ଖଡି ପ୍ରସାଦ ବିଜେ ହୋଇଥିଲା । ଶ୍ରୀ ଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହେବା ପରେ ଏହା ଉପରେ ଖଡି ପ୍ରସାଦ ଲାଗି କରାଯାଇଛି । 

ବିଳମି୍ୱିତ ରାତିରେ ବଡଦେଉଳକୁ ଖଡି ବିଜେ ହେବା ପରେ ଶ୍ରୀମୁଖ  ଶୃଙ୍ଗାରର ଶୁଭାରମ୍ଭ ହୋଇଥିଲା । ଆଜି ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଶେଷ ହେବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । 

ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ମଙ୍ଗଳ ଆଳତି ଓ ମଇଲମ ପରେ ଦଶାବତାର ଠାକୁରଙ୍କର ବାହୁଡା ବିଜେ ନୀତି ସକାଳ ସାଢେ ସାତଟାରେ ହେବ । ସର୍ବାଙ୍ଗ ସହ ନେତ୍ରୋତ୍ସବ ବନ୍ଦାପନା, ଯାତ୍ରାଙ୍ଗୀ ମହାସ୍ନାନ ସରିବ । ପରେ କୋଠ ସୁଆଁସିଆମାନେନ ଅଣସର ତାଟି ଖୋଲିବେ । ଏହା ପରେ ସକାଳ ୮ଟାରୁ ୯ ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି । ୯ଟାରୁ ସାଢେ ଦଶଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନରେ ଭଗବାନ ଦେଖା ଦେବେ । ଭକ୍ତମାନେ ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିବେ । ପୂର୍ବାହ୍ନ ୧୦ଟା ୩୦ ପରେ ଦର୍ଶନ ବନ୍ଦ ହୋଇ ଅନ୍ୟାନ୍ୟ ନୀତି ଆରମ୍ଭ ହେବ । 

ଅପରାହ୍ନ ୪ଟା ୧୦ରେ ରଥକୁ ଆଜ୍‍ଞାମାଳ ବିଜେ କରିବେ । ମହାପ୍ରଭୁଙ୍କର ଏହି ଅନୁମତି ମିଳିବା ପରେ ତିନି ରଥ ରଥଖଳାରୁ ସିଂହଦ୍ୱାରରେ ଥିବା ରଥ ଚକଡାକୁ ଯିବେ । ପରେ ବିଳମ୍ୱିତ ରାତି ପ୍ରାୟ ସାଢେ ୧୨ଟାରୁ ବାହୁଟ କଣ୍ଟ ହେବା ସହିତ ମଧ୍ୟ ରାତ୍ରରୁ ସକାଳ ସାଢେ ପାଞ୍ଚଟା ପର୍ଯ୍ୟନ୍ତ ସେନା ପଟା ଲାଗି ହେବ । 

Share Post

Leave a Reply

Your email address will not be published. Required fields are marked *

thirteen + sixteen =