ରଥାରୁଢା ବିରଜାଙ୍କୁ ଦର୍ଶନ କଲେ ପଞ୍ଚପାତକରୁ ମୁକ୍ତି ମିଳେ

ଭୁବନେଶ୍ୱର: ଗତକାଲି ରାତିରେ ସହସ୍ରକୁମ୍ଭାଭିଷେକ ଶେଷ ହେବା ପରେ ବିଭିନ୍ନ ଦେବୀ ପୀଠରେ ଆଜି ଠାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି । ଯଦିଓ ଏହା ଷୋଡଶ ଦିନାତ୍ମକ ଅର୍ଥାତ୍‍ ଦୁର୍ଗାପୂଜା ୧୬ ଦିନ ଧରି ହେବା କଥା, ଏଥର ଗୋଟିଏ ଦିନ କ୍ଷୟରେ ଯାଉଥିବା କାରଣରୁ ଦେବୀ ପୂଜା ୧୫ ଦିନ ଧରି ହେବ । ଏହାକୁ ନେଇ ଆଜିଠାରୁ ପ୍ରମୁଖ ଦେବୀ ପୀଠ ଚଳଚଞ୍ଚଳ ହୋଇଉଠିଛି । ଦେବୀ ପୀଠ ଗୁଡିକରେ ମନ୍ଦିର ପ୍ରଶାସନ ବ୍ରାହ୍ମଣଙ୍କୁ ବରଣ କରିବା ସହିତ ପୂଜା ଆରମ୍ଭ ହୋଇଛି । ପ୍ରତି ପୀଠରେ ଚଣ୍ଡୀପାଠ ବିଧି ମଧ୍ୟ ରହିଛି । 

ଏହି କ୍ରମରେ ପୁଣ୍ୟତୋୟା ବୈତରଣୀ ନଦୀକୂଳ ଅର୍ଥାତ ଯାଜପୁର ଟାଉନ୍‍ ଠାରେ ମାଅା ବିରଜାଙ୍କ ବିଜେସ୍ଥଳୀରେ ମଧ୍ୟ ଅତ୍ୟନ୍ତ ଭାବଗମ୍ଭୀର ପରିବେଶ ସୃଷ୍ଟି ହୋଇଛି ।  ପୁରାଣ କହେ ସତୀଙ୍କ ନାଭି ଏଠାରେ ପଡିଥିଲା । ତେଣୁ ବିରଜାକ୍ଷେତ୍ର ପ୍ରଧାନ ଶକ୍ତିପୀଠ ଭାବେ ବିଦିତ । କେହି କେହି ଏହାକୁ ନାଭିଗୟା କ୍ଷେତ୍ର ବୋଲି କହିଥାନ୍ତି । 

ଏକଥା ବି କୁହାଯାଏ ଯେ ସୃଷ୍ଟି ସର୍ଜନା ସମୟରେ ବ୍ରହ୍ମା ଯଜ୍ଞପୁରରେ ଏକ ବିରାଟ ଯଜ୍ଞର ଅାୟୋଜନ କରିଥିଲେ । ଯଜ୍ଞକୁଣ୍ଡରୁ ଦେବୀ ବିରଜା ଅାର୍ବିଭାବ ହୋଇ ବ୍ରହ୍ମାଙ୍କୁ ଦର୍ଶନ ଦେଇଥିଲେ । ବିରଜା ମନ୍ଦିର ପରିସରରେ ରହିଛି ନାଭିଗୟା,ଯେଉଁଠି ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ । ମନ୍ଦିର ନିକଟରେ ଏବେ ବି ବ୍ରହ୍ମାଙ୍କ ଯଜ୍ଞକୁଣ୍ଡ ଦେଖିବାକୁ ମିଳେ ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ମୂଳାଅଷ୍ଟମୀ ଠାରୁ କୁମାର ପୂର୍ଣିମା ପର୍ଯ୍ୟନ୍ତ ବିସ୍ତୃତ ପୂଜା,ସ୍ନାନ,ବେଶ,ନୀତି ଅାଦି ସ୍ୱତନ୍ତ୍ରଭାବେ ଅନୁଷ୍ଠିତ ହୋଇଥାଏ । ମୂଳା ଅଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଯେଉଁ ପୂଜା ଅନୁଷ୍ଠିତ ହୁଏ ତହିଁରେ ଦୁଇବେଳା ଷୋଡଶ ଉପଚାର ପୂଜା କରାଯାଇଥାଏ । ମୂଳାଅଷ୍ଟମୀ ରାତ୍ର ଠାରୁ ମହାଷ୍ଟମୀ ସଂଧ୍ୟା ଯାଏ ଗୋଟିଏ ମନ୍ତ୍ରରେ,ମହାଷ୍ଟମୀ ରାତି ଏବଂ ନବମୀରେ ଏକ ସ୍ୱତନ୍ତ୍ର ମନ୍ତ୍ରରେ ଦେବୀଙ୍କର ସମସ୍ତ ପୂଜା ଅନୁଷ୍ଠିତ ହୋଇଥାଏ । 

ପୂଜାରେ ମାଅାଙ୍କର ତିନିଟି ବିଶେଷ ସ୍ନାନ, ଯାହାକି ମୂଳାଅଷ୍ଟମୀ ରାତ୍ର,ପଞ୍ଚମୀ ରାତ୍ର ଓ ମହାଅଷ୍ଟମୀ ରାତ୍ରରେ କରାଯାଇଥାଏ । ପଞ୍ଚମୀ ରାତ୍ର ମହାସ୍ନାନ ପରଠାରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ମୂଳ ମନ୍ତ୍ରରେ ସହସ୍ର ସଂଖ୍ୟକ ଯଜ୍ଞ, ମହାପଶୁ ପ୍ରୋକ୍ଷଣ କରାଯାଇ ପୂର୍ଣାହୂତି ଦିଅାଯାଏ ।  

ମାଆଙ୍କ ପୂଜାର ଦୁଇଟି ବିଶେଷତ୍ୱ ହେଲା ମହାନବମୀ ଦିନ ମାଆଙ୍କ ବିଜେ ପ୍ରତିମାକୁ ଲାଖ ବିନ୍ଧା ପଡ଼ିଅାକୁ ନିଅାଯାଇ ଚାରିଦିଗକୁ ଚାରିଟି ଶର ମରାଯାଇଥାଏ । ଦେବୀଙ୍କୁ ଦଶହରା ଦିନ ଅପରାଜିତା ମନ୍ତ୍ରରେ ପୂଜା କରାଯାଇଥାଏ । ଶାରଦୀୟ ଦୂର୍ଗାପୂଜା ବେଳେ ମାଅାଙ୍କ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ । ପ୍ରତିପଦା ଠାରୁ ମହାନବମୀ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନରେ ମାଅାଙ୍କ ବିଜେ ପ୍ରତିମା ରଥରେ ବସି ମନ୍ଦିର ଚାରିକଡ଼ ପ୍ରଦକ୍ଷଣ କରିଥାନ୍ତି । ବିଶ୍ୱାସ କରାଯାଏ, ରଥାରୁଢ଼ା ମାଅାଙ୍କୁ ଦର୍ଶନ କଲେ ପଞ୍ଚ ପାତକରୁ ମୁକ୍ତିମିଳେ । 

Share Post
  • 23
  •  
  •  
  •  
  •  
  •  
  •  
  •  
    23
    Shares

Leave a Reply

Your email address will not be published. Required fields are marked *

four × three =