ଶ୍ରୀ ଚକ୍ର ଉପରେ ପୂଜା ବ୍ୟବସ୍ଥା ବିଶ୍ୱରେ ନାହିଁ, ଅବଢା କଣିକାଏ ଅମୂଲ୍ୟ

ଭୁବନେଶ୍ୱର:  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯେତିକି ଗୁରୁତ୍ୱପୂର୍ଣ୍ଣ, ଆନନ୍ଦବଜାରରେ ମହାପ୍ରସାଦ କଣିକାର ମୂଲ୍ୟ ତା ଚାହିଁ ଅଧିକ । ଖାସ୍‍ ସେଇଥିପାଇଁ ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପରେ ବି ଘଣ୍ଟା ଘଣ୍ଟା ଧରି ଶ୍ରୀ ମହାପ୍ରସାଦ ଅର୍ଥାତ୍‍ ଅବଢା କଣିକାଏ ପାଇଁ ଅପେକ୍ଷା କରି ରହିଥାନ୍ତି । ପ୍ରତି ମଣିଷ ତାର ଶେଷ ମୁହୂର୍ତରେ ନିର୍ମାଲ୍ୟ କଣିକାଏ ଆଶା କରିଥାଏ ।  କାର୍ତିକ ମାସରେ ଅବଢା ହବିଷ୍ୟାଳିଙ୍କ ପ୍ରାଣ ବୋଲି କେହି କେହି କହିଥାନ୍ତି । ଏହି ମାସରେ ହବିଷ୍ୟାଳିଙ୍କୁ ଅବଢା ପ୍ରଦାନ କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଏହା ପଛର ରହସ୍ୟ ଏତେ ବଳିଷ୍ଠ ଯେ ସମାଜର ପ୍ରତି ବର୍ଗର ଲୋକ ଗୋଟିଏ ପତ୍ରରେ ଅବଢା ହିଁ ଖାଇପାରିବେ । ଆଉ ସବୁଠାରୁ ବଡ କଥା ହେଲା, ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ ପଛରେ ଆୟୁର୍ବେଦୀୟ ବ୍ୟବସ୍ଥା ଲୁଚି ରହିଛି ।  ଖାସ୍‍ ଏସବୁ କାରଣରୁ ମାଆ ଲକ୍ଷ୍ମୀଙ୍କ ଦ୍ୱାରା ପ୍ରସ୍ତୁତ ମହାପ୍ରସାଦର ପ୍ରସ୍ତୁତି ପ୍ରଣାଳୀ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଗର୍ଭଗୃହରେ ଷୋଡ଼ଶ ଉପଚାରରେ ପୂଜା ପର୍ଯ୍ୟନ୍ତ ସବୁର ରହସ୍ୟ ଯେ କୌଣସି ବ୍ୟକ୍ତିକୁ ଭାବୁକ କରିଦେବା ପାଇଁ ଯଥେଷ୍ଟ ।

ମହାପ୍ରଭୁଙ୍କ କୋଠ ଭୋଗ ସୁଆର ତଥା ଶ୍ରୀଜଗନ୍ନାଥ ଗବେଷକ ବିଶ୍ୱନାଥ ସାମନ୍ତରା କହନ୍ତି, ଇନ୍ଦ୍ରଦ୍ୟୁମ୍ନ ଖଞ୍ଜିଥିବା ବ୍ୟବସ୍ଥା ଅନୁସାରେ, ଆଜି ଯାଏ ଶ୍ରୀମନ୍ଦିରରେ କୋଠ ଭୋଗ ହେଉଛି ।  ବଲ୍ଲଭ, ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପ ବ୍ୟତୀତ ମହାପ୍ରଭୁ ବଡସିଂହାରରେ ମଧ୍ୟ କାଞ୍ଜି ପଖାଳ, ଘି ବା ଘିଅ ପଖାଳ, କଦଳି ବରା ପ୍ରମୁଖ ଲାଗି ହୋଇଥାନ୍ତି । ପରିମାଣ ସେବେ ଯାହା ଥିଲା, ଏବେ ବି ତାହା ରହିଛି । କିଛି କମ୍‍ କରାଯାଇପାରିବ ନାହିଁ କିମ୍ୱା ବୃଦ୍ଧି କରାଯାଇପାରିବ ନାହିଁ । ଏପରିକି ଆଜି ଯଦି କୌଣସି କାରଣରୁ ଭୋଗ ପଡିଆ ହେଲା, କାଲି ନିଶ୍ଚିତ ଉଠିଆ ହେବ । ଅର୍ଥାତ୍‍ ଆଜି ମହାପ୍ରଭୁଙ୍କ ଭୋଗର ଯେ କୌଣସି ସାମଗ୍ରୀ ମଧ୍ୟରୁ ଯଦି କୌଣସି ପରିମାଣ କମିଯାଏ, ତେବେ ସେତିକି ଭୋଗ ଆସନ୍ତାକାଲି ବା ପରଦିନ ଭୋଗରେ ନିଶ୍ଚିତ ଭାବେ ଯୋଗ କରାଯିବ । କାରଣ, ଭୋଗ ଖଣ୍ଡିଆ ହେଲେ, ୧୨ ବର୍ଷ ଯାଏ ତାହାକୁ ଆଉ ମହାପ୍ରଭୁ ପ୍ରାପ୍ୟ ହେବେ ନାହିଁ । ଏଣୁ ଶ୍ରୀମନ୍ଦିରରେ ଯେତେ ଅସୁବିଧା ହେଲେ ବି, ସୁଆର ସେବକମାନେ ଯେତେ ଥର ମହାପ୍ରଭୁଙ୍କ ରୋଷ ଶାଳାରେ ରୋଷେଇ ବନ୍ଦ କଲେ ବି କୋଠ ଭୋଗ କିନ୍ତୁ ବନ୍ଦ ହୋଇନଥାଏ କିମ୍ୱା ବନ୍ଦ ହୋଇପାରିବ ନାହିଁ । 

ଶ୍ରୀଜଗନ୍ନାଥ ଗବେଷକଙ୍କ ମତରେ ପ୍ରତ୍ୟହ ଶ୍ରୀମନ୍ଦିର କୋଠ ଭୋଗ ରୋଷଶାଳାରେ ହୋମ କରାଯାଇଥାଏ ଓ ସେହି ହୋମ ଅଗ୍ନିରେ ହିଁ ଚୁଲି ଜଳିଥାଏ । ପୋଖରିଆ ମଧ୍ୟରେ ଷୋଡ଼ଶ ଉପଚାରରେ ପ୍ରଭୁଙ୍କୁ ମହାପ୍ରସାଦ ଲାଗି ହେବାର ବିଧି ରହିଛି । ସବୁଠାରୁ ବଡ଼ କଥା ହେଲା, ମହାପ୍ରଭୁଙ୍କ ପୋଖରିଆରେ ଶ୍ରୀଚକ୍ର ଉପରେ ହିଁ ପୂଜା କରାଯାଇଥାଏ । ଯେଉଁଥିପାଇଁ ଅବଢା ମହାପ୍ରସାଦର ଆଖ୍ୟା ପାଇଥାଏ । ବିଶ୍ୱର ଅନ୍ୟ କେଉଁଠାରେ ଏ ବ୍ୟବସ୍ଥା ନାହିଁ । 

ଏହାର ବହୁ ପରେ ଶ୍ରୀମନ୍ଦିରରେ ଭଅଣ୍ଡ ବା ଭଣ୍ଡ ଭୋଗ ବ୍ୟବସ୍ଥା ହୋଇଥିବା ଜଣାଯାଏ । ପୂର୍ବରୁ ମଠ ମାନଙ୍କର ସହଯୋଗରେ ଭଣ୍ଡ ଭୋଗ ହେଉଥିଲା ଓ ଏହାକୁ ପୁରୀରେ ଥିବା ୫ଟି ଛତ୍ରରେ ବଣ୍ଟାଯାଉଥିଲା । ମାତ୍ର ପରବର୍ତୀ ସମୟରେ ଅର୍ଥାତ୍‍ ଆଜି ଦିନରେ ଏହା ସମ୍ପୂର୍ଣ୍ଣ ଭାବେ ଭକ୍ତଙ୍କ ଦ୍ୱାରା ନିୟନ୍ତ୍ରିତ । 

ଶ୍ରୀମନ୍ଦିରରେ ମୋଟ ୨୪୨ଟି ଚୁଲି ରହିଛି । ଏହି ଚୁଲି ସାହାଯ୍ୟରେ ପ୍ରତ୍ୟହ ୭୦ କ୍ୱିଣ୍ଟାଲରୁ ସ୍ଥଳ ବିଶେଷରେ ୧୫୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚାଉଳ ରୋଷେଇ ହୋଇଥାଏ । ଅର୍ଥାତ୍‍ ପ୍ରତ୍ୟହ ୭୫ ହଜାରରୁ ଦେଢଲକ୍ଷ ଲୋକ ଅବଢା ଉପରେ ଭରସା କରିଥାନ୍ତି । ବିଶ୍ୱରେ ସବୁ ମନ୍ଦିର ତୁଳନାରେ ଏହା ବଡ଼ ରୋଷ ଶାଳା ବୋଲି ମଧ୍ୟ କେହି କେହି କହିଥାନ୍ତି । 

ସୁଆର ସେବକମାନେ କିନ୍ତୁ ଏହାକୁ ବ୍ୟବସାୟ ଭାବେ ଗଣତି ନାହିଁ । ବରଂ ଏହାକୁ ଏକ ସେବା ବୋଲି ବିଚାର କରିଥାନ୍ତି । 

Share Post
  • 5
  •  
  •  
  •  
  •  
  •  
  •  
  •  
    5
    Shares

Leave a Reply

Your email address will not be published. Required fields are marked *

fifteen + eleven =