ସୂର୍ଯ୍ୟ ପରାଗ: ଘରେ ଦେବ ନୀତି ମନା, କିନ୍ତୁ ଶ୍ରୀମନ୍ଦିରରେ…

ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ, ୨୦୧୯ରେ ଚଳିତବର୍ଷ ତିନି ତିନିଟି ସୂର୍ଯ୍ୟପରାଗ ଘଟିବ । ଜାନୁଆରି ୭ତାରିଖରେ ଭୋର ସମୟରେ ୨୦୧୯ ମସିହାର ପ୍ରଥମ ସୂର୍ଯ୍ୟପରାଗ ହେଉଛି । ଏହି ଆଂଶିକ ପରାଗଟି ଭାରତ ସମୟ ଭୋର ୫ଟା ୦୪ରୁ ଆରମ୍ଭ ହୋଇ ସକାଳ ୮ଟା ୧୮ ମିନିଟ୍‍ ମଧ୍ୟରେ ଶେଷ ହେବ । ତେବେ ଏହା ଭାରତକୁ ଦୃଶ୍ୟ ହେବ ନାହିଁ । ବରଂ ଆଂଶିକ ପରାଗଟି ଏସିଆ ମହାଦେଶର ଉତ୍ତର ପୂର୍ବ ଓ ଉତ୍ତର ଆଣ୍ଟାର୍ଟିକ୍‍ର କିଛି ଅଞ୍ଚଳକୁ ମାତ୍ର ଦୃଶ୍ୟମାନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍‍ ପକ୍ଷରୁ କୁହାଯାଇଛି । ସେହିଭଳି ଜୁଲାଇ ମାସ ୨ ତାରିଖରେ ଘଟିବାକୁ ଥିବା ଚଳିତବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗସମ୍ପୂର୍ଣ୍ଣ ପରାଗ ହେବ । କିନ୍ତୁ ଏହି ସୂର୍ଯ୍ୟପରାଗଟି ମଧ୍ୟ ଭାରତକୁ ଦୃଶ୍ୟମାନ ହେବାର ନାହିଁ ।

ତୃତୀୟ ତଥା ଶେଷ ସୂର୍ଯ୍ୟପରାଗ ଡିସେମ୍ୱର ୨୬ ତାରିଖରେ ସଂଘଠିତ ହେବ । ଏହି ସୂର୍ଯ୍ୟ ପରାଗଟି ଭାରତର ପ୍ରାୟ ସମସ୍ତ ସ୍ଥାନକୁ ଆଂଶିକ ଦୃଶ୍ୟମାନ ହେବ ଓ କେରଳ ଭଳି ରାଜ୍ୟର ଆଖ ପାଖ ଅଞ୍ଚଳକୁ ବଳୟାତ୍‍ ସୂର୍ଯ୍ୟପରାଗ  ଦେଖାଦେବ । ଏହା ଏକ ଅପୂର୍ବ ଦୃଶ୍ୟ ବୋଲି ଜ୍ୟୋତିର୍ବିଦ୍‍ମାନେ ପୂର୍ବାନୁମାନ କରିଛନ୍ତି । 

ସାଧାରଣତଃ ସୂର୍ଯ୍ୟପରାଗ ସମୟରେ ଆମମାନଙ୍କ ଘରେ ହାଣ୍ଡିଛାଡ, ପାକ ତ୍ୟାଗ ଭଳି ଅନେକ କଟକଣା କରାଯାଇଥାଏ । କେହି କେହି ଏହା ପଛର କାରଣ ଓ ଯୁକ୍ତିକୁ ଚ୍ୟାଲେଞ୍ଜ ମଧ୍ୟ କଲେଣି । ଅନ୍ଧବିଶ୍ୱାସ ବୋଲି କହି ପୁରୁଣା ପ୍ରଥା ପରମ୍ପରାକୁ ନୂଆ ପିଢୀ ଟାଳି ଦେବାର ଅନେକ ଉଦାହରଣ ଦେଖାଯାଏ । 

କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିରରେ ସୂର୍ଯ୍ୟପରାଗ ମହତ୍ୱ କିଛି ଅଲଗା । ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ଓ ସୂର୍ଯ୍ୟପରାଗ ନୀତି ମଧ୍ୟରେ ଆକାଶପାତାଳ ଫରକ ରହିଛି । ଆମମାନଙ୍କ ଘରେ ସୂର୍ଯ୍ୟପରାଗ ସମୟରେ ଠାକୁରଙ୍କର କୌଣସି ନୀତି ହୁଏ ନାହିଁ ।  ଅର୍ଥାତ ଦେବ ନୀତି ଉପରେ କଟକଣା ରହିଥାଏ । କିନ୍ତୁ ମହାପ୍ରଭୁଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ ।  ସମ୍ପୂର୍ଣ୍ଣ ବିପରୀତ ନୀତି ଏଠାରେ ଅନୁଷ୍ଠିତ ହୋଇଥାଏ । ସୂର୍ଯ୍ୟପରାଗ ତିଥିରେ ପାକତ୍ୟାଗ ପୂର୍ବରୁ ମହାପ୍ରଭୁ ତଡପ ଉତ୍ତରୀ ଲାଗି ହୋଇଥାନ୍ତି । ଏହି ବେଶରେ ଠାକୁରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ପରାଗ ସ୍ପର୍ଶ କରିବା ମାତ୍ରେ ଶ୍ରୀବିଗ୍ରହମାନଙ୍କର ନୀତି ଆରମ୍ଭ ହୋଇଥାଏ । ପୂଜାପଣ୍ଡାମାନେ ଚତୁର୍ଧାମୂର୍ତିଙ୍କର ଗ୍ରହଣ ମହାସ୍ନାନ କରାଇଥାନ୍ତି । ରୋଷ ଘର ଧୋ ପଖାଳ ହୋଇଥାଏ । ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଆଦି କରାଯାଇଥାଏ ।

ମହାପ୍ରଭୁ ଗ୍ରହଣ ବେଶ ହୋଇଥାନ୍ତି । କିନ୍ତୁ ଏସବୁ ନୀତି ଦର୍ଶନର ବ୍ୟବସ୍ଥା ନାହିଁ । ସେ ସମୟରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇଥାଏ । ବେଶ ବଢିବା ପରେ ୪ ବାଡରେ ପନ୍ତି, ଖଇ, କୋରା ଇତ୍ୟାଦି ଶୀତଳ ଭୋଗ ନୀତି ହୋଇଥାଏ । ଏହାବ୍ୟତୀତ ସମୟ ଅନୁସାରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ହୋଇଥାଏ । ଯେଉଁଭଳି ଋତୁ ଚକ୍ରକୁ ମହାପ୍ରଭୁ ସମ୍ମାନ ଦେଇଥାନ୍ତି, ଠିକ୍‍ ସେମିିତି ପରାଗ ସମୟରେ ଏହି ସ୍ୱତନ୍ତ୍ର ନୀତି ସୂଚାଇଥାଏ, ଆମ ସୃଷ୍ଟି ଓ ବ୍ୟବସ୍ଥା ସହିତ ମହାପ୍ରଭୁଙ୍କର ନିବିଡତା କେତେ । 

Share Post
  • 2
  •  
  •  
  •  
  •  
  •  
  •  
  •  
    2
    Shares

Leave a Reply

Your email address will not be published. Required fields are marked *

13 − 10 =