ପିତୃପୁରୁଷଙ୍କୁ ବି ସ୍ମରଣ କରିଥାନ୍ତି ମହାପ୍ରଭୁ । ଜାଣନ୍ତୁ କେମିତି

ଭୁବନେଶ୍ୱର: ସଂସାରରେ ବହୁ ମହାମନିଷୀ ବାରମ୍ୱାର ଏକଥା ସୂଚାଇଛନ୍ତି ଯେ ପିତୃ ପୁରୁଷ ହେଉଛନ୍ତି ଚଳନ୍ତି ଭଗବାନ । ଆମେ ଯେମିତି ଭାବେ ଠାକୁର, ସନ୍ଥଙ୍କ ଉପସ୍ଥିତି ଓ ଅନୁପସ୍ଥିତିରେ ବି ତାଙ୍କର ସ୍ମରଣ କରିଥାନ୍ତି, ସେମିତି ପିତୃ ପୁରୁଷଙ୍କର ଅବର୍ତମାନରେ ବି ତାଙ୍କ ପ୍ରତି ଶ୍ରଦ୍ଧା ପ୍ରକଟ କରିବା ବ୍ୟବସ୍ଥା ଆମକୁ ସମାଜ ଶିଖାଇଛି । 

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ମାନବୀୟ ଲୀଳା ଆଚରଣରେ ପ୍ରଦର୍ଶନ କରୁଥିବା ପରିପ୍ରେକ୍ଷୀରେ ଏ ଲୋକାଚାରରୁ ମଧ୍ୟ ମହାପ୍ରଭୁ ମୁକ୍ତ ହୋଇପାରିନାହାନ୍ତି । ଏଣୁ ନିଜ ପିତୃପୁରୁଷଙ୍କ ପାଇଁ ସେ ବି ସାଧାରଣ ମଣିଷ ଭଳି ଶ୍ରାଦ୍ଧ ଦେଇଥାନ୍ତି, ଦୀପଦାନ କରିଥାନ୍ତି । ନିଜେ ପ୍ରଭୁ ଶ୍ରାଦ୍ଧ ପାଇଁ ନିର୍ଦିଷ୍ଟ ବେଶ ପରିଧାନ କରିଥାନ୍ତି ଓ ଏହି ଦୁର୍ଲଭ ନୀତି ସଂଗଠିତ ହୋଇଥାଏ ।

ଏହି କ୍ରମରେ  ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ,ଅମାବାସ୍ୟା ଓ ଶୁକ୍ଲ ପ୍ରତିପଦା ଏହି ତିନି ଦିବସରେ ମହାପ୍ରଭୁ ଦୀପଦାନ କରିଥାନ୍ତି । ରାଜା ଇନ୍ଦ୍ରଦ୍ୟୁମ୍ନ,ମହାରାଣୀ ଗୁଣ୍ଡିଚା, ନନ୍ଦ,ଯଶୋଦା, ଦେବକୀ,ବସୁଦେବଙ୍କୁ ସ୍ମରଣ କରିଥାନ୍ତି ମହାପ୍ରଭୁ । ଆଉ କିଛି ଗବେଷକ କହନ୍ତି ଯେ ଦଶରଥ ଓ  କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ପ୍ରଭୁ ଦୀପଦାନ କରିଥାନ୍ତି । 

ମହାପ୍ରଭୁଙ୍କର ଏହି ସଙ୍କେତ ଯେ କୌଣସି ବ୍ୟକ୍ତିଙ୍କୁ ଅଭିଭୂତ କରିବ । ସମାନ୍ତରାଳ ଭାବେ ଏ ସଂକ୍ରାନ୍ତରେ ଯେଉଁ ନୀତି ନୀତି ପାଳନ ହୋଇଥାଏ, ତାହା ମଧ୍ୟ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱାଭାବିକ । 

ଶ୍ରୀମନ୍ଦିର ବ୍ୟବସ୍ଥାରେ ଦେବ ଦୀପାବଳି ଅବସରରେ ମାର୍ଗଶୀର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ସନ୍ଧ୍ୟାଧୂପ ପରେ ସୁଧୁସୁଅାର ସିଂହାସନ ତଳେ ପାଣି ପକାଇ ସଫା କରିଥାନ୍ତି । ଭଣ୍ଡାର ମେକାପ ଚାଉଳରେ ଗୋଟିଏ ଗଛ ସିଂହାସନ ତଳେ ରଖିବା ପରେ ପାଳିଅା ମେକାପ ବଇଠା ମାନଙ୍କରେ ଘିଅ ଦେଇ ଉକ୍ତ ଚାଉଳ ଗଛ ମାନଙ୍କରେ ବତୀ ଲଗାଇଥାନ୍ତି । ତିନଟି ସୁନା ଅାଳତୀ ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳ ଗଛ ଗୁଡିକ ସଂସ୍କାର କରି ପାଣି ଛଡାନ୍ତି ଓ ପଣ୍ଡା,ପତି ମହାପାତ୍ର ମୁଦିରସ୍ତ ତିନି ବାଡରେ ବନ୍ଦାପନା କରିଥାନ୍ତି । ତାପରେ ତିନିଗୋଟି ମହାଦୀପରେ ବନ୍ଦାପନା ହୋଇଥାଏ ।  ଚୁନରା ସେବକ ବଡ ଓଡିଅା ମଠ ଦେଇଥିବା ତେଲ,ଘିଅ ନେଇ ଶୀର୍ଷର ଅଁଳା ବେଢ଼ା ଉପରେ ଦୀପମାନ ଜାଳନ୍ତି । 

ଏହି ଦୀପଦାନ ନୀତି ସମୟରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ସଜାଇ ଥାଅାନ୍ତି । ଏଥିରେ ଠାକୁରମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । 

Share Post
  • 5
  •  
  •  
  •  
  •  
  •  
  •  
  •  
    5
    Shares

Leave a Reply

Your email address will not be published. Required fields are marked *

one × 3 =