କାହିଁକି ସାକ୍ଷୀଗୋପାଳଙ୍କୁ ଦର୍ଶନ କରିଥାନ୍ତି ଭକ୍ତ

ଭୁବନେଶ୍ୱର: ପୁରୀ ସହରଠାରୁ ମାତ୍ର ୨୦ କିଲୋମିଟର ଦୂରରେ ସାକ୍ଷୀଗୋପାଳ ମନ୍ଦିର ରହିଛି । ସେଠାରେ ପ୍ରଭୁ ଗୋପୀନାଥ ବିଜେ ହୋଇଛନ୍ତି । ମାତ୍ର ଶ୍ରୀମନ୍ଦିରରେ ମଧ୍ୟ ସାକ୍ଷୀଗୋପାଳ ମନ୍ଦିର ରହିଛି । ଗୋପାଳ ମୂର୍ତି ସେଠାରେ ବି ପୂଜା ପାଆନ୍ତି । ଯଦି ସତ୍ୟବାଦୀରେ ଗୋପାଳ ମୂର୍ତି ସାକ୍ଷୀ ଦେବାକୁ ଆସି ଅଟକି ଯାଇଥିଲେ ବୋଲି କୁହାଯାଏ, ତେବେ ପୁରୀ ବଡ ଦେଉଳରେ ପୁଣି ବିଗ୍ରହ ଆସିଲେ କେଉଁଠୁ । ଏମିତି ଅନେକ ରହସ୍ୟ ଉପରୁ ଏଯାଏ ଶତ ପ୍ରତିଶତ ପରଦା ଉଠିନାହିଁ ।

ଶ୍ରୀମନ୍ଦିର ଭିତର ବେଢ଼ାର ପଶ୍ଚିମ ପାର୍ଶ୍ୱରେ ଥିବା ମଣ୍ଡଣି ଘରକୁ ଲାଗି ସାକ୍ଷୀଗୋପାଳଙ୍କ ମନ୍ଦିର ରହିଛି । କୃଷ୍ଣ ଓ ରାଧାଙ୍କର ଯୁଗଳ ବିଗ୍ରହ ଏଠାରେ ପୂଜା ପାଆନ୍ତି । ମନ୍ଦିରଟି କେବଳ ଗୋଟିଏ କୋଠରୀ ବିଶିଷ୍ଟ । ବିଗ୍ରହଙ୍କର ଉଚ୍ଚତା ୪ଫୁଟ । କଳା ମୁଗୁନି ପଥରରେ ନିର୍ମିତ ଏହି କମନୀୟ ବିଗ୍ରହ ଦଣ୍ଡାୟମାନ ମୁଦ୍ରାରେ ଅଛନ୍ତି । ହାତରେ ତାଙ୍କର ବଂଶୀ ରହିଛି ।  

କିମ୍ୱଦନ୍ତୀ କହେ, ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ ପରେ ସାକ୍ଷୀଗୋପାଳ ବିଗ୍ରହଙ୍କୁ ସେଠାରୁ ଆଣିଥିଲେ । ପ୍ରଥମେ ପୁରୀର ଏହି ମନ୍ଦିରରେ ସାକ୍ଷୀଗୋପାଳଙ୍କୁ ରଖାଯାଇଥିଲା । ପରବର୍ତୀ ସମୟରେ ଏହି ବିଗ୍ରହ ସାକ୍ଷୀଗୋପାଳକୁ ନିଆଯାଇଛି ଓ ସେଠାରେ ଏକ ସୁଉଚ୍ଚ ମନ୍ଦିର ପ୍ରତିଷ୍ଠା କରି ଠାକୁରଙ୍କ ସ୍ଥାପନା କରାଯାଇଛି । ତେବେ ବଡଦେଉଳରେ ଏହି ମନ୍ଦିରଟି ଶୂନ୍ୟ ପଡିବାରୁ ସେଠାରେ ଅନ୍ୟ ଏକ ମୂର୍ତି  ସ୍ଥାପନା କରାଯାଇଥିଲା । ତାଙ୍କ ସହିତ ରାଧାଙ୍କର ମୂର୍ତି ବି ରଖି ପୂଜାର୍ଚ୍ଚନା କରାଗଲା ।  ଏହାଦ୍ୱାରା ଶୀ୍ରମନ୍ଦିର ମଧ୍ୟରେ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବାର ସୁଯୋଗ ଲାଭ କରିପାରିଲେ ଭକ୍ତ । ଲୋକକଥା ଅଛି, ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ନିଶ୍ଚିତ ଭାବେ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବାକୁ ହେବ ।  ପ୍ରଭୁଙ୍କ ପାଖରେ ଭକ୍ତ କରିଥିବା ମାନସିକର ସାକ୍ଷୀ ପଡିଥାନ୍ତି ଗୋପାଳ । ଯଦିଓ ଏମିତି ଅନେକ କାହାଣୀ ରହିଛି, ତଥାପି  କେହି କେହି  ବିଶ୍ୱାସ କରନ୍ତି ଯେ ଏଇଥିପାଇଁ ଗୋପାଳଙ୍କର ନାମ ସାକ୍ଷୀ ଗୋପାଳ ରଖାଯାଇଛି । 

ବୈଶାଖରେ ଚନ୍ଦନ ଲାଗି,ପଣା ଭୋଗ ସାତ ଦିନ,ଅାଷାଢ଼ ମାସରେ ଅନବସର ପଣା,ଶ୍ରାବଣରେ ଝୁଲଣ ଭୋଗ,ଭାଦ୍ରବରେ କୃଷ୍ଣ ଜନ୍ମ-ଜନ୍ମ ଲୀଳା,ବନଭୋଜି ବେଶ,କାଳୀୟ ଦଳନ ବେଶ,ଳକ୍ଷ୍ମୀ ନାରାୟଣ ବେଶ,ଅାଶ୍ୱିନରେ କୁମାର ପୂର୍ଣିର୍ମା ଠାକୁରଙ୍କର ବଡ ପର୍ବ । କେବଳ ସେତିକି ନୁହେଁ, କାର୍ତ୍ତିକରେ ବାଲ୍ୟ ଭୋଗ-ପଞ୍ଚୁକରେ ଗୋମତି କୃଷ୍ଣ ବେଶ,ଚିନ୍ତାମଣି କୃଷ୍ଣ ବେଶ, ଲକ୍ଷ୍ମୀ ନାରାୟଣ ବେଶ,ବସ୍ତ୍ରହରଣ ବେଶ,ଶ୍ରୀକୃଷ୍ଣ ଚୈତନ୍ୟ ବେଶ,ମ ାର୍ଗଶୀରରେ ଓଢ଼ଣ ଷଷ୍ଠୀ, ପୌଷରେ ଧନୁମୁଅାଁ ଭୋଗ, ମାଘରେ ଗଜ ଉଦ୍ଧାରଣ ଓ ପଦ୍ମ ବେଶ,ଫାଲଗୁନରେ ଅବିର ଲାଗି ଓ ଚଣା ଖଜା ଭୋଗ ଅାଦି ଠାକୁରଙ୍କୁ ଲାଗି ହୋଇଥାଏ । 

କାର୍ତ୍ତିିକ ମାସ ଅଁଳା ନବମୀ ଦିନ ଏହି ମନ୍ଦିରରେ ଗୋପାଳ ଓ ରାଧାପାଦ ଦର୍ଶନ କରିବା ନିମନ୍ତେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ । ପୁରୀରେ ରହି ହବିଷ କରୁଥିବା ମହିଳାମାନେ ଏହି ଠାରେ ହିଁ ରାଧାଙ୍କ ପାଦ ସ୍ପର୍ଶ କରିଥାନ୍ତି । 

Share Post

Leave a Reply

Your email address will not be published. Required fields are marked *

five × 2 =